ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସାମାଜିକ ସଦଭାବନା ବୈଠକ ଅନୁଷ୍ଠିତ। ଜାତିଭେଦ ଛାଡ଼ି ରାଷ୍ଟ୍ର ପାଇଁ ଏକତ୍ର ହେବା ସଂଘ ସହ ସରକାର୍ଯ୍ୟବାହ।
ଜୟପୁର, ୧୮/୦୨ ( ଏ. ଭେଙ୍କଟ ରାଓ ) : ସ୍ଥାନୀୟ ଅଗ୍ରସେନ୍ ଭବନର ସଭାଗୃହରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଆରଏସଏସ ଆନୁକୁଲ୍ୟରେ ଆୟୋଜିତ ସାମାଜିକ ସଦଭାବନା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜୟପୁର ନଗରର ପଚାଶରୁ ଉର୍ଦ୍ଧ୍ୱ ଜାତିଭିତ୍ତିକ ସମାଜର ପ୍ରବୀଣ ବ୍ୟକ୍ତିମାନେ ଯୋଗଦାନ କରି ସନାତନ ଧର୍ମର ସୁରକ୍ଷା ଓ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ସମସ୍ତେ ପ୍ରତିଶ୍ରୁତିବଦ୍ଧ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। ସଦଭାବନା ବୈଠକରେ ରାଷ୍ଠ୍ରୀୟ ସ୍ବୟଂ ସେବକ ସଂଘର ସହ ସର କାର୍ଯ୍ୟବାହ ଶ୍ରୀରାମ ଦତ୍ତ ଚକ୍ରଧରଜୀଙ୍କ ସମେତ କ୍ଷେତ୍ର ପ୍ରଚାରକ ଶ୍ରୀଜଗଦିଶ ଖାଡଙ୍ଗା, ପଶ୍ଚିମ ପ୍ରାନ୍ତ ସହପ୍ରାନ୍ତ ପ୍ରଚାରକ ଶ୍ରୀ ସୁରେନ୍ଦ୍ର ପଣ୍ଡା, ସହପ୍ରାନ୍ତ କାର୍ଯ୍ୟବାହ ଶ୍ରୀ ହରିଶ୍ଚନ୍ଦ୍ର ପରିଡ଼ା,ବିଭାଗ ପ୍ରଚାରକ ଶ୍ରୀ ମହେଶ୍ୱର ଭତ୍ରା, ଜିଲ୍ଳା ପ୍ରଚାରକ ଶ୍ରୀ ଚିଦାନନ୍ଦ ସତପଥୀ,ନଗର ସଂଘ ଚାଳକ ଡ଼ ନିରଞ୍ଜନ ମିଶ୍ର ପ୍ରମୁଖ ଯୋଗଦେଇଥିଲେ। ଭାରତମାତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଏବଂ ପ୍ରଦୀପ ପ୍ରଜ୍ଜ୍ୱଳନ ଓ ସ୍ବାଗତ ସଙ୍ଗୀତ ପରେ ଅତିଥି ପରିଚୟ ପରେ ଶ୍ରୀଚକ୍ରଧରଜୀ ସମବେତ ଜାତିମୁଖିଆ ମାନଙ୍କୁ ନିଜନିଜର ମତ ରଖିବାକୁ ଅନୁରୋଧ କରିଥିଲେ।ବିଭିନ୍ନ ଜାତିର ମୁଖ୍ୟମାନେ ନିଜ ସ୍ତରରେ ନିଜ ଜାତିପାଇଁ କେଉଁ ସବୁ ଉନ୍ନତିମୂଳକ କାର୍ଯ୍ୟ କରୁଛନ୍ତି କହିବା ସହ ଜାତିଭେଦ ଭୁଲି ସମସ୍ତେ ହିନ୍ଦୁତ୍ବନିଷ୍ଠ ହୋଇ ସନାତନ ଧର୍ମର ବିକାଶ ଓ ଭାରତମାତାର ଉନ୍ନତି ପାଇଁ ସଙ୍କଳ୍ପବଦ୍ଧ ହେବାକୁ ଆହ୍ବାନ ଦେଇଥିଲେ।ପରେ ପରେ ଶ୍ରୀଚକ୍ରଧରଜୀ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଆମେ ଏକାଠି ରହିଲେ କିଭଳି ଧର୍ମ ଓ ରାଷ୍ଟ୍ରୀୟ ବିକାଶ ସମ୍ଭବ ହୋଇପାରେ ସେ ସମ୍ପର୍କରେ ଆଲୋଚନା କରିବା ସହ ଦେଶର ଓ ବିଶ୍ବର ସାମଗ୍ରିକ ବିକାଶ ପାଇଁ ପଞ୍ଚ ପରିବର୍ତ୍ତନ ପାଇଁ କାମ କରିବାକୁ ଅନୁରୋଧ କରିଥିଲେ। ସ୍ୱଧର୍ମ,ସ୍ବଭାଷା, ସ୍ବସଂସ୍କୃତି ପାଇଁ ଗର୍ବ କରିବା ସହ ପରିବାର ବା କୁଟୁମ୍ବ ପ୍ରବୋଧନା, ସାମାଜିକ ସଦଭାବନା, ନାଗରିକ କର୍ତ୍ତବ୍ୟ ଓ ପରିବେଶ ସୁରକ୍ଷା ପାଇଁ ନିଜ ନିଜ ସ୍ତରରେ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ। ମଞ୍ଚରେ ଜିଲ୍ଲା ସାମାଜିକ ସଦଭାବନା ସଂଯୋଜକ ଶ୍ରୀ ଗଣେଶ ଆଚାର୍ଯ୍ୟ ଓ ନଗର ସଂଯୋଜକ ଶ୍ରୀ ରବିନ୍ଦ୍ର କୁମାର ମହାପାତ୍ର ଉପସ୍ଥିତ ଥିଲେ। ନଗର କାର୍ଯ୍ୟବାହ ଡ଼ ମନୋରଞ୍ଜନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। କଲ୍ୟାଣ ମନ୍ତ୍ରପରେ ସବୁ ସମାଜର ଲୋକମାନେ ମିଶି ପଂକ୍ତି ଭୋଜନ କରିଥିଲେ। ଜାତିଭେଦ ଭୁଲି ସମସ୍ତେ ଏକତ୍ରିତ ହେବା ଏହା ଜୟପୁରରେ ପ୍ରଥମ ଏବଂ ଏହାଦ୍ୱାରା ଜାତିକୁ ନେଇ ସମସ୍ତ ଭେଦଭାବ ଦୂର ହୋଇ ଏକ ସମାବେଶୀ ସମାଜ ଗଠନ ହୋଇପାରିବ ବୋଲି ଆବେଗର ସହ ବିଭିନ୍ନ ଜାତି ସମାଜର ମୁଖିଆମାନେ କହିଥିଲେ।