ଅବ୍ୟବସ୍ଥା ଅନିୟମିତତା ଓ ଶିକ୍ଷକ ଅଭାବ, ନାହିଁ ନାହିଁ ରେ ଚାଲିଛି ଚଟିଆଗୁଡ଼ା ଆଶ୍ରମ ବିଦ୍ୟାଳୟ
ସିନାପାଲି, ୦୯/୧୨ (ଶୋଭାରାମ ମହାନନ୍ଦ) : ଶିକ୍ଷା ହେଉଛି ମାନବ ଜୀବନର ଅସାର ଓ ସମ୍ବଲର ମୂଳମନ୍ତ୍ର। ଶିକ୍ଷା ବିନା ମାନବ ଜୀବନ ମୂଲ୍ୟହୀନ। ଶିକ୍ଷା ପ୍ରତ୍ୟେକ ଜୀବନର ମୂଲ୍ୟବୋଧକୁ ପ୍ରକାଶ କରେ। ବ୍ୟକ୍ତିର ବ୍ୟକ୍ତିତ୍ଵକୁ ନିର୍ମାଣ କରେ ଓ ମାନବ ଜାତିକୁ ଶ୍ରେଷ୍ଠତା ପ୍ରଦାନ କରେ। ବିଦ୍ୟା ଅଧ୍ୟୟନ ଦ୍ୱାରା ମଣିଷର ଅନ୍ତଃଚେତନା ଜାଗ୍ରତ ହୋଇଥାଏ। ତେଣୁ ବିଦ୍ୟା ଅଧ୍ୟୟନ ଏକାନ୍ତ ପ୍ରୟୋଜନ ଅଟେ। ବିଦ୍ୟା ବିଦ୍ୟାର୍ଥୀଙ୍କୁ ଅନ୍ଧାରରୁ ଆଲୋକକୁ ସଂକୀର୍ଣ୍ଣତାରୁ ବ୍ୟାପକତା ଆଡ଼କୁ ଅଗ୍ରସର କରାଏ। ଶିକ୍ଷା ଚରିତ୍ର ନିର୍ମାଣ ଓ ରାଷ୍ଟ୍ର ନିର୍ମାଣ କରେ। ଶିକ୍ଷା ଶୃଙ୍ଖଳା ଓ ଅନୁଶାସନ ସିଖାଏ। ଶିକ୍ଷା ବିନା ଜଣେ ମଣିଷର ବିଚାର ଶକ୍ତି ପରିମାର୍ଜିତ ହେବା ସହଜ ନୁହେଁ। ସୁସ୍ଥ ଓ ଶଶକ୍ତ ସମାଜ ଗଠନରେ ବିଚାର ଶକ୍ତି ସହିତ ବ୍ୟକ୍ତିର ଭୂମିକା କିଛି କମ୍ ନୁହେଁ। ଜଣେ ନିରକ୍ଷର ଓ ଅଶିକ୍ଷିତ ନାଗରିକ ରାଷ୍ଟ୍ର ର ବିକାଶ ଧାରାରେ ସାମିଲ ହେବା ଅସମ୍ଭବ। ତେଣୁ ସମସ୍ତେ ଶିକ୍ଷିତ ଓ ସାକ୍ଷର ହେବାର ଆବଶ୍ୟକ ରହିଛି। ଏହାକୁ ଦୃଷ୍ଟିରେ ରଖି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ଶିକ୍ଷାନୀତି ପ୍ରଣୟନ କରୁଛନ୍ତି। କିନ୍ତୁ ପରିଚାଳନା କ୍ଷେତ୍ରରେ ବ୍ୟାପକ ତ୍ରୁଟି ଯୋଗୁଁ ତାର ସୁଫଳ ଛାତ୍ର ଛାତ୍ରୀ ମାନଙ୍କ ପାଖରେ ପହଞ୍ଚି ପାରୁନାହିଁ। ଯତ୍ ଫଳରେ ଶିକ୍ଷାର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ଦିଗହରା ହୋଇ ବାଟବଣା ହେଉଥିବା ଏକ ଜ୍ଵଳନ୍ତ ଉଦାହରଣ ସାଜିଛି ଚଟିଆଗୁଡ଼ା ଆଶ୍ରମ ବିଦ୍ୟାଳୟ । ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଚଟିଆଗୁଡ଼ା ଏକ ଅନୁସୂଚିତ ଜାତି ଓ ଜନଜାତି ବହୁଳ ଗ୍ରାମ ଅଟେ। ଏହି ଗ୍ରାମରେ ୧୯୫୧ ମସିହାରେ ସ୍ଥାପିତ ହୁଏ ସେବା ଆଶ୍ରମ ବିଦ୍ୟାଳୟ। ପରବର୍ତ୍ତୀ ସମୟରେ ଶିକ୍ଷାର ବିକାଶ ସକାଶେ ଛାତ୍ର ଛାତ୍ରୀ ଆଶ୍ରମ ବିଦ୍ୟାଳୟ ଗଢ଼ିଉଠେ। ବର୍ତ୍ତମାନ ଏହି ବିଦ୍ୟାଳୟରେ ସର୍ବ ମୋଟ ୮ଟି ଶ୍ରେଣୀରେ ୨୮୨ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ନିୟମିତ ଶିକ୍ଷକ ୪ଜଣ ଓ ୨ଜଣ ଅତିଥି ଶିକ୍ଷକ ସହିତ ୬ଜଣ ଶିକ୍ଷାଦାନ କରୁଛନ୍ତି। ଏହା ଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢା ହୁଏ। ବର୍ତ୍ତମାନ୍ ସୁଦ୍ଧା ବିଦ୍ୟାଳୟରେ ବିଜ୍ଞାନ, ଗଣିତ, ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ନାହାଁନ୍ତି। ଶିକ୍ଷକ ନଥିବାରୁ ଏହି ବିଷୟ ଗୁଡ଼ିକର ଶିକ୍ଷକ ନଥିବାରୁ ଓ ଛାତ୍ର ଛାତ୍ରୀ ଙ୍କ ମୂଳଦୁଆ ଭୁଷୁଡି ଯାଇଛି। ଚତୁର୍ଥ ଶ୍ରେଣୀରେ ୩୦ଜଣ ଛାତ୍ର ଛାତ୍ରୀ ପାଠ ପଢୁଛନ୍ତି। ଏହି ଶ୍ରେଣୀରେ ଗଣିତ, ଇଂରାଜୀ, ପରିବେଶ ଓ ଭାଷା ବିଷୟ ପଢା ଯାଏ। କିନ୍ତୁ ୫ଜଣ ପିଲା ଗଣିତ ବହି, ୭ଜଣ ପିଲା ଇଂରାଜୀ ବହି, ୫ଜଣ ପିଲା ପରିବେଶ ଓ ୧୯ଜଣ ପିଲା ଭାଷା ବହି ପାଇ ନାହାଁନ୍ତି। ପଞ୍ଚମ ଶ୍ରେଣୀରେ ସେହିପରି ୯ଜଣ ପିଲା ଇଂରାଜୀ ବହି,୯ ଜଣ ପିଲା ପରିବେଶ ବହି ପାଇ ନାହାଁନ୍ତି। ତୃତୀୟ ଶ୍ରେଣୀରେ ସେହି ପରି ସର୍ବ ମୋଟ ୧୬ଜଣ ପିଲା ପଢୁଥିବା ବେଳେ ତନ୍ମଧ୍ୟରୁ ୪ଜଣ ଗଣିତ ବହି, ୩ଜଣ ଜଣାଅଜଣା ବହି ଓ ଜଣେ ଇଂରାଜୀ ବହି ପାଇ ନାହାଁନ୍ତି। ସେହିପରି ଷଷ୍ଠ ଶ୍ରେଣୀରେ ଇତିହାସ ବହି ୪ଜଣ ଓ ହିନ୍ଦୀ ବହି ୨ଜଣ ପାଇ ନାହାଁନ୍ତି। ସପ୍ତମ ଶ୍ରେଣୀରେ ସର୍ବମୋଟ ୪୮ଜଣ ଛାତ୍ର ଛାତ୍ରୀ ପଢୁଛନ୍ତି। ଏହି ଶ୍ରେଣୀରେ ଗଣିତ, ବିଜ୍ଞାନ, ସାହିତ୍ୟ, ଭୂଗୋଳ, ଇତିହାସ, ହିନ୍ଦୀ, ସଂସ୍କୃତ ବିଷୟ ଗୁଡ଼ିକ ପଢା ଯାଏ। କିନ୍ତୁ ବିଦ୍ୟାଳୟର ମୋଟ ଛାତ୍ର ଛାତ୍ରୀ ଓ ବିଷୟ ଗୁଡ଼ିକ ମଧ୍ୟରୁ ସାହିତ୍ୟ ବହି ୮ଜଣ, ଗଣିତ ବହି ୨ଜଣ, ଭୂଗୋଳ ବହି ୧ଜଣ, ଇତିହାସ ବହି ୨ଜଣ, ବିଜ୍ଞାନ ବହି ୧ ଜଣ , ହିନ୍ଦୀ ବହି ୨ଜଣ, ସଂସ୍କୃତ ବହି ୫ଜଣ ଓ ଇଂରାଜୀ ବହି ୧ଜଣ ପାଇ ନାହାଁନ୍ତି। ଅଷ୍ଟମ ଶ୍ରେଣୀରେ ଅଧ୍ୟୟନ କରୁଥିବା ୪୪ଜଣ ଛାତ୍ର ଛାତ୍ରୀ ଙ୍କ ମଧ୍ୟରୁ ୪ଜଣ ସଂସ୍କୃତ ବହି ପାଇ ନାହାଁନ୍ତି। ତଥ୍ୟ ଅନୁଯାୟୀ ଜଣା ପଡେ ଯେ ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ ଅନ୍ଧାରରେ। ଗୁରୁତ୍ଵ ପୂର୍ଣ୍ଣ ବିଷୟ ଗୁଡ଼ିକର ଶିକ୍ଷକ ନାହାଁନ୍ତି ଆଉ କେତୋଟି ମାସ ଗଲେ ଶିକ୍ଷା ବର୍ଷ ଶେଷ ହେବ। ବର୍ତ୍ତମାନ୍ ସୁଦ୍ଧା ଛାତ୍ର ଛାତ୍ରୀ ମାନେ ସମସ୍ତ ବିଷୟ ଗୁଡ଼ିକର ବହି ପାଇ ପାରି ନାହାନ୍ତି। ଶିକ୍ଷା ବର୍ଷ ଶେଷ ହୋଇ ଆସୁଥିବା ବେଳେ ଶିକ୍ଷକ ଅଭାବ ଓ ବହିର ଅଭାବ ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଉଥିବା ମନେ ହୁଏ। ଏହା କିପରି ଶିକ୍ଷାନୀତି ଅଭିଭାବକ ମହଲରେ ଶିକ୍ଷାନୀତିକୁ ନେଇ ଓ ତାର ଫଳା ଫଳକୁ ନେଇ ଚର୍ଚ୍ଚା ଜୋର ଧରିଛି। ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟତକୁ ନେଇ ଖେଳ ଖେଳା ଯାଉଛି। ଏ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଜନସାଧାରଣ । ସରକାର ପ୍ରତ୍ୟେକ ସରକାରୀ ବିଦ୍ୟାଳୟକୁ ବର୍ଷକୁ ୨ଖଣ୍ଡ ମାଗଣା ପୋଷାକ ଦେଉଛନ୍ତି। ବିଦ୍ୟାଳୟର କେତେକ ଛାତ୍ର ଛାତ୍ରୀ ବର୍ତ୍ତମାନ୍ ସୁଦ୍ଧା ୧ଖଣ୍ଡ ପୋଷାକ ପାଇଛନ୍ତି। ଅଷ୍ଟମ ଶ୍ରେଣୀରେ ୧୮ଜଣ ଛାତ୍ରୀ ପଢୁଛନ୍ତି। ତନ୍ମଧ୍ୟରୁ ୮ଜଣ ଛାତ୍ରୀଙ୍କୁ ବର୍ତ୍ତମାନ୍ ସୁଦ୍ଧା ଖଣ୍ଡେ ଲେଖାଏ ସ୍କୁଲ ପୋଷାକ ଦିଆଯାଇଥିବା ଏକ ଉଦାହରଣ ଅଟେ। ଏହିପରି ଅନ୍ୟ ଶ୍ରେଣୀରେ ପଢ଼ୁଥିବା ଛାତ୍ର ଛାତ୍ରୀ ମଧ୍ୟ ସ୍କୁଲ ପୋଷାକ ପାଇ ନଥିବା ଅଭିଯୋଗ କରିଛନ୍ତି। ସରକାର ପ୍ରତ୍ୟେକ ସରକାରୀ ବିଦ୍ୟାଳୟକୁ ମାଗଣା ବହି, ମାଗଣା ପୁଷ୍ଟିକର ଖାଦ୍ୟ, ମାଗଣା ସ୍କୁଲ ପୋଷାକ ଯୋଗାଉଛନ୍ତି। କିନ୍ତୁ ପ୍ରଶାସନର ଦାୟିତ୍ଵ ହୀନତା, ମନମୁଖୀ, ଉଦାସୀନତା ଓ ଖାମଖିଆଲି ମନୋଭାବ ଯୋଗୁଁ ଛାତ୍ର ଛାତ୍ରୀ ମାନେ ଅନେକ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି। କେଉଁଠି ଏହାର ବାଟ ମାରଣା ହେଇଛି ତଦନ୍ତ ସାପେକ୍ଷ ଅଟେ। ଏଣୁ ସରକାର ଏହି ଆଶ୍ରମ ବିଦ୍ୟାଳୟର ଅନିୟମିତତା ଓ ଅବ୍ୟବସ୍ଥା ଉପରେ ତୁରନ୍ତ ତଦନ୍ତ କରି ସୁବ୍ୟବସ୍ଥା ଓ ପଦକ୍ଷେପ ଗ୍ରହଣ କରିବାକୁ ଜନସାଧାରଣ ଏବଂ ଅଭିଭାବକ ଅଭିଭାବିକ ତରଫରୁ ଦାବି ହେଉଛି।