ପଞ୍ଚୁରୁଖିରେ ଲକ୍ଷ୍ମୀ ନାରାୟଣ ପୂଜା ସମାପନ।
ବାଲିଆପାଳ, ୦୩/୦୪ ( ସନ୍ୟାସୀ ବେହେରା ) : କୈବର୍ତ୍ତ ପୂଣ୍ଣିମା ଉପଲକ୍ଷେ ବାଲିଆପାଳ ବ୍ଲକ ମଧୁପୁରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁରୁଖି ଗ୍ରାମର କୈବର୍ତ୍ତ ସମ୍ପ୍ରଦାୟ ପକ୍ଷରୁ ଅନୁଷ୍ଠିତ ଲକ୍ଷ୍ମୀ ନାରାୟଣ ପୁଜା ଶୁକ୍ରବାର ସମାପନ ହୋଇ ଯାଇଛି। ଏହି ବୁଧବାର ଠାରୁ ଆରମ୍ଭ ହୋଇ ତିନି ଦିନ ଧରି ଧୂମ ଧାମରେ ଅନୁଷ୍ଠିତ ହେଇଥିଲା। ରବିବାର ମୂର୍ତ୍ତି ବିସର୍ଜନ ପରେ ସମସ୍ତ କାର୍ଯ୍ୟ ସମାପନ ହେଵ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି। ଏହି ପୂଜା ପାଇଁ କୈବର୍ତ୍ତ ସମ୍ପ୍ରଦାୟ ଲୋକମାନେ ତିନିଦିନ ମାଛ ମରାକୁ ସମ୍ପୂର୍ଣ୍ଣ ବନ୍ଦ ରଖିଥିଲେ। ଏହା ଥିଲା ସେମାନଙ୍କର ଆରାଧ୍ୟ ପୂଜା। ପୂଜା କମିଟିର ସଦସ୍ୟ କୀର୍ତ୍ତନ ମହାନା ,ଶ୍ରୀକାନ୍ତ ମାହାନା, ବିଭୂତି ଭୂଷଣ ଖଣ୍ଡା , କୁଞ୍ଜ ବିହାରୀ ଖଣ୍ଡା, ଅଭିମନ୍ୟୁ ଗଙ୍ଗାଇ ,ଜୟ ପ୍ରକାଶ ଖଣ୍ଡା, ଜୟନାରାୟଣ ଖଣ୍ଡା, ସୁଧାଂଶୁ ମାହାନା, ଦେବାନନ୍ଦ ଖଣ୍ଡା, ସତ୍ୟଜିତ ଖଣ୍ଡା, ମନୋରଞ୍ଜନ ଖଣ୍ଡା, ଦୀପକ ଖଣ୍ଡା ପ୍ରମୁଖ ପୂଜା ପରିଚାଳନା ଦାୟିତ୍ଵ ତୁଲାଇଥିଲେ। ପଞ୍ଚୁରୁଖି ଗ୍ରାମବାସୀ ଙ୍କ ସହିତ କମିଟିର ସମସ୍ତ ସଦସ୍ୟ ପୂଜାରେ ସହଯୋଗ କରିଥିଲେ। କୈବର୍ତ୍ତ ପୂଣ୍ଣିମା ଅବସରରେ ଅନୁଷ୍ଠିତ ଲକ୍ଷ୍ମୀ ନାରାୟଣ ପୂଜାଟି କୈବର୍ତ୍ତ ସମ୍ପ୍ରଦାୟର ଏକ ବିଶେଷ ପୂଜା ଭାବରେ ଅବହମାନ କାଳରୁ ପ୍ରଚଳିତ ହୋଇ ଆସୁଥିବାରୁ ଚଳିତ ବର୍ଷ ଚୌଧୁରୀକୁଦ , ପଞ୍ଚୁରୁଖି ପଶ୍ଚିମ ସାହି, କାଳରୁଇ, ଜାମକୁଣ୍ଡା, ତାଳପଦା ଆଦି ବିଭିନ୍ନ ଗାଁ ଓ ସାହିମାନଙ୍କରେ ଲକ୍ଷ୍ମୀ ନାରାୟଣଙ୍କ ପୂଜାଅର୍ଚ୍ଚନା ବହୁଳ ଭାବରେ କରାଯାଉଥିବାର ଦେଖିବକୁ ମିଳିଛି ।