ନୂଆପଡାରେ ଓଡ଼ିଆ ପକ୍ଷରେ “ଆମ ରୁଚି ଆମ ଖାଦ୍ୟ ଦିବସ”: ପାରମ୍ପରିକ ପିଠାପଣାର ମହକ
ନୂଆପଡ଼ା, ୧୩/୦୪ ( ବନ ବିହାରି ମେହେର ) : ଓଡ଼ିଆ ପକ୍ଷ ପାଳନ ଅବସରରେ ନୂଆପଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ “ଆମ ରୁଚି ଆମ ଖାଦ୍ୟ ଦିବସ” ଭବ୍ୟ ଭାବେ ପାଳିତ ହୋଇଯାଇଛି। ଏହି ଅବସରରେ ପାରମ୍ପରିକ ଓଡ଼ିଆ ଖାଦ୍ୟର ଆକର୍ଷଣୀୟ ପ୍ରଦର୍ଶନୀ ସହ ବିଭିନ୍ନ ପ୍ରତିଯୋଗିତାମାନେ ଆୟୋଜିତ ହୋଇଥିଲା। ସ୍ଥାନୀୟ ମହିଳା ଓ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ବହୁ ସଂଖ୍ୟାରେ ଯୋଗଦେଇ ଏଣ୍ଡୁରି ପିଠା, ଆରିଷା ପିଠା, ମାଣ୍ଡିଆ ପିଠା, ପୋଡ଼ ପିଠା, ଦହିବରା, ମାଣ୍ଡିଆ ସରବତ ପରି ବିଭିନ୍ନ ସ୍ୱାଦିଷ୍ଟ ଓଡ଼ିଆ ଖାଦ୍ୟ ପ୍ରସ୍ତୁତ କରି ପ୍ରଦର୍ଶନ କରିଥିଲେ। ଏହା ଓଡ଼ିଆ ରନ୍ଧନ ଶୈଳୀର ସମୃଦ୍ଧ ପରମ୍ପରାକୁ ଉଜାଗର କରିଥିଲା। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ଜିଲ୍ଲା ପରିଷଦ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ କ୍ଷମାନିଧି ଭୋଇ, ବିଡିଓ ରୋହିତ ଭୋଇ ଓ ନୂଆପଡ଼ା ଏନଏସି ନିର୍ବାହୀ ଅଧିକାରୀ ସନ୍ଦୀପ କୁମାର ଚନ୍ଦ୍ରକାର ସହ ଅନ୍ୟାନ୍ୟ ଅତିଥିମାନେ ଉପସ୍ଥିତ ଥିଲେ। ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣକାରୀମାନେ ଉତ୍ସାହର ସହ ଯୋଗଦେଇ ନିଜ ଦକ୍ଷତା ପ୍ରଦର୍ଶନ କରିଥିଲେ। ପରେ ବିଜେତାମାନଙ୍କୁ ଓ ପିଠା ପ୍ରଦର୍ଶନରେ ଅଂଶଗ୍ରହଣକାରୀ ସମସ୍ତଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ସଭାକୁ ସମ୍ବୋଧନ କରି ଜିଲ୍ଲାପାଳ ମଧୁସୂଦନ ଦାଶ କହିଥିଲେ ଯେ, ଆମେ ଆଧୁନିକ ଖାଦ୍ୟ ପରିବର୍ତ୍ତେ ପାରମ୍ପରିକ ଓଡ଼ିଆ ଖାଦ୍ୟକୁ ଅଧିକ ଗ୍ରହଣ କରିବା ଉଚିତ। ଏହା କେବଳ ସ୍ୱାଦିଷ୍ଟ ନୁହେଁ, ବରଂ ସ୍ୱାସ୍ଥ୍ୟପ୍ରଦ ମଧ୍ୟ। ଆଗାମୀ ପିଢ଼ିକୁ ଏହାର ମହତ୍ତ୍ୱ ବିଷୟରେ ସଚେତନ କରିବାକୁ ସେ ଆହ୍ୱାନ କରିଥିଲେ। ଏପରି କାର୍ଯ୍ୟକ୍ରମ ଓଡ଼ିଆ ଖାଦ୍ୟ ପରମ୍ପରାକୁ ଉଜ୍ଜୀବିତ କରିବା ସହ ନୂତନ ପିଢ଼ିକୁ ନିଜ ସଂସ୍କୃତି ସହ ଯୋଡ଼ି ରଖିବାରେ ସହାୟକ ହେଉଛି ବୋଲି ସ୍ଥାନୀୟମାନେ ମତ ପ୍ରକାଶ କରିଥିଲେ। ଶେଷରେ ବ୍ଲକ ଉନ୍ନୟନ ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