ନାଚ, ଗିତ, ହର୍ଷ ଉଲ୍ଲାସ ରେ ପାଳିତ ହେଲା ଶିକେରପାଟ୍ ମହୋତ୍ସବ ୨୦୨୫–୨୬
ବଲାଙ୍ଗୀର, ୩୦/୧୨ ( ମୁକୁନ୍ଦ ବାଗ ) : ଜିଲ୍ଲାର ଖଡ଼ଙ୍ଗା ଅଞ୍ଚଳର ସାଂସ୍କୃତିକ ପରମ୍ପରା, ଆଦିବାସୀ ଐତିହ୍ୟ ଓ ଲୋକକଳାର ଏକ ଗରିମାମୟ ପରିଚୟ ଭାବେ ପରିଚିତ ଶିକେରପାଟ୍ ମହୋତ୍ସବ ୨୦୨୫–୨୬ ଗୁଡଭେଲା ବ୍ଳକ ଅନ୍ତର୍ଗତ ଘୁନା ମହୋତ୍ସବ ପଡ଼ିଆରେ ପାଞ୍ଚ ଦିନ ଧରି ଆୟୋଜିତ ହୋଇ ସୋମବାର ବିଳମ୍ବିତ ରାତିରେ ଅତ୍ୟନ୍ତ ଭବ୍ୟ, ସଫଳ ଓ ସ୍ମରଣୀୟ ଭାବରେ ଉଦଯାପିତ ହୋଇଯାଇଛି। ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ଆୟୋଜିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ଘୁନା ମହୋତ୍ସବ ପଡ଼ିଆରେ ହଜାର ହଜାର ସଂସ୍କୃତିପ୍ରେମୀ ଦର୍ଶକଙ୍କ ଅଭୂତପୂର୍ବ ଭିଡ଼ ଦେଖିବାକୁ ମିଳିଥିଲା। ଘଞ୍ଚ ଜଙ୍ଗଲ ମଝିରେ ଶୀତୁଆ ରାତିରେ ଖୋଲା ଆକାଶ ତଳେ ବସି ରାତି ସାରା ଧରି ଆଦିବାସୀ ଓ ଲୋକସଂସ୍କୃତିର ନାଚ–ଗୀତର ଅନୁପମ ସମ୍ମିଳନ ଉପଭୋଗ କରିଥିଲେ ଦର୍ଶକମାନେ। ବିଶେଷତଃ ଘୁଡୁକା ନାଚର ଜୀବନ୍ତ ତାଳ, ଦଣ୍ଡ ନୃତ୍ୟର ଆତ୍ମିକ ଆବେଗ, ପାଇକ ଆଖଡାର ବୀରତା ଓ ଘୋଡାନାଚର ଚମତ୍କାର ପ୍ରଦର୍ଶନ ସମଗ୍ର ମହୋତ୍ସବ ପରିବେଶକୁ ଉତ୍ସବମୟ କରିଦେଇଥିଲା। ଢୋଲ, ମହୁରୀ ଓ ଘୁଡୁକାର ତାଳେ ତାଳେ ଦର୍ଶକ ଆପଣାକୁ ସମ୍ଭାଳିପାରିନଥିବା ଭାବେ ଝୁମିଉଠିଥିବା ବେଳେ, କେତେକ ସମୟରେ ଅତିଥି କଳାକାରମାନେ ମଧ୍ୟ ମଞ୍ଚରେ ନାଚି ଉଠି ଦର୍ଶକଙ୍କ ଆନନ୍ଦକୁ ଦୁଗୁଣା କରିଦେଇଥିଲେ। ମହୋତ୍ସବ କମିଟିର ସଭାପତି ରୋହିତ ମାଝୀଙ୍କ ସଭାପତିତ୍ୱରେ ଆୟୋଜିତ ସାଂସ୍କୃତିକ ସଭାରେ ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ଏପରି ମହୋତ୍ସବ ଆଦି ସଂସ୍କୃତି, ଲୋକକଳା ଓ ପାରମ୍ପରିକ ନୃତ୍ୟର ସୁରକ୍ଷା ସହ ପୁନର୍ଜୀବନର ଏକ ସଶକ୍ତ ମାଧ୍ୟମ। ଏହା ଆଞ୍ଚଳିକ କଳାକାରମାନଙ୍କ ପାଇଁ ନିଜ ପ୍ରତିଭା ପ୍ରଦର୍ଶନର ଏକ ବିଶାଳ ମଞ୍ଚ ସୃଷ୍ଟି କରୁଛି ବୋଲି ସେ ମତ ପ୍ରକାଶ କରିଥିଲେ। ଆଗାମୀ ଦିନରେ ମହୋତ୍ସବକୁ ଆହୁରି ଉନ୍ନତ, ବ୍ୟାପକ ଓ ଆକର୍ଷଣୀୟ ଭାବରେ ଆୟୋଜନ କରିବା ସହ ଅଞ୍ଚଳର ସାର୍ବିକ ବିକାଶ ପାଇଁ ପ୍ରୟାସ ଜାରି ରହିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ସମ୍ମାନିତ ଅତିଥି ଭାବେ କଣ୍ଟାମାଳର ପୂର୍ବ ବିଧାୟକ ମହିଧର ରଣା, ଦେଓଗାଁ ବ୍ଲକର ପୂର୍ବ ଉପାଧ୍ୟକ୍ଷ ଲକ୍ଷ୍ମଣ ମେହେର, ଜିଲ୍ଲା ପରିଷଦ ସଭ୍ୟ ରାମନିବାସ ଅଗ୍ରୱାଲ, ବରିଷ୍ଠ କଂଗ୍ରେସ ନେତା ବିରେନ୍ଦ୍ର ବାଗ, ସଇତଲା ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ଗମ୍ଭାରୀଗୁଡ଼ା ସମିତି ସଭ୍ୟ ରିନା କୁଶଳ ଓ ବିରାମୁଣ୍ଡା ସରପଞ୍ଚ ସଂଯୁକ୍ତା ପ୍ରଧାନ ପ୍ରମୁଖ ଯୋଗ ଦେଇ ସାଂସ୍କୃତିକ ଆନ୍ଦୋଳନକୁ ଆହୁରି ସଶକ୍ତ କରିବାର ଆହ୍ୱାନ ଦେଇଥିଲେ। ଲମ୍ବୋଦର ମନହିରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଭାଗବତ ନାହାକ ସଭାକୁ ସୁଚାରୁ, ସଂଯମପୂର୍ଣ୍ଣ ଓ ସୁନିୟୋଜିତ ଭାବେ ସଂଯୋଜନା କରିଥିଲେ। ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ଏବଂ ଭାରତ ସରକାରଙ୍କ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ରର ସହଯୋଗରେ ଆୟୋଜିତ ଏହି ମହୋତ୍ସବରେ ଓଡିଶୀ–ଉତ୍କଳ ଡ୍ୟାନ୍ସ ଓ ଗବେଷଣା କେନ୍ଦ୍ର, ଖୋର୍ଦ୍ଧା; ମହାବୀର ପାଇକ ଆଖଡା, ଖୋର୍ଦ୍ଧା; ସାହିଯାତ୍ରା ଘୋଡାନାଚ, ଢେଙ୍କାନାଳ; କୃଷ୍ଣପ୍ରିୟା କଳାପରିଷଦ, ତୁଷୁରା; ଶିକେରପାଟ୍ କଳାପରିଷଦ, ରହେନମାଳ; ମାଁ ତୁଳସୀ ଦଣ୍ଡ ନୃତ୍ୟ, ସୋନପୁର ସହ ଜିଲ୍ଲା ଓ ଜିଲ୍ଲା ବାହାରୁ ଆସିଥିବା ଅନେକ କଳାକାରମାନେ ନିଜ ନିଜ କଳାକୁ ଅତ୍ୟନ୍ତ ସଫଳତାର ସହ ପ୍ରଦର୍ଶନ କରିଥିଲେ। ସମଗ୍ର ସାଂସ୍କୃତିକ କାର୍ଯ୍ୟକ୍ରମକୁ ସୁଧୀର ନାଏକ ସୁନିୟୋଜିତ ଓ ଶୃଙ୍ଖଳାବଦ୍ଧ ଭାବେ ପରିଚାଳନା କରିଥିବା ବେଳେ ଅରୁଣ ହରପାଲ ଧନ୍ୟବାଦ ଅର୍ପଣ କରି ମହୋତ୍ସବର ସଫଳତା ପାଇଁ ସମସ୍ତଙ୍କ ସହଯୋଗ ପ୍ରତି ଗଭୀର କୃତଜ୍ଞତା ଜଣାଇଥିଲେ।