ପବିତ୍ର ଗଜଲକ୍ଷ୍ମୀ ପୂଜା ଏବଂ କୁମାର ପୂର୍ଣ୍ଣିମାରେ କୁମାର ଉତ୍ସବ ପାଳିତ।
ଜୟପୁର, ୭/୧୦ ( ଏ. ଭେଙ୍କଟ ରାଓ ) : ଜୟପୁର ସହରରେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପବିତ୍ର ଗଜଲକ୍ଷ୍ମୀ ପୂଜା ଏବଂ କୁମାର ପୂର୍ଣ୍ଣିମା ଦିବସ ଅବସରରେ କୁମାର ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ କଳାକାର ମାନଙ୍କୁ ନେଇ ରାଜା ନଗର ଛକଠାରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜିତ ହୋଇଥିଲା। ଏଥିରେ ବିଧାୟକ ତାରାପ୍ରସାଦ ବାହିନୀପତି ମୁଖ୍ୟ ଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ। କୁମାର ପୂର୍ଣ୍ଣିମାର ମହତ୍ବ ବିଷୟରେ ଜାଣିବା ପାଇଁ ଏହି ଉତ୍ସବକୁ ଜୟପୁରର ବୁଦ୍ଧିଜୀବୀ ମାନେ ପ୍ରଥମେ ଆରମ୍ଭ କରିଥିଲେ। ହିନ୍ଦୁ ଧର୍ମରେ ଏହିଦିନ ମା’ ଲକ୍ଷ୍ମୀ ଦେବୀଙ୍କର ଆରାଧନା କରାଯାଉଥିବାରୁ ଏହାକୁ ଗଜଲକ୍ଷ୍ମୀ ପୂଜା ବା କୋଜାଗାର ଲକ୍ଷ୍ମୀ ପୂଜା ମଧ୍ୟ କୁହାଯାଏ । ଏହିଦିନ ଓଡ଼ିଶାବାସୀ ତୁଳସୀ ଚଉରା, ଗଜଲକ୍ଷ୍ମୀ, ଚନ୍ଦ୍ର, ସୂର୍ଯ୍ୟ ଓ କାର୍ତ୍ତିକଙ୍କର ପୂଜା ଆରାଧନା କରି ନିଜର ସୁଖ, ସୌଭାଗ୍ୟ, ଯଶ, ଧନ ଓ ପୌରୁଷ କାମନା କରିଥାନ୍ତି । ଓଡ଼ିଶାରେ ଏହି ପର୍ବ ସାଧାରଣତଃ କୁମାରୀ କନ୍ୟାମାନେ କାର୍ତ୍ତିକେୟଙ୍କ ଭଳି ସୁନ୍ଦର ଜୀବନସାଥୀ ପାଇବା ପାଇଁ କରିଥାନ୍ତି। ଜୟପୁର ରେ ଏହି ଗୌରବମୟ ପରମ୍ପରାକୁ ବଜାୟ ରଖିବା ପାଇଁ ଜୟପୁର ନାଗରିକ ମଞ୍ଚ ଏବଂ ସ୍ଥାନୀୟ ବିଧାୟକଙ୍କ ଅନେକ ଅବଦାନ ରହିଛି। ଆଜିର ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଜୟପୁର ଚେୟାରମେନ ନରେନ୍ଦ୍ର କୁମାର ମହାନ୍ତି,ବରିଷ୍ଠ ଓକିଲ ଦେବେନ୍ଦ୍ର ବାହିନୀପତି ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ଆକାଶବାଣୀର କଳାକାର ଅଶୋକ କୁମାର ମହାରଣା ମଞ୍ଚ ପରିଚାଳନା କରିଥିଲେ।