ଆକାଶବାଣୀ ବଞ୍ଚାଅ, ସଂସ୍କୃତି ବଞ୍ଚାଅ ଦାବିରେ ଆକାଶବାଣୀ ଜୟପୁର ସମ୍ମୁଖରେ ସର୍ବଦଳୀୟ ସତ୍ୟାଗ୍ରହ।
ଜୟପୁର, ୧୦/୦୩ ( ଏ. ଭେଙ୍କଟ ରାଓ ) : ଆକାଶବାଣୀର ପ୍ରୋଗ୍ରାମ୍ କ୍ୟାଡର୍ କର୍ମଚାରୀଙ୍କ ପ୍ରତି ହେଉଥିବା ବୈଷମ୍ୟମୂଳକ ବ୍ୟବହାର ଓ ପ୍ରସାର ଭାରତୀରେ ବୃଦ୍ଧି ପାଉଥିବା ପ୍ରଶାସନିକ ଅସନ୍ତୁଳନକୁ ବିରୋଧ କରି ଦଣ୍ଡକାରଣ୍ୟ ବିକାଶ ମହାମଞ୍ଚର ଆହ୍ବାନ କ୍ରମେ ସେଭ୍ ଅଲ୍ ଇଣ୍ଡିଆ ରେଡିଓ ସେଭ୍ କଲ୍ଚର ଦାବିରେ ଆକାଶବାଣୀ ଜୟପୁର ଓଡିଶା କେନ୍ଦ୍ର ସମ୍ମୁଖରେ ଏକ ସର୍ବଦଳୀୟ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଯାଇଛି। ଆନ୍ଦୋଳନକାରୀ ମାନଙ୍କ ମତାନୁସାରେ ୨୦୧୪ ମସିହାରେ ସମ ପିତ୍ରୋଦାଙ୍କ ଅଧ୍ୟକ୍ଷତାରେ ଗଠିତ ପ୍ରସାର ଭାରତୀ ବିଷୟକ ନିପୁଣ କମିଟି ତାଙ୍କ ରିପୋର୍ଟରେ ସ୍ପଷ୍ଟ କରିଥିଲେ ଯେ ପ୍ରସାର ଭାରତୀରେ କେବଳ ୧୮.୭ ଶତାଂଶ କର୍ମଚାରୀ ପ୍ରୋଗ୍ରାମିଂ ଭଳି ମୂଳ କାର୍ଯ୍ୟରେ ନିୟୋଜିତ ଥିବାବେଳେ ୪୪.୪ ଶତାଂଶ କର୍ମଚାରୀ ଇଞ୍ଜିନିୟରିଂ ବିଭାଗରେ ରହିଛନ୍ତି। ଏହି ଅସନ୍ତୁଳନକୁ ସୁଧାରିବା ପାଇଁ କମିଟି ପ୍ରୋଗ୍ରାମ୍ ବିଭାଗକୁ ଅଧିକ ଗୁରୁତ୍ୱ ଦେଇ ମାନବ ସମ୍ପଦ ପୁନର୍ଗଠନ କରିବାକୁ ସୁପାରିଶ କରିଥିଲା। ପରେ ଏର୍ନଷ୍ଟ ଏଣ୍ଡ୍ ଯଙ୍ଗ ମ୍ୟାନପାୱାର ଅଡିଟ୍ ରିପୋର୍ଟ ମଧ୍ୟ ପ୍ରୋଗ୍ରାମ୍ ଓ କଣ୍ଟେଣ୍ଟ ସୃଷ୍ଟି ସମ୍ବନ୍ଧୀୟ ଖାଲି ପଦବୀ ଗୁଡ଼ିକୁ ଶୀଘ୍ର ପୂରଣ କରିବାକୁ ପରାମର୍ଶ ଦେଇଥିଲା । କିନ୍ତୁ ଏହି ସମସ୍ତ ସୁପାରିଶ ସତ୍ତ୍ୱେ ପ୍ରୋଗ୍ରାମ୍ କ୍ୟାଡରକୁ ଶକ୍ତିଶାଳୀ କରିବା ପରିବର୍ତ୍ତେ ଧୀରେ ଧୀରେ ଦୁର୍ବଳ କରାଯାଉଥିବା ଅଭିଯୋଗ ହୋଇଛି। ଆକାଶବାଣୀ ଜୟପୁର କେନ୍ଦ୍ରରେ ୩୮ଟି ଅନୁମୋଦିତ ପଦବୀ ଥିବା ସତ୍ତ୍ୱେ ସମଗ୍ର ପ୍ରୋଗ୍ରାମ୍ କାର୍ଯ୍ୟକ୍ରମ କେବଳ ଦୁଇ ଜଣ ଘୋଷକଙ୍କ ଦ୍ୱାରା ପରିଚାଳିତ ହେଉଥିବା କୁହାଯାଇଛି ଯାହା ଆକାଶବାଣୀର ପ୍ରସାରଣ ଗୁଣମାନ ଓ ଭବିଷ୍ୟତ ପାଇଁ ଗୁରୁତର ଚିନ୍ତାର କାରଣ ହୋଇଛି । ଆନ୍ଦୋଳନକାରୀ ମାନେ ଆହୁରି ଅଭିଯୋଗ କରିଥିଲେ ଯେ ପ୍ରୋଗ୍ରାମ୍ ବିଭାଗର ସମସ୍ତ ଶୀର୍ଷ ଓ ମଧ୍ୟମ ସ୍ତରର ପଦବୀ ବର୍ତ୍ତମାନ ଇଞ୍ଜିନିୟରିଂ କ୍ୟାଡର୍ ଅଧିକାରୀମାନଙ୍କ ଦଖଲରେ ଅଛି । ଯେଉଁମାନଙ୍କର ମୂଳ ନିଯୁକ୍ତି କେବଳ ବୈଷୟିକ କାର୍ଯ୍ୟ ପାଇଁ ଉଦ୍ଧିଷ୍ଟ ଥିଲା। ଫଳରେ ପ୍ରସାରଣର ମୂଳ ଅଂଶ ଥିବା କଣ୍ଟେଣ୍ଟ ସୃଷ୍ଟି ଦାୟିତ୍ୱ ସଂସ୍କୃତିକ ଓ ସୃଜନାତ୍ମକ କ୍ଷେତ୍ରର ଅଭିଜ୍ଞତା ନଥିବା ଅଧିକାରୀଙ୍କ ହାତକୁ ପ୍ରୋଗ୍ରାମ ବିଭାଗକୁ ଜଡରୁ ମୁଳଉତ୍ପାଟନ ଅଭିସନ୍ଧି ମୂଳକ ଲକ୍ଷ ନେଇଁ ଟେକି ଦିଆଯାଇଛି ।ସେମାନଙ୍କ ମତାନୁସାରେ ଇଞ୍ଜିନିୟରିଂ କ୍ୟାଡର୍ କର୍ମଚାରୀମାନେ ସମୟବଦ୍ଧ ପଦୋନ୍ନତି, ଆଡହକ୍ ସେବାର ନିୟମିତିକରଣ, ରିଭ୍ୟୁ ଡିପିସି, ନିୟମିତ ପଦୋନ୍ନତି ଓ ଅନ୍ୟାନ୍ୟ ସୁବିଧା ପାଉଥିବାବେଳେ ପ୍ରୋଗ୍ରାମ୍ କ୍ୟାଡର ର ଅନେକ କର୍ମଚାରୀ ଦଶକ ଦଶକ ଧରି ଏକା ପଦରେ ରହି ଅବସର ନେବାକୁ ବାଧ୍ୟ ହେଉଛନ୍ତି। ଏହା ସଂବିଧାନର ସମାନତା ନୀତିର ବିରୋଧାଭାସୀ ବୋଲି ସେମାନେ କହିଥିଲେ ।ଆନ୍ଦୋଳନକାରୀ ମାନେ କହିଥିଲେ ଯେ ବର୍ଷ ବର୍ଷ ଧରି ପ୍ରୋଗ୍ରାମ୍ ବିଭାଗକୁ ଅବହେଳା, ବିଭିନ୍ନ ପଦ ପଦବୀରେ ନୂତନ ନିଯୁକ୍ତି ବନ୍ଦ ରଖିବା ଏବଂ ଖାଲି ସ୍ଥାନ ସବୁ ପୂରଣ ନକରିବା ଯୋଗୁଁ ପ୍ରସାରଣର ଗୁଣମାନ ହ୍ରାସ ପାଇବା ସହ କେବଳଯେ ନୂତନ ଓ ଲୋକପ୍ରିୟ କାର୍ଯ୍ୟକ୍ରମ ପ୍ରସାରଣ ହେଇପାରୁନାହିଁ ତାନୁହଁ ଆକାଶବାଣୀ ଜୟପୁର ପରି ଅନ୍ୟ କେନ୍ଦ୍ରସବୁକୁ ବନ୍ଦ କରିଦେବାର ସମ୍ଭାବନା ମଧ୍ୟ ସୃଷ୍ଟି ହୋଇଛି । ଦେଶର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ସୁରକ୍ଷା ଦେବା ଦାୟିତ୍ୱ ନେଇଥିବା ଏକ ଜାତୀୟ ପ୍ରସାରକ କେବଳ ବୈଷୟିକ ପ୍ରଶାସନ ଉପରେ ନୁହେଁ, ବରଂ ପେଶାଦାର ପ୍ରୋଗ୍ରାମ୍ ନେତୃତ୍ୱ ଉପରେ ନିର୍ଭର କରିବା ଦରକାର ବୋଲି ସେମାନେ ମତ ପ୍ରକାଶ କରିଥିଲେ।