ନୂଆପଡାରେ ମତ୍ସ୍ୟ ବିଭାଗ ସମୀକ୍ଷା ବୈଠକ; ୪୮ଟି ପ୍ରସ୍ତାବକୁ ଅନୁମୋଦନ, ବ୍ଲୁ ଇକୋନୋମିର ଉନ୍ନତି ଉପରେ ଗୁରୁତ୍ୱ
ନୂଆପଡା, ୩୦/୦୪ ( ପରମେଶ୍ୱର ମେହେର ) : ନୂଆପଡା ଜିଲ୍ଲାରେ ମତ୍ସ୍ୟ ବିଭାଗର କାର୍ଯ୍ୟକଳାପକୁ ଆହୁରି ସୁଦୃଢ଼ କରିବା ଓ ଗ୍ରାମୀଣ ଜୀବିକାକୁ ଶକ୍ତିଶାଳୀ କରିବା ଲକ୍ଷ୍ୟରେ ଆଜି ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ କ୍ଷମନିଧି ଭୋଇ, ଡିପିସି (ମିଶନ ଶକ୍ତି) ସୁନୀଲ କୁମାର ମଲ୍ଲିକ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଅରୁଣ କୁମାର ସାହୁ ସହ ସମସ୍ତ ବ୍ଲକ୍ ସ୍ତରୀୟ ମତ୍ସ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକରେ ଜିଲ୍ଲାପାଳ ମତ୍ସ୍ୟ ବିଭାଗର ଯୋଜନାଗୁଡ଼ିକର ଲାଭ ଗ୍ରାମ ସ୍ତରକୁ ପହଞ୍ଚାଇବା ଉପରେ ଗୁରୁତ୍ୱ ଦେଇ କହିଥିଲେ ଯେ, ଏହା ମାଧ୍ୟମରେ ଜୀବିକା ସୁଦୃଢ଼ ହେବା ସହ ଜିଲ୍ଲାର ବ୍ଲୁ ଇକୋନୋମିକୁ ଉନ୍ନତ କରାଯାଇପାରିବ। ଏହି ବୈଠକରେ, ମତ୍ସ୍ୟ ବିଭାଗର ବିଭିନ୍ନ ଯୋଜନା ଅଧୀନରେ ମୋଟ ୪୮ଟି ପ୍ରସ୍ତାବକୁ କାର୍ଯ୍ୟାନ୍ବୟନ ପାଇଁ ଅନୁମୋଦନ ଦିଆଯାଇଥିଲା। ଯୋଜନା ଅନୁଯାୟୀ, ମତ୍ସ୍ୟ ପୋଖରୀ ଯୋଜନା MPY କମ୍ପୋନେଣ୍ଟ–I ଅଧୀନରେ ୩୩ଟି ନୂତନ ପୋଖରୀ ଖନନ, ମତ୍ସ୍ୟ ପୋଖରୀ ଯୋଜନା MPY କମ୍ପୋନେଣ୍ଟ–II ଅଧୀନରେ ୨ଟି ପୁରୁଣା ପୋଖରୀର ପୁନରୁଦ୍ଧାର ଓ ମତ୍ସ୍ୟଚାଷ, ବାୟୋଫ୍ଲକ୍ ପ୍ରଣାଳୀରେ ୬ଟି ମତ୍ସ୍ୟଚାଷ ପ୍ରକଳ୍ପ, ସିଡ୍ ଗ୍ରୋଅର ନେଟୱର୍କ ପାଇଁ ୨ଟି ପ୍ରସ୍ତାବ ଏବଂ ମତ୍ସ୍ୟ ଯନ୍ତ୍ରପାତି (ମାଛ ଜାଲ) ପାଇଁ ୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଗତ ବର୍ଷର କାର୍ଯ୍ୟଦକ୍ଷତା ଉପରେ ସନ୍ତୋଷ ପ୍ରକାଶ କରି ଜିଲ୍ଲାପାଳ ଅଧିକାରୀମାନଙ୍କୁ ସ୍ଥାୟୀ ଜୀବିକା ସୃଷ୍ଟି ଓ ଜିଲ୍ଲାରୁ ପ୍ରବାସ କମେଇବା ପାଇଁ ଆହୁରି ସକ୍ରିୟ ଭାବରେ କାମ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ କୋମନା ବ୍ଲକର ଦଗ୍ରେଶ୍ୱର ବାଗ ଏବଂ ଇନ୍ଦ୍ରଦେଇ ପିଏଫସିଏସ, ତିଖାଲିର ଅଧକ୍ଷ ତଥା ସଚିବଙ୍କୁ ମତ୍ସ୍ୟ ଆଧାରିତ ଜୀବିକା ଉନ୍ନୟନରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ କରାଯାଇଥିଲା।