ଟିକାବାଲି, ୦୯/୦୩ ( ବାଳକୃଷ୍ଣ କହଁର ) : କନ୍ଧମାଳ ଜିଲ୍ଲା କୈବର୍ତ୍ତ କେଉଟ ସମାଜ (ପଞ୍ଜିକରଣ ସଂଖ୍ୟା-4333/0) ମଧ୍ୟରେ ସାଂଗଠନିକ ଅବ୍ୟବସ୍ଥା ଏବଂ ଆଇନଗତ ବିବାଦ ଚରମ ସୀମାରେ ପହଞ୍ଚିଛି। ସଂଗଠନର ସମ୍ବିଧାନକୁ ଅଣଦେଖା କରାଯାଇ ଅସାମ୍ବିଧାନିକ ଭାବେ କମିଟି ଗଠନ କରାଯାଉଥିବା ନେଇ ଜିଲ୍ଲା ସମ୍ପାଦକ ଶ୍ରୀ ସନ୍ତୋଷ କୁମାର ଦଳ ବେହେରା ଗୁରୁତର ଅଭିଯୋଗ ଆଣିଛନ୍ତି। ପଣସପଦର ସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ପ୍ରେସମିଟ୍ ରେ ସେ ସମାଜର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଗଣମାଧ୍ୟମ କୁ ଅବଗତ କରାଇଛନ୍ତି | ଶ୍ରୀ ଦଳବେହେରା ଙ୍କ ଅଭିଯୋଗ ଅନୁଯାୟୀ 2023 ମସିହା ସ୍ନାନ ପୂର୍ଣ୍ଣିମା ସମୟରେ ଟିକାବାଲି ବ୍ଲକର ଗୁମାଲ ମେଣ୍ଡିଠାରେ ଆୟୋଜିତ ଏକ ବୈଠକ କୁ ନେଇ ବିଭ୍ରାନ୍ତିକର ତଥ୍ୟ ପ୍ରଚାର କରାଯାଇଥିଲା। ଜିଲ୍ଲା ସଭାପତି ଶ୍ରୀ ନଟବର ନାୟକ ଙ୍କ ଅନୁମତି ନଥାଇ କିଛି ବ୍ୟକ୍ତିବିଶେଷ ମିଥ୍ୟା ସୂଚନା ଦେଇ ଲୋକଙ୍କୁ ଉତ୍ତ୍ୟକ୍ତ କରିଥିଲେ। ଏହି ଘଟଣା ପରଠାରୁ ସମାଜ ରେ ‘ବାଛନ୍ଦ’ ଭଳି କୁପ୍ରଥା ସୃଷ୍ଟି ହୋଇଛି ଯାହାଫଳରେ ସମାଜର ବିକାଶମୂଳକ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଏହି ବିବାଦରେ ପୂର୍ବରୁ କନ୍ଧମାଳ ଏସ.ପି. ଓ ଏସ.ଡି.ପି.ଓ ହସ୍ତକ୍ଷେପ କରି ସମାଧାନ ପାଇଁ ଖଜୁରୀପଡା ଓ ଟିକାବାଲି ପୋଲିସ କୁ ନିର୍ଦ୍ଦେଶ ଦେଇଥିଲେ। ଟିକାବାଲି ଥାନା ପକ୍ଷରୁ ସମାଧାନ ପାଇଁ ସମୟ ଦିଆଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଗତ 27/10/2025 ରେ ଶ୍ରୀ ବିପିନ ବିହାରୀ ସେଠି ଓ ଶ୍ରୀ ବିକ୍ରମ ସିଂ ଦଳବେହେରା ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ ହେଁ ତିନି ମାସ ବିତିଯିବା ପରେ ମଧ୍ୟ ସେମାନେ ନିଜ ଦାୟିତ୍ୱ ରୁ ଓହରି ଯାଉଥିବା ଶ୍ରୀ ଦଳବେହେରା ଅଭିଯୋଗ କରିଛନ୍ତି। ସମ୍ପାଦକ ଙ୍କ କହିବା ଅନୁଯାୟୀ, ସୋସାଇଟି ରେଜିଷ୍ଟ୍ରସନ ଆକ୍ଟ 1860 ଅନୁସାରେ ପୂର୍ବ କମିଟି ବିଧିବଦ୍ଧ ଭାବେ ନୂତନ କମିଟି କୁ ଦାୟିତ୍ୱ ହସ୍ତାନ୍ତର କରିବା କଥା କିନ୍ତୁ ସମ୍ବିଧାନ ବିରୋଧରେ ଯାଇ ଅସାମ୍ବିଧାନିକ କମିଟି ଗଠନ କରାଯାଉଛି। ଯେ ପର୍ଯ୍ୟନ୍ତ ସମାଧାନ କାରୀ ମାନେ ପୂର୍ଣ୍ଣକାଳୀନ ଦାୟିତ୍ୱ ଗ୍ରହଣ କରିନାହାନ୍ତି ସେପର୍ଯ୍ୟନ୍ତ ଜିଲ୍ଲା ସ୍ତରୀୟ ବୈଠକ ବା ‘ମହା ସମାଜ’କୁ ସ୍ଥଗିତ ରଖିବା ପାଇଁ ସେ ଦାବି କରିଛନ୍ତି। ସମାଜର ଶୃଙ୍ଖଳା ରକ୍ଷା ପାଇଁ ଏହି ସମସ୍ୟାର ତୁରନ୍ତ ସମାଧାନ ଜରୁରୀ ବୋଲି ସେ ମତ ପ୍ରକାଶ କରିଛନ୍ତି।
କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ
