ଗାଁରେ ପହଞ୍ଚିଲା ଦାଦନ୍ ଶ୍ରମିକ ପର୍ଶୁରାମ ହଂସଙ୍କ ମୃତ ଶରୀର
କଳାହାଣ୍ଡି, ୦୨/୧୧ ( ବିଷ୍ଣୁ ଚରଣ ସ୍ୱାଇଁ ) : କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ, ଛାତି ପିଟି କାନ୍ଦୁଛି ସ୍ତ୍ରୀ, ଝୁରି ହେଉଛନ୍ତି ୨ ନାବାଳକ ବାଳିକା। କାହିଁକି ନାଁ ଦାଦନ ହୋଇ ଗୋଆ ଯାଇଥିବା ବାପା ଆଉ ଦୁନିଆରେ ନାହିଁ। ପୁଣି ସାମ୍ନାକୁ ଆସିଲା ଦାଦନ ଶ୍ରମିକଙ୍କ ଛାତିଥରା ଚିତ୍ର। ଗତ କିଛି ମାସ ମଧ୍ୟରେ କଳାହାଣ୍ଡି ଗୋଲାମୁଣ୍ଡା ବ୍ଳକରେ ଅନେକ ଶ୍ରମିକ ରାଜ୍ୟ ବାହାରେ ମୃତ୍ୟୁ ହୋଇଥିବାବେଳେ ୩୧.୧୦.୨୦୨୫ରେ ପୁଣି ମୃତ୍ୟୁ ବରଣ କରିଛନ୍ତି ଜଣେ ଦାଦନ ଶ୍ରମିକ। ମୃତ ଦାଦନ ଶ୍ରମିକ ଜଣକ ମାନଝରୀ ପଞ୍ଚାୟତ ତୁମୁରା ହଂସପଡାର ପର୍ଶୁରାମ ହଂସ। ସୂଚନା ଅନୁସାରେ, ଗତ ମାସେ ତଳେ ପର୍ଶୁରାମ ଗୋଆ ଯାଇ ଜନତା ସୋସାଇଟି ଡେମ୍ପୋ ବିଲ୍ଡର୍ସ ରେ ଶ୍ରମିକ ଭାବେ ନିୟୋଜିତ ହୋଇ କାମ କରୁଥିଲେ । ତେବେ ଗତ ୨୬ ତାରିଖରେ କାମ କରୁଥିବାବେଳେ ଗୋଡ ଖସିପଡ଼ିବାରୁ ଗୁରୁତର ଆହତ ହୋଇଥିଲେ ଓ ସେଠାକାର ଏକ ମେଡିକାଲରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ୩୧.୧୦.୨୦୨୫ ଅପରାହ୍ନ ୪.୪୦ ମିନିଟରେ ମୃତ୍ୟୁ ବରଣ କରିଥିଲେ। ପରିବାରର ଏକମାତ୍ର ରୋଜଗାରକ୍ଷମ ପର୍ଶୁରାମ ଙ୍କ ମୃତ୍ୟୁ ପରେ ପୁରା ପରିବାର ଦୁଃଖରେ ଭାଙ୍ଗିପଡିଥିବା ବାହୁନି ବାହୁନି କାନ୍ଦୁଛି ସ୍ତ୍ରୀ ଓ ପରିବାର। ଏହି ଅସହାୟ ପରିବାରକୁ ସହାୟତା ଯୋଗାଇ ଦେବା ପାଇଁ ଶ୍ରୀ ରୋମାଞ୍ଚଲ ତେଜି, କମଳାକାନ୍ତ ହଂସ ୱାର୍ଡ ସଭ୍ୟ, ଦିଗାମ୍ବର କଟା ଓ ମୁରଲୀ ଧର ସାହୁ ତଥା ଗ୍ରାମବାସି ଦାବି କରିଛନ୍ତି।ଖବର ପାଈ ଶ୍ରୀ ବିନ୍ଦୁ ମହାନନ୍ଦ ଅଧ୍ୟକ୍ଷ ଗୋଲାମୁଣ୍ଡା ବ୍ଲକ ଓ ମନୋଜ କୁମାର ମେହେର ଫୋନ ମାଧ୍ୟମରେ ଜିଲ୍ଲା ଶ୍ରମ କାର୍ଯ୍ୟଳୟ ସହିତ ଯୋଗାଯୋଗ କରି ମୃତ ଶରୀରକୁ ଆଣିବା ପାଇଁ ଅନୁରୋଧ କରିଥିଲେ। ଜନତା ସୋସାଇଟି ଡେମ୍ପୋ ବିଲ୍ଡର୍ସ ମର ଶରୀର କୁ ରାୟପୁର ପର୍ଯ୍ୟନ୍ତ ଉଡାଜାହାଜରେ ପଠେଇ ରାୟ ପୁର ରୁ ତୁମୁରା ପର୍ଯ୍ୟନ୍ତ ଆମ୍ବୁଲାନ୍ସ ଯୋଗେ ଘରକୁ ପଠେଇ ଥିଲେ। ଆଜି ଅପରାହ୍ନ ୩.୩୦ ରେ ମୃତ ଦେହ ଗାଁରେ ପହଞ୍ଚିବା ପରେ ଗାଁ ସମଶାନ ରେ ଅନ୍ତିମ ସଂସ୍କାର କରାଯାଇଥିଲl।
କଳାହାଣ୍ଡିରୁ ସ୍ୱତନ୍ତ୍ର ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁଙ୍କ ରିପୋର୍ଟ