ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ HPV ଟୀକାକରଣ ଉଦ୍ଘାଟନ
ରାୟଗଡ଼ା, ୦୧/୦୩ ( ଭି. ଗୌରି ଶଙ୍କର ରାଓ ) : ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ HPV (ହ୍ୟୁମାନ ପାପିଲୋମା ଭାଇରସ) ଟୀକାକରଣ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ ଅନୁଷ୍ଠିତ ହୋଇଛି। ମହିଳାମାନଙ୍କୁ ସର୍ଭାଇକାଲ କ୍ୟାନ୍ସରରୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଏହି ଟୀକାକରଣ ଅଭିଯାନ ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାୟଗଡା ବିଧାୟକ ଆପଲସ୍ୱାମୀ କଦରକା ଓ ସାଂସଦ ସପ୍ତଗିରି ଉଲକା ଯୋଗଦେଇ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ। ସେମାନେ ଏହି ଟୀକାକରଣର ଗୁରୁତ୍ୱ ସମ୍ପର୍କରେ ମତ ପ୍ରକାଶ କରି ଯୁବତୀ ଓ କିଶୋରୀମାନଙ୍କୁ ଏହା ଗ୍ରହଣ କରିବାକୁ ଆହ୍ୱାନ ଜଣାଇଥିଲେ। ଏହି ଅବସରରେ CDMO ସରୋଜିନୀ ଦେବୀ ସହିତ ଜିଲ୍ଲାର ବିଭିନ୍ନ ମେଡିକାଲ କର୍ମଚାରୀ ଓ ସ୍ୱାସ୍ଥ୍ୟ କର୍ମୀମାନେ ଉପସ୍ଥିତ ଥିଲେ। ପ୍ରଥମ ଦିନରେ ପାଞ୍ଚ ଜଣଙ୍କୁ HPV ଟୀକା ପ୍ରଦାନ କରାଯାଇଥିଲା। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଗାମୀ ଦିନରେ ଏହି ଟୀକାକରଣକୁ ବ୍ୟାପକ କରାଯିବା ସହ ଅଧିକ ଲୋକଙ୍କୁ ସଚେତନ କରାଯିବ ବୋଲି ସୂଚନା ମିଳିଛି।