Hot Posts

6/recent/ticker-posts

କର୍ଲାମୁଣ୍ଡା ରେ ନିର୍ମାଣ ସ୍ଥଳରେ ଶ୍ରମିକଙ୍କୁ ହତ୍ୟା, ଜଣକୁ ଗିରଫ କରିଛି ପୋଲିସ

କର୍ଲାମୁଣ୍ଡା, ୧୭/୦୧ (ସୁଶାନ୍ତ ରଣା) : କର୍ଲାମୁଣ୍ଡା ବ୍ଲକ୍ ରିଞ୍ଜା ପଞ୍ଚାୟତ ଟକାରୁମାଲ ବଜାର ପଡ଼ିଆ ନିକଟ ନିର୍ମାଣସ୍ଥଳରେ ଗୁରୁବାର ରାତିରେ ଜଣେ ଶ୍ରମିକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସୂଚନାନୁସାରେ, ଆର୍ଏମ୍‌ସି ପକ୍ଷରୁ ଠିକାଦାରଙ୍କ ଦ୍ବାରା ଟକାରୁମାଲଠାରେ ଧାନ ପିଣ୍ଡି ନିର୍ମାଣ କରାଯାଉଛି। ଏହି କାର୍ଯ୍ୟରେ ନିୟୋଜିତ ସୁବର୍ଣ୍ଣପୁର ଜିଲ୍ଲା ବିନିକା ରାମପୁର ଥାନା ତେଲିପାଲି ଗ୍ରାମର ଶ୍ରମିକ ରସିକ ଛତର (୪୦) ଓ ବରଗଡ଼ ଜିଲ୍ଲା ବରପାଲି ଥାନା ଖେମେରା ଗ୍ରାମର ରସିକ ଭୋଇ (୫୦) ଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ରସିକ ଭୋଇ ରସିକ ଛତରକୁ କାଠ ଫାଳିଆରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ରସିକଙ୍କ ମୃତ୍ୟୁ ହୋଇଥିଲା। ଏ ନେଇ ମୃତକଙ୍କ ଭିଣୋଇ ଦୟା ଘିଭେଲା କର୍ଲାମୁଣ୍ଡା ଫାଣ୍ଡିରେ ଅଭିଯୋଗ କରିଥିଲେ। ଫାଣ୍ଡି ଅଧିକାରୀ ଥବିର ବରିହା କର୍ଲାମୁଣ୍ଡା ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରିଥିଲେ। ଶୁକ୍ରବାର ଅପରାହ୍ଣରେ ଶବ ବ୍ୟବଚ୍ଛେଦ କରାଯାଇଥିଲା। ଖବର ପାଇବା ପରେ ସାଇଣ୍ଟିକଫିକ ଟିମ ସହ ମ.ରାମପୁର ଥାନାଅଧିକାରୀ ଚିତ୍ତରଞ୍ଜନ ପ୍ରଧାନୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ରସିକ ଭୋଇକୁ ଗିରଫ କରିଥିବା ବେଳେ ଶନିବାର କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ପ୍ରଧାନୀ ପ୍ରକାଶ କରିଛନ୍ତି।