ବରୀ ଅଞ୍ଚଳର ବେଆଇନ ବାଲି ଖାଦାନ ଉପରେ ଚଢ଼ଉ
ବରୀ, ୧୨/୦୨ ( ରଂଜିତ ମହାନ୍ତି ) : ବରୀ ତହସିଲ ଅଞ୍ଚଳରେ ଛତୁ ଫୁଟିଛି ବେଆଇନ ବାଲି ଖାଦାନ। ପୂର୍ବରୁ ଜିଲା ଖଣି ଉପ ନିର୍ଦ୍ଦେଶକ ଏହି ଖାଦାନ ଚଢ଼ଉ ପାଇଁ ଦାୟିତ୍ବ ନ୍ୟସ୍ତ ଥିବା ସମୟରେ ଯାଜପୁର ରୋଡ଼ ସ୍ଥିତ କାର୍ଯ୍ୟାଳୟରୁ ଆସି ଜିଲାର ସୀମାନ୍ତବର୍ତ୍ତି ବରୀ ତହସିଲ ଅଞ୍ଚଳରେ ଏହା ତଦାରଖ କରିବା ସମ୍ଭବ ହୋଇ ନଥିଲା। ଫଳରେ ବାଲି ମାଫିଆମାନେ ସକ୍ରିୟ ହୋଇ ଶହ ଶହ ବେଆଇନ ଖାଦାନ ତିଆରି କରିଥିଲେ। ମାତ୍ର ସରକାରଙ୍କ ପରିବର୍ତ୍ତିତ ନିୟମ ଅନୁଯାୟୀ ପୁନର୍ବାର ବାଲି ଖାଦାନ ତଦାରଖ ଦାୟିତ୍ବ ତହସିଲଦାରମାନଙ୍କ ଉପରେ ନ୍ୟସ୍ତ କରାଯାଇଛି। ଏହା ହେବା ପରେ ପରେ ବରୀ ତହସିଲ ପକ୍ଷରୁ ତହସିଲଦାର ଦୀପ୍ତିମୟୀ ବେହେରା ବେଆଇନ ଖାଦାନ ଉପରେ ବ୍ୟାପକ ଚଢଉ ଜାରି ରଖିଛନ୍ତି। ଏହି ତହସିଲ ଅଧୀନସ୍ଥ ରାମଚନ୍ଦ୍ରପୁର, ସ୍ବାଇଁ ଖଣ୍ଡ, ଇଶାଣ ପୁର, ମଧୁସୂଦନ ପୁର, ଭଅଁରା, ଉଦୟନାଥ ପୁର ପ୍ରଭୃତି ସ୍ଥାନ ମାନଙ୍କରେ ବେଆଇନ ଖାଦାନମାନ ଦିନ ରାତି ଚାଲିଛି। ବିଶେଷ କରି ସରକାରୀ ଛୁଟିଦିନମାନଙ୍କରେ ମେସିନ ସାହାଯ୍ୟରେ ମଧ୍ୟ ଏହି ହି ବାଲି ଉଠାଣ କରାଯାଉଛି । ଗୋଟିଏ ପଟରେ ନଦୀ ମାନଙ୍କରେ ଥିବା ବାଲି ଉତ୍ସ ଗୁଡିକୁ ପ୍ରଶାସନ ନିଲାମ ନକରିବା ଓ ଅନ୍ୟ ପଟରେ ବେଆଇନ ବାଲି ଯୋଗାଣ ବନ୍ଦ କରିବା ଯୋଗୁଁ ସରକାରୀ ଯୋଜନା ଯଥା ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଗ୍ରାମାଞ୍ଚଳରେ ଢଳେଇ ରାସ୍ତା ଓ ସରକାରୀ କୋଠାବାଡ଼ି କାର୍ଯ୍ୟରେ ବାଧା ଦେଖାଦେଉଛି । ନଦୀର ବିଭିନ୍ନ ବାଲି ଉତ୍ସ ଗୁଡିକ ନିଲାମ କରାଯାଇ ରାଜସ୍ବ ସଂଗ୍ରହ କରାଯିବା ସହ ସରକାରୀ ଯୋଜନା ଗୁଡିକ ତ୍ବରାନ୍ବିତ କରିବାରେ ସହଯୋଗ କରିବା ପାଇଁ ଜିଲାପାଳ ଯାଜପୁର ବରୀ ଉପରେ ସ୍ବତନ୍ତ୍ର ଭାବେ ନଜର ଦେବାକୁ ସାଧାରଣରେ ଦାବି ହେଉଛି।