Hot Posts

6/recent/ticker-posts

ନବପ୍ରଭାତ ବିଦ୍ୟାୟତନମ୍‌ର ଅଷ୍ଟମ ବାର୍ଷିକୋତ୍ସବ ଅନୁଷ୍ଠିତ।

ପଦ୍ମପୁର, ୨୧/୦୩ ( ଆଶିଷ କୁମାର ଭୋଇ ) : ପଦ୍ମପୁର ନିକଟସ୍ଥ ନୂଆଁପାଲି ଠାରେ ଅବସ୍ଥିତ ପ୍ରସିଦ୍ଧ ଶିକ୍ଷାନୁଷ୍ଠାନ ନବପ୍ରଭାତ ବିଦ୍ୟାୟତନମ୍‌ର ଅଷ୍ଟମ ବାର୍ଷିକୋତ୍ସବ ବିଶେଷ ଆଡମ୍ବର ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ଇଂରାଜୀ ମାଧ୍ୟମ ସହ ବୈଦିକ ରିତିନୀତିକୁ ଏକତ୍ର କରି ଛାତ୍ରଛାତ୍ରୀଙ୍କ ସମଗ୍ର ଉନ୍ନତି ପାଇଁ ଏହି ବିଦ୍ୟାଳୟ ଯେପରି ଶିକ୍ଷା ପ୍ରଦାନ କରୁଛି, ସେଥିପାଇଁ ଏହା ଅଞ୍ଚଳରେ ଏକ ନୂତନ ଦୃଷ୍ଟାନ୍ତ ସୃଷ୍ଟି କରିଛି। ଉତ୍ସବରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗୀର ମୁଖ୍ଯ ଚିକିତ୍ସାଳୟ ଇଏନଟି ବିଭାଗର ପ୍ରସିଦ୍ଧ ଡାକ୍ତର ଯଦୁମଣି ନାଏକ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସ୍ୱାସ୍ଥ୍ୟ ସଚେତନତା ଓ ନିୟମିତ ଜୀବନଶୈଳୀର ଗୁରୁତ୍ୱ ବିଷୟରେ ଅଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ସର୍ଗିବାହାଲ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ତେଜରାଜ ସାହୁ ଉପସ୍ଥିତ ରହି ଶିକ୍ଷାରେ ଶୃଙ୍ଖଳା ଓ ନୀତିମୂଲ୍ୟର ଆବଶ୍ୟକତା ଉଲ୍ଲେଖ କରିଥିଲେ। ମୁଖ୍ୟ ବକ୍ତା ଭାବେ ବୁଦ୍ଧଦେବ ମହାବିଦ୍ୟାଳୟର ପ୍ରଧ୍ୟାପକ ସୁଶାନ୍ତ କୁମାର ମିଶ୍ର ଆଧୁନିକ ଶିକ୍ଷା ସହ ପାରମ୍ପରିକ ଜ୍ଞାନର ସମନ୍ୱୟ ଉପରେ ଭାଷଣ ଦେଇଥିଲେ। ଏହାସହ ଗୁରୁକୁଳ ନବପ୍ରଭାତ ଆଶ୍ରମର ପ୍ରଧାନ ଆଚାର୍ଯ୍ୟ ବୃହସ୍ପତି ଶାସ୍ତ୍ରୀ ବୈଦିକ ସଂସ୍କୃତିର ମହତ୍ତ୍ୱ ଓ ଚରିତ୍ର ଗଠନରେ ତାହାର ଭୂମିକା ବିଷୟରେ ଉଦ୍ବୋଧନ ରଖିଥିଲେ। “ଉଦ-ୟାନମ୍” ର ବାର୍ତ୍ତାକୁ ଆଧାର କରି ଏକ ବିଶେଷ ବୈଠକ ଆୟୋଜିତ ହୋଇଥିଲା, ଯେଉଁଥିରେ ଛାତ୍ରଛାତ୍ରୀଙ୍କ ସମଗ୍ର ବିକାଶ, ନୈତିକ ଶିକ୍ଷା ଓ ସାମାଜିକ ଦାୟିତ୍ୱ ବିଷୟରେ ଆଲୋଚନା ହୋଇଥିଲା। ଅତିଥିମାନେ ଛାତ୍ରଛାତ୍ରୀଙ୍କୁ କେବଳ ପାଠ୍ୟଜ୍ଞାନରେ ସୀମିତ ନ ରହି ସୁଶିଳ, ସମ୍ବେଦନଶୀଳ ଓ ପ୍ରତିଭାଶାଳୀ ନାଗରିକ ହେବା ପାଇଁ ପ୍ରେରିତ କରିଥିଲେ। ଉତ୍ସବର ଅନ୍ୟତମ ଆକର୍ଷଣ ଥିଲା କୃତି ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯିବା। ଶିକ୍ଷା, କ୍ରୀଡା ଓ ସାଂସ୍କୃତିକ କ୍ଷେତ୍ରରେ କୃତିତ୍ୱ ଦେଖାଇଥିବା ଛାତ୍ରଛାତ୍ରୀମାନେ ଅତିଥିମାନଙ୍କ ହାତରେ ପୁରସ୍କାର ଗ୍ରହଣ କରିଥିଲେ, ଯାହା ଅନ୍ୟମାନଙ୍କ ପାଇଁ ପ୍ରେରଣା ହୋଇଥିଲା। ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ନୃତ୍ୟ, ସଙ୍ଗୀତ, ନାଟକ ପରିବେଷଣ ହୋଇଥିଲା। ଏହି କାର୍ଯ୍ୟକ୍ରମ ଗୁଡ଼ିକ ଉପସ୍ଥିତ ଦର୍ଶକ ମାନଙ୍କ ମନକୁ ଆକର୍ଷିତ କରିଥିବା ସହ ଉତ୍ସବକୁ ସ୍ମରଣୀୟ କରିଦେଇଥିଲା। ଅଭିଭାବକ ଓ ସ୍ଥାନୀୟ ବାସିନ୍ଦାମାନେ ମଧ୍ୟ ବଡ଼ ସଂଖ୍ୟାରେ ଯୋଗଦେଇ ଉତ୍ସବକୁ ସଫଳ କରିଥିଲେ।



ବରଗଡ ଜିଲ୍ଲା ରୁ ଆଶିଷ କୁମାର ଭୋଇ ଙ୍କ ରିପୋର୍ଟ