ଚକ୍ଷୁଦାନ କରି ଉଦାହରଣ ସାଜିଲେ ଗଣେଶ ପରିବାର
ବରୀ, ୧୪/୦୧ ( ରଂଜିତ ମହାନ୍ତି ) : ଆଜିର ବିଜ୍ଞାନ ଯୁଗରେ ଅନ୍ଧବିଶ୍ୱାସ ଓ କୁସଂସ୍କାର ହାର ମାନିଛି।ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ବରୀ ବ୍ଲକ ଧାରପୁର ପଂଚାୟତ ଅଧିନସ୍ଥ ନାଥପୁର ଗ୍ରାମ ଗଣେଶ ଙ୍କ ପରିବାର କ୍ଷେତ୍ରରେ।ଏହି ଗ୍ରାମର ବୈଷ୍ଣବ ଚରଣ ଜେନା (୭୭)ହଠାତ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଚିକିତ୍ସା ନିମନ୍ତେ ପରିବାର ଲୋକେ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ।ମାତ୍ର ଦାୟିତ୍ବ ରେ ଥିବା ଡାକ୍ତର ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି ବୋଲି ଘୋଷଣା କରିଥିଲେ।ପରେ ସମାଜସେବୀ ରାଜନାରାୟଣ ଜେନା ଓ ସତ୍ୟ ରଂଜନ କରଙ୍କ ପରାମର୍ଶ କ୍ରମେ ସ୍ବର୍ଗତ ଜେନାଙ୍କ ବଡ ପୁଅ ଗଣେଶ ଓ ତାଙ୍କ ପରିବାରର ସଦସ୍ୟ ମାନେ ମୃତକଙ୍କ ଚକ୍ଷୁ ଦାନ କରିବା ପାଇଁ ସ୍ୱୀକୃତି ପ୍ରଦାନ କରିଥିଲେ।ପରବର୍ତ୍ତୀ ଅଵସ୍ଥାରେ ମୃତ ଶରୀର କୁ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରୁ କଟକ ବଡ଼ ମେଡ଼ିକାଲ କୁ ନିଆଯାଇ ମୃତକ ଶ୍ରୀ ଜେନାଙ୍କର ଚକ୍ଷୁ ସଂଗ୍ରହ କରାଯିବା ପରେ ମର ଶରୀର କୁ ପୁରୀ ସ୍ୱର୍ଗଦ୍ୱାର ଠାରେ ସତ୍କାର କରାଯାଇଥିଲା।ସ୍ବର୍ଗତ ଶ୍ରୀ ଜେନାଙ୍କ ବଡ ପୁଅ ଗଣେଶ ଜେନା,ବୋହୁ ଜ୍ୟୋତ୍ସ୍ନା ଜେନା,ଭାଇ ନୃସିଂହ ଜେନା,ପୁରସ୍ତମ ଜେନା,ଗୁରୁଚରଣ ଜେନା,ପଞ୍ଚାନନ ଜେନା ଙ୍କ ସମେତ ସମଗ୍ର ପରିବାରର ଏଭଳି ମହତ କାର୍ଯ୍ୟ ବରୀ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି।ମୃତ୍ୟୁ ପରେ ମଧ୍ୟ ଯେଉଁ ମହାନ ଆତ୍ମା ଙ୍କ ଚକ୍ଷୁ ଗ୍ରହଣ କରାଯାଇ ଏହା ଅନ୍ୟ ଜଣେ ଦୃଷ୍ଟି ହୀନ ବ୍ୟକ୍ତି ନ୍କ ଠାରେ ପ୍ରତିରୋପଣ କରାଗଲେ ସେ ଦୁନିଆର ଆଲୋକ ଦେଖିବା ସମ୍ଭବପର ହେବ ଓ ଏଭଳି କାର୍ଯ୍ୟ ରେ ଅନ୍ୟମାନେ ଅନୁପ୍ରାଣିତ ହୋଇ ମାନବିକତା ର ପରିଚୟ ଦେବା ଉଚିତ ବୋଲି ବଡ ପୁଅ ଗଣେଶ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି।ବିଶେଷ କରି ଯୁବ ସମାଜସେବୀ ସତ୍ୟ ରଂଜନ କର ଏବଂ ରାଜ ନାରାୟଣ ଜେନାଙ୍କ ସହଯୋଗ ପାଇଁ ସେମାନଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।