ଶୁଷ୍କ ମରୁଭୁମିରେ ପୋଖରୀରେ ପାହାଚ ନିର୍ମାଣ କରି 3ଲକ୍ଷ 50ହଜାର ଟଙ୍କା ହରିଲୁଟ |
ଝରିଗାଁ, ୨୯/୦୩ (ନକୁଳ ଭତ୍ରା) : ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କା ପାଣିରେ ଫୋଫାଡି ଦେଉଥିବା ବେଳେ ବ୍ଲକ ପ୍ରଶାସନ ଅଧୀନରେ କାର୍ଯ୍ୟରତ କର୍ମଚାରୀ ଶୁଷ୍କ ପୋଖରୀରେ 3ଲକ୍ଷ 50ହଜାର ଟଙ୍କାର ପାହାଚ ନିର୍ମାଣ କରି ସରକାରୀ ଟଙ୍କା ହରିଲୁଟ କରୁଥିବା ଅଭିଯୋଗ ହେଉଛି |ଏଭଳି ଏକ ସାଙ୍ଘାତିକ ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚକଲାପଦର ପଂଚାୟତ ଅନ୍ତର୍ଗତ ଡୋକରୀକୋଟ ଗ୍ରାମରୁ |ଗ୍ରାମରେ ଏକ ପୁରତନ ପୋଖରୀ ରହିଥିବା ବେଳେ ଦୀର୍ଘ ବର୍ଷ ହେବ ପୋଖରୀ ଶୁଷ୍କ ରହୁଛି |ବର୍ଷା ଦିନ ମାନଙ୍କରେ ପୋଖରୀରେ ଅଳ୍ପ କିଛି ପାଣି ରହୁଥିବା ବେଳେ ଖରାଦିନ ତଥା ଅନ୍ୟ କୌଣସି ଋତୁରେ ପୋଖରୀରେ ବିଲକୁଲ ପାଣି ରହୁନାହିଁ |ବର୍ଷର ବାର ମାସ ଏହି ପୋଖରୀ ଶୁଷ୍କ ରହୁଛି |ହେଲେ ବ୍ଲକ ପ୍ରଶାସନର କିଛି ଲମ୍ପଟ ଅଧିକାରୀ ଓ କର୍ମଚାରୀ ଆର୍ଥିକ ବର୍ଷ 2025-26ରେ ପୋଖରୀରେ ପାହାଚ ନିର୍ମାଣ ପାଇଁ 3ଲକ୍ଷ 50ହଜାର ର ଏକ ବିଲ ପାରିତ କରି ସବୁଯାକ ଟଙ୍କା ହରିଲୁଟ କରିଥିବା କଥା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି |ଯେଉଁ ପୋଖରୀରେ ବର୍ଷା ଋତୁକୁ ଛାଡିଦେଲେ ଅନ୍ୟ ଋତୁରେ ଟୋପାଏ ବି ପାଣି ରହୁନାହିଁ, ସେ ପୋଖରୀରେ ଏତେ ଟଙ୍କା ଖର୍ଚ୍ଚ କରିବା କଣ ଆବଶ୍ୟକତା ଥିଲା ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି |ବର୍ତମାନ ସାଧାରଣରେ ଚର୍ଚ୍ଚା ଚାଲିଛି କି ପ୍ରଶାସନିକ ଅଧିକାରୀ ମାନେ ବିଶେଷ କରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଯେଉଁଠି ନିଜ ଫାଇଦା ଦେଖୁଛନ୍ତି, ସେଇଠି ସରକାରୀ ଟଙ୍କାକୁ ଲଗେଇ ପକେଟ ଗରମ କରୁଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି |ତେବେ ଯଦି ପ୍ରତି ବ୍ଲକରେ ଏଭଳି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଥାଆନ୍ତି ତେବେ ସେ ବ୍ଲକରେ କେମିତି ଓ କେତେ ଉନ୍ନତି ହେବ ତାହା ସ୍ପଟ ଦେଖାଯାଉଛି |ଜିଲ୍ଲା ପ୍ରଶାସନ ଏ ବିଷୟରେ ତଦନ୍ତ କରି ତାର ଉଚିତ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି |