Hot Posts

6/recent/ticker-posts

ରାୟଗଡ଼ା ଜିଲ୍ଲାରେ ନକଲି ମାଓବାଦୀ ପୋଷ୍ଟର ମାମଲା: ଏସପିଙ୍କ ସାମ୍ବାଦିକ ସମ୍ମିଳନୀ, ୪ ଗିରଫ

ରାୟଗଡ଼ା, ୧୭/୦୨ ( ଭି. ଗୌରି ଶଙ୍କର ରାଓ ) : ରାୟଗଡ଼ା ଜିଲ୍ଲାରେ ନକଲି ମାଓବାଦୀ ପୋଷ୍ଟର ଘଟଣାକୁ ନେଇ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଏସ. ସ୍ବାତୀ କୁମାର୍ ଏକ ସାମ୍ବାଦିକ ସମ୍ମିଳନୀ କରି ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ପ୍ରକାଶ କରିଛନ୍ତି। ସେ କହିଥିଲେ ଯେ, କିଛି ଦିନ ପୂର୍ବରୁ ଜିଲ୍ଲାର କଲ୍ୟାଣସିଂହପୁର, ରାୟଗଡ଼ା ସହର ଓ ମୁନିଗୁଡା ଅଞ୍ଚଳରେ ଲାଗିଥିବା ମାଓବାଦୀ ପୋଷ୍ଟରଗୁଡ଼ିକ ସଂପୂର୍ଣ୍ଣ ଭାବେ ନକଲି ଥିଲା ଏବଂ ଏହା ପଛରେ କିଛି ଅସାମାଜିକ ତତ୍ତ୍ୱଙ୍କ ହାତ ରହିଥିବା ପ୍ରମାଣ ମିଳିଛି। ପୋଲିସର ବିଶେଷ ତଦନ୍ତ ପରେ ଏହି ଘଟଣାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ଆନୁବ୍ରତ ବରା, ବାଲି ମାଝି, ସିମାଞ୍ଚଲ କୁଟ୍ରିକା ଓ ଅପନା ମାନ୍ଦ୍ରିକଙ୍କୁ ଗିରଫ କରାଯାଇଛି। ପୋଲିସ କହିଛି ଯେ, ଏମାନେ ଲୋକମାନଙ୍କ ମନରେ ଭୟ ସୃଷ୍ଟି କରିବା ଓ ଅଞ୍ଚଳରେ ଅଶାନ୍ତି ପ୍ରସାର କରିବା ଉଦ୍ଦେଶ୍ୟରେ ଏହି ନକଲି ପୋଷ୍ଟର ଲଗାଇଥିଲେ। ଏସପି ଅଧିକ କହିଛନ୍ତି ଯେ, ଜିଲ୍ଲାରେ ମାଓବାଦୀ ସକ୍ରିୟତା ସମ୍ପର୍କରେ ଯେଉଁ ପ୍ରଚାର ହେଉଥିଲା, ତାହାର କୌଣସି ସତ୍ୟତା ନାହିଁ। ପୋଲିସ ପକ୍ଷରୁ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ସହ ଆଗାମୀ ଦିନରେ ଏପରି ଘଟଣା ଘଟାଇବାକୁ ଚେଷ୍ଟା କରୁଥିବା ଲୋକଙ୍କ ବିରୋଧରେ କଡା ଆଇନଗତ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ସେ ସଚେତନ କରିଛନ୍ତି।