ବ୍ଳକ ସ୍ତରୀୟ କର୍ମଶାଳା ଅନୁଷ୍ଠିତ
ରାୟଗଡ଼, ୧୯/୦୪ ( ଭି. ଗୌରି ଶଙ୍କର ରାଓ ) : ଜଳବାୟୁ ପରିବର୍ତ୍ତନର କୁପ୍ରଭାବ ନିମନ୍ତେ ଗ୍ରାମ ପଞ୍ଚାୟତ ସ୍ତରରେ ଦୀର୍ଘସ୍ଥାୟୀ ଯୋଜନା ପ୍ରସ୍ତୁତି ସମ୍ପର୍କିତ ବ୍ଳକ ସ୍ତରୀୟ କର୍ମଶାଳା ଶନିବାର ଅନୁଷ୍ଠିତ ହୋଇ ଯାଇଛି | ବ୍ଳକ ସଦଭାବନା ଗୃହରେ ଆୟୋଜିତ ଏହି କର୍ମଶାଳାକୁ ବିଡିଓ ସୁଜିତ କୁମାର ମିଶ୍ର ଉଦଘାଟନ କରିଥିଲେ | ରାଜ୍ୟ ସ୍ତରୀୟ ସମ୍ବଳ ବ୍ୟକ୍ତିତ୍ୱ ଶ୍ରୀଯୁକ୍ତ ତ୍ରିବିକ୍ରମ ରଥ, ଏବିଡିଓ କାଳୁଚରଣ ନାୟକ, ଜିପିଡିଓ ସ୍ମୃତିରେଖା ନାୟକ, ସମ୍ବଳ ଶିକ୍ଷକ ନୀଳାଞ୍ଚଳ ମିଶ୍ର ଓ ପେସା ସଂଯୋଜକ ଯୋଗେନ୍ଦ୍ର ନାୟକ ଏହି ତାଲିମ ପ୍ରଦାନ କରିଥିଲେ | ଜଙ୍ଗଲ ବିଭାଗ, ମହିଳା ଓ ଶିଶୁ ବିକାଶ, ନିର୍ବାଚିତ ପ୍ରତିନିଧି, ବନ ସୂରକ୍ଷା ସମିତି କର୍ମକର୍ତ୍ତା ଏଥିରେ ଅଂଶଗ୍ରହଣ କରିଥିଲେ | ଜଳବାୟୁ ପରିବର୍ତ୍ତନ ଯୋଗୁଁ ସମାଜରେ ଜୀବନ ଧାରଣ କଷ୍ଟକର ହୋଇପଡୁଛି | ଆମ ଜୀବନକାଳ ମଧ୍ୟରେ ପ୍ରକୃତି ନିଜର ରୂପ ଗୁଣରେ ଅନେକ ପରିବର୍ତ୍ତନ ଆଣିଛି | ସ୍ଥାନୀୟ ତଥା ବିଶ୍ଵ ସ୍ତରୀୟ ପାଣିପାଗ ଓ ଜଳବାୟୁରେ ସଙ୍କଟମୟ ସ୍ଥିତି ପରିଲକ୍ଷିତ ହେଉଛି | ବିକଶିତ ଜୀବନଧାରା ନାମରେ ମନୁଷ୍ୟ ଜୀବନଯାପନ ପ୍ରଣାଳୀ, ଖାଦ୍ୟପେୟ, ଚାଲି ଚଲଣ, ପରିବେଶ ଆଦିରେ ଅନେକ ଭୁଲ କରିଚାଲିଛି ଯାହାର କୁପ୍ରଭାବରେ ପରିବେଶ ଅସନ୍ତୁଳିତ ହେବାସହ ଜଳବାୟୁ ଉପରେ ପ୍ରତ୍ୟକ୍ଷ ପ୍ରଭାବ ପକାଉଛି, ଆଜି ଏକ ଦିର୍ଘସ୍ଥାୟୀ ଗ୍ରାମୀଣ ବିକାଶ କ୍ଷେତ୍ରରେ ଚିନ୍ତାର ଆବଶ୍ୟକତା ରହିଛି | ବିକାଶ ଧାରା ଏପରି ହେବା ଉଚିତ ଯାହା ସନ୍ତୁଳିତ କିନ୍ତୁ ପରିବେଶର ପରିପନ୍ଥୀ ହେବନାହିଁ , ବରଂ ଦୀର୍ଘ ସମୟଧରି ପରିବେଶକୁ ସୁରକ୍ଷିତ ରଖି, ମାନବ ସମାଜକୁ ଏକ ବିରାଟ ଧ୍ଵଂସରୁ ରକ୍ଷା କରିବା ସହ ସମାଜକୁ ବିକାଶରଧାରାରେ ଉନ୍ନତରୁ ଉନ୍ନତତର ଦିଗକୁ ଆଗେଇନେବାରେ ସହାୟକହେବ | ଏଣୁ , ଏକ ଦୀର୍ଘସ୍ଥାୟୀ ବିକାଶ କ୍ଷେତ୍ରରେ ଗ୍ରାମ ପଞ୍ଚାୟତର ଭୂମିକା ଗୁରୁତ୍ୱପୂର୍ଣ୍ଣ | ସମସ୍ତ ଯୋଜନା ଗ୍ରାମପଂଚାୟତ ସ୍ତରରେ ପ୍ରସ୍ତୁତ ହୋଇଥାଏ | ଏଣୁ ଅଞ୍ଚଳର ବିଭିନ୍ନ ବିଭାଗୀୟ ବାର୍ଷିକ ଯୋଜନା ଓ କାଯ୍ୟ ଖସଡ଼ା ପ୍ରସ୍ତୁତି ସମୟରେ ବିଭାଗୀୟ ଅଧିକାରୀ ଜନସାଧାରଣଙ୍କୁ ସଚେତନ କରିବାସହ ପରିବେଶ ଓ ଜଳବାୟୁ ଅନୁକୂଳ ପଦକ୍ଷେପମାନ ଅନ୍ତର୍ଭୁକ୍ତ କରିବା ଏହାର ଉଦ୍ଦେଶ୍ୟ ବୋଲି ବିଡିଓ ଶ୍ରୀଯୁକ୍ତ ମିଶ୍ର ପ୍ରକାଶ କରିଛନ୍ତି |