ଏହି ପରିପ୍ରେକ୍ଷିରେ ପ୍ରସାର ଭାରତୀରେ କାର୍ଯ୍ୟକ୍ରମ ବିଭାଗର ଗୁରୁତ୍ବର ପୁନଃସ୍ଥାପନ, ପ୍ରୋଗ୍ରାମ୍ କ୍ୟାଡର୍ କର୍ମଚାରୀଙ୍କୁ ଇଞ୍ଜିନିୟରିଂ କ୍ୟାଡର୍ ପରି ସମସ୍ତ ସେବା ସୁବିଧା ପ୍ରଦାନ, ଖାଲିଥିବା ପ୍ରୋଗ୍ରାମ୍ ପଦବୀଗୁଡ଼ିକୁ ଶୀଘ୍ର ପୂରଣ କରିବା, କେନ୍ଦ୍ରରେଥିବା ଅନୁଭବୀ ସାମୟିକ ଘୋଷକ ଓ ଉପସ୍ଥାପକ ଉପସ୍ଥାପିକା ମାନଙ୍କୁ ଦୀର୍ଘମିୟାଦୀ ଚୁକ୍ତିଭିତ୍ତିକ ଭାବେ ନିଯୁକ୍ତ ଦେବାକୁ ଏବଂ ପ୍ରଶାସନିକଳ କ୍ଲଷ୍ଟର ଭବାନୀପାଟଣା ଅଧିନରୁ ଜୟପୁର ଅଧିନକୁ ଫେରାଇ ଆଣିବା ପାଇଁ ସେମାନେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଲିଖିତ ଏକ ଦାବି ପତ୍ର ଆକାଶବାଣୀ ଜୟପୁର କେନ୍ଦ୍ରର କେନ୍ଦ୍ର ମୁଖ୍ୟଙ୍କୁ ପ୍ରଦାନ କରିଥିଲେ।ଜୟପୁରର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରବିନାରାୟଣ ନନ୍ଦ ଏବଂ ଜୟପୁର ପୌର ସଂସ୍ଥାର ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି, ପୂର୍ବତନ ଉପାଧ୍ୟକ୍ଷ ମୁନା ସୂର୍ଯ୍ୟନାରାୟଣ ରଥଙ୍କ ନେତୃତ୍ବରେ ପରିଚାଳିତ ଏହି ସତ୍ୟାଗ୍ରହରେ ମହାମଞ୍ଚର ଆବାହକ ଗୌରଚନ୍ଦ୍ର ତ୍ରିପାଠୀ, ବରିଷ୍ଠ ସଦସ୍ୟ ସର୍ବଶ୍ରୀ ଧୀରେନ ପଟ୍ଟନାୟକ, ବିଜୟ କୁମାର ସାମନ୍ତରାୟ ,ଗୁପ୍ତେଶ୍ୱର ପାଣିଗ୍ରାହୀ, ସୁଶାନ୍ତ ଅଧିକାରୀ,ମନୋଜ କୁମାର ପାତ୍ର, ଈଶ୍ୱର ସରାଫ, ସରୋଜ ନାୟକ, ସୁଜାତା ଆଚାରୀ, ଯଗେନ୍ଦ୍ର ମହାପାତ୍ର, ଶିବ ପଟନାୟକ, ସତ୍ୟ ମିଶ୍ରଙ୍କ ସମେତ ଆକାଶବାଣୀ ଜୟପୁର କେନ୍ଦ୍ରର ଅନେକ କଳାକାର, ସାମୟିକ ଘୋଷକ, ଉପସ୍ଥାପକ ଉପସ୍ଥାପିକା ଏବଂ ଅବିଭକ୍ତ କୋରାପୁଟ ଅଞ୍ଚଳର ବିଭିନ୍ନ ସ୍ଥାନରୁ ଆସିଥିବା ସାଧାରଣ ନାଗରିକ ଓ ସାମାଜିକ କର୍ମୀମାନେ ଯୋଗଦେଇଥିଲେ । ଏହି ସତ୍ୟାଗ୍ରହ ମାଧ୍ୟମରେ ଆକାଶବାଣୀର ଭବିଷ୍ୟତ ଓ ଦେଶର ସାଂସ୍କୃତିକ ଐତିହ୍ୟକୁ ସୁରକ୍ଷା ଦେବା ପାଇଁ ଜାତୀୟ ସ୍ତରରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟ ଥିବା ଆୟୋଜକ ମାନେ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ଆହ୍ବାନ ଦେଇ ଶ୍ରୀ ନନ୍ଦ ଆପଣଙ୍କ ମନର କଥା ବହୁତ ଶୁଣିଲୁ ଏଥର ଆମ ମନର କଥା ଶୁଣନ୍ତୁ ବୋଲି କହିଥିବା ବେଳେ ଶ୍ରୀ ମହାନ୍ତି ଦାବି ପୂରଣ ନହେବା ଯାଏଁ ଏହି ଆନ୍ଦୋଳନ ଜାରି ରଖିବାର ଚେତାବନୀ ଦେଇଥିଲେ ।