Hot Posts

6/recent/ticker-posts

ନିଆଁ ଦାଉରୁ ଜଙ୍ଗଲ ସୁରକ୍ଷା ପାଇଁ ବନ ବିଭାଗର ସଚେତନତା ଆହ୍ୱାନ

ରାୟଗଡା, ୨୪/୦୨ ( ଭି. ଗୌରି ଶଙ୍କର ରାଓ ) : ଗ୍ରୀଷ୍ମ ଋତୁ ଆସିବା ସହିତ ଜଙ୍ଗଲରେ ନିଆଁ ଲାଗିବା ଘଟଣା ବୃଦ୍ଧି ପାଉଥିବାରୁ ଓଡ଼ିଶା ବନ ବିଭାଗ ପକ୍ଷରୁ ବନ ସୁରକ୍ଷା ସମିତି ଓ ସାଧାରଣ ଲୋକଙ୍କୁ ସଚେତନ କରାଯାଇଛି। ବନ ବିଭାଗ ସୂଚନା ଦେଇଛି ଯେ ଶିକାର, ପୋଡୁ ଚାଷ, ପର୍ବପର୍ବାଣି କିମ୍ବା ଅନ୍ୟ କୌଣସି କାରଣରେ ଜଙ୍ଗଲରେ ନିଆଁ ଲଗାଇବା ଗୁରୁତର ଅପରାଧ ଅଟେ ଏବଂ ଏହା ଜଙ୍ଗଲ ସମ୍ପଦ ସହିତ ବନ୍ୟଜନ୍ତୁଙ୍କ ପାଇଁ ଭୟାବହ ବିପଦ ସୃଷ୍ଟି କରେ। ବନ ବିଭାଗ ଲୋକମାନଙ୍କୁ ଅନୁରୋଧ କରିଛି ଯେ ମହୁଲ ସଂଗ୍ରହ କରିବା ସମୟରେ ଗଛ ମୂଳରେ ନିଆଁ ଲଗାଇବେ ନାହିଁ, ବରଂ ଝାଡୁ ଦ୍ୱାରା ସଫା କରି ସଂଗ୍ରହ କରନ୍ତୁ। ଏହାସହ ଜଙ୍ଗଲରେ କୌଣସି ସ୍ଥାନରେ ନିଆଁ ଦେଖିଲେ ଗାଁଲୋକ ମିଳିତ ଭାବେ ତାହାକୁ ନିଭାଇବା ସହ ବନ ବିଭାଗକୁ ସତ୍ବରା ସୂଚନା ଦେବାକୁ କୁହାଯାଇଛି। ବିଭାଗ ଆହୁରି ସଚେତନ କରିଛି ଯେ ଜଙ୍ଗଲରେ ଇଚ୍ଛାକୃତ ନିଆଁ ଲଗାଇବା ଆଇନଗତ ଅପରାଧ ଅଟେ। ଏହା ପାଇଁ ସର୍ବନିମ୍ନ ସାତ ବର୍ଷ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନା ହୋଇପାରେ। ଜଙ୍ଗଲ ପରିବେଶ, ବନ୍ୟଜନ୍ତୁ ଓ ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ବନ ବିଭାଗ କହିଛି।