Hot Posts

6/recent/ticker-posts

ଦଳପଡାରେ ଭକ୍ତିମୟ ପରିବେଶ: ଚବିଶ ପ୍ରହର ନାମଯଜ୍ଞ ପୂର୍ବରୁ ଭବ୍ୟ କଳସୀ ଯାତ୍ରା

ଖଜୁରୀପଡ଼ା, ୨୬/୨ (ଅଚ୍ୟୁତ ଜାନୀ) : କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଦଳପଡା ପଞ୍ଚାୟତରେ ପଞ୍ଚାୟତସ୍ତରୀୟ ଚବିଶ ପ୍ରହର ନାମଯଜ୍ଞ ଅବସରରେ ଆଜି ଭବ୍ୟ ଓ ଆନନ୍ଦମୟ ପରିବେଶରେ କଳସୀ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଗ୍ରାମ୍ୟ ପରିବେଶ ଭକ୍ତିରସରେ ଭିଜିଯାଇଥିବା ବେଳେ ଶଙ୍ଖ, ଘଣ୍ଟା ଓ ବାଜା ବାଦ୍ୟର ଧ୍ୱନୀ ସମଗ୍ର ଅଞ୍ଚଳକୁ ଆଧ୍ୟାତ୍ମିକ ମାହୋଲରେ ମୁଗ୍ଧ କରିଦେଇଥିଲା । ବୁଧବାର ଦିନ ଅପରାହ୍ନ ସମୟରେ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ଭକ୍ତଜନ ଏକତ୍ରିତ ହୋଇ ପାରମ୍ପରିକ ରୀତିନୀତି ଅନୁଯାୟୀ ବାଦେରୀ ପାଜୁ ଜଳାଶୟ ନିକଟକୁ ପ୍ରସ୍ଥାନ କରିଥିଲେ। ସେଠାରେ ପୂଜାର୍ଚ୍ଚନା ପରେ ପବିତ୍ର ଜଳ କଳସୀରେ ଉଠାଇ ଶୋଭାଯାତ୍ରା ମାଧ୍ୟମରେ କୁଞ୍ଜ ମଣ୍ଡପକୁ ଆଣାଯାଇଥିଲା। ମହିଳାମାନେ ମୁଣ୍ଡରେ କଳସୀ ବୋହି ଭକ୍ତିଗୀତ ଓ ହରିନାମ ସଙ୍କୀର୍ତ୍ତନରେ ମଗ୍ନ ହୋଇ ଯାତ୍ରାକୁ ଅଧିକ ଆକର୍ଷଣୀୟ କରିଥିଲେ। ପରେ ବିଧିବତ୍ ଭାବେ କଳସୀ ସ୍ଥାପନ କରାଯାଇ ନାମଯଜ୍ଞର ଶୁଭାରମ୍ଭ ହୋଇଥିଲା। କମିଟି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏହି ଚବିଶ ପ୍ରହର ନାମଯଜ୍ଞ ଆସନ୍ତା ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଅବିରତ ଭାବେ ଚାଲିବ। ଯଜ୍ଞ ପରିଚାଳନା କମିଟି ସଭାପତି ଶ୍ରୀମତୀ ପଦ୍ମିନୀ ମଲିକଙ୍କ ନେତୃତ୍ୱରେ ସମ୍ପାଦକ ଆଦିକନ୍ଦ କହଁର, ରମାକାନ୍ତ ମଲିକ,ଚକାଡୋଳା ଜାନୀ, ନଳୀତ କହଁର, ବଳରାମ ଦେହୁରୀ, ଜିତେନ୍ଦ୍ର ଦେହୁରୀ, ଅର୍ଜୁନ କହଁର, କମ୍ଭୁପାଣି ବେହେରା, ରାଜ କିଶୋର ବଗର୍ତ୍ତି, ଦୁଷ୍ମନ୍ତ ସାହୁ ସମେତ ଅନ୍ୟାନ୍ୟ ସଦସ୍ୟମାନେ ଯଜ୍ଞର ସୁଚାରୁ ପରିଚାଳନାରେ ସକ୍ରିୟ ଭୂମିକା ନିଭାଉଛନ୍ତି। ଏହି ଅବସରରେ ଅଞ୍ଚଳର ପ୍ରାୟ ୩୦୦ରୁ ଅଧିକ ବାପା, ମାଆ, ଗୁରୁଜନ, ଭାଇ-ଭଉଣୀମାନେ ଅଂଶଗ୍ରହଣ କରି ଗ୍ରାମ୍ୟ ଏକତା ଓ ଧାର୍ମିକ ଆସ୍ଥାର ଉଜ୍ଜ୍ୱଳ ଦୃଷ୍ଟାନ୍ତ ପ୍ରଦାନ କରିଥିଲେ। ସମଗ୍ର ଦଳପଡା ପଞ୍ଚାୟତ ଏବେ ଭକ୍ତିମୟ ପରିବେଶରେ ମହିମାମୟ ହୋଇଉଠିଛି।