ଭରା ନଇଁକୂଳେ ବହିବସ୍ତାନି ଧରି ଘଣ୍ଟା ଘଣ୍ଟା ଠିଆ ହେଉଛନ୍ତି ଛାତ୍ରଛାତ୍ରୀ, ଭରା ନାଳକୁ ଦେଖି ସ୍କୁଲ ଯିବାକୁ ଭୟ। ନାଳ ଉପରେ ପୋଲ ନିର୍ମାଣ କରିବାକୁ ଅଞ୍ଚଳବାସୀଙ୍କ ଦାବି।
ଝରିଗାଁ, ୨୫ / ୦୯ (ଶେଖର ଖୁରା ) : ଉପାନ୍ତ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଗ୍ରାମାଞ୍ଚଳରେ ପିଲାଙ୍କ ପାଠ ପଢା ପ୍ରତି ଥିବା ଆଗ୍ରହ ଦେଖିଲେ ଖୁସି ଲାଗୁଛି। ଆଧୁନିକ ଯୁଗର ସମୟ ସ୍ରୋତରେ ବିଦ୍ୟା ଅର୍ଜନ କରି ସମାଜର ମୁଖ୍ୟ ସ୍ରୋତରେ ତାଳ ଦେଇ ଚାଲିବାକୁ ଜିଜ୍ଞାସା ରଖୁଥିବା ଅବିଭାବକ ଓ ଛାତ୍ରଛାତ୍ରୀ ଗମନାଗମନ ଭଳି ମୌଳିକ ସମସ୍ୟା ଲାଗି ଉତ୍ତମ ଶିକ୍ଷା ପାଇବାରୁ ବଞ୍ଚିତ ହେଉଥିବା ଦେଖିବାକୁ ମିଳୁଛି। ଗତ ଦୁଇ ଦିନର ଲଗାଣ ବର୍ଷା ଯୋଗୁଁ ନଦୀରେ ଛାତିଏ ପାଣି ସ୍ରୋତ ପ୍ରଖର ବେଗରେ ଯାଉଛି। ନଦୀ ଲଙ୍ଘିବା ହେଉଛି ବିପଦକୁ ନିମନ୍ତ୍ରଣ କରିବା। ଘରୁ ସଜବାଜ ହୋଇ ସ୍କୁଲ୍ ପୋଷାକ ପିନ୍ଧି ବହି ବସ୍ତାନି ଧରି ଛାତ୍ରଛାତ୍ରୀ ଭରା ନଇଁ କୂଳେ ଅଟକି ରହିଛନ୍ତି। ଏହି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଗୁଋଷିଙ୍ଗା ପଞ୍ଚାୟତ ଅଧୀନ ସୀମାନ୍ତ ଅଂଚଳରେ। ଭୌଗୋଳିକ ସ୍ଥିତି ଦୃଷ୍ଟିରୁ ବରାଗୁଡ଼ା ତେଙ୍ଗଡସିଲ୍ ଓ ଝରୀଆନାଳ ତିନିଖଣ୍ଡ ଗାଁ ଲୋକେ ଝରିଆ ନାଳ ନଦୀ ଯୋଗୁଁ ଯାତାୟତରେ ବର୍ଷା ଦିନ ଯମଯନ୍ତ୍ରଣା ଭୋଗୁଛନ୍ତି ତତ୍ ସହ ତେଲନଦୀ ପଞ୍ଚାୟତର ପ୍ଲଟ ସାହି ଓ ବିଷମ ପୁରିଆ ସାହି ସେହିପରି ଝରିଗାଁ ପଞ୍ଚାୟତର କାଣ୍ଡଶର ଓ ମଦାଙ୍ଗପଡ଼ା , ପେଟଫୁଲା ଆମାମୁଣ୍ଡା ଆଦି (ହାମଲେଟ୍) ଗ୍ରାମବାସୀ ନଦୀରେ ପୋଲ ନିର୍ମାଣ ହୋଇନଥିବାରୁ ପ୍ରତ୍ୟକ୍ଷ ଭାବେ ପ୍ରଭାବିତ ହେଉଛନ୍ତି। ବିଶେଷ କରି ଝରୀଆ ନାଲ୍,ବାରାଗୁଡ଼ା ଓ ତିଙ୍ଗେଡ ସିଲ୍ ଗାଁର ଛାତ୍ରଛାତ୍ରୀ ଶିକ୍ଷଲାଭ ପାଇଁ ଘର ଛାଡ଼ି ସମ୍ପର୍କୀୟ ଘରେ ରହି ପାଠ ପଡ଼ୁଛନ୍ତି।ପଞ୍ଚାୟତ ଚାଉଳ, ବାର୍ଦ୍ଧକ୍ୟ ଭତ୍ତା, ଶିକ୍ଷା, ସ୍ବାସ୍ଥ୍ୟ ଗୁରୁତର ରୋଗୀସେବା ଓ ବ୍ୟବସାୟ ସହ ବିଭିନ୍ନ ସରକାରୀ କାର୍ଯ୍ୟ ଯାନବାହନ ଚଳାଚଳ ସହ ବ୍ଲକ ସଦର ଏବଂ ଅନ୍ୟାନ ସ୍ଥାନକୁ ଯିବାକୁ ହେଲେ ଝରିଆ ନାଳ ନଦୀ ବାଟ ଓଗାଳୁଛି। ନଦୀ ପ୍ରତିବନ୍ଧକ ଥିବାରୁ ପଞ୍ଚାୟତ କାର୍ଯ୍ୟାଳୟ ଗୁଋଷୀଙ୍ଗାକୁ ଯିବାକୁ ହେଲେ ଝରିଗାଁ ମୁଖ୍ୟ ରାସ୍ତାରେ ଆସି ୧୬ କିମିରୁ ଉର୍ଦ୍ଧ ବାଟ ଆସିବାକୁ ପଡୁଛି |ଆଉ ଅନ୍ୟ ବାଟ ପ୍ରାୟ ୧୦ କିମି ଦୂର ପଡୁଛି | ଯାହାକି ନୂଆଁଗାଁ,ପେଟଫୁଲା ଗାଁ ଦେଇ ଝରିଗାଁ ଉମରକୋଟ ମୁଖ୍ୟ ରାସ୍ତା ଅବସ୍ଥିତ କୁସୁମୀ ଗାଁ ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟକୁ ସଂଯୋଗ କରୁଛି। କିନ୍ତୁ ବର୍ଷା ଦିନ ଗୁରୁତର ପରିସ୍ଥିତି ୫ କିମି ରାସ୍ତା କମ୍ ଦୂରତା ପଡ଼ୁଥିବା ରାସ୍ତା ମଧ୍ୟରେ ମାଲାଙ୍ଗପଡ଼ା, ଶରତପଡ଼ା ନଦୀ ପଡୁଥିବାରୁ ଦୁଇ ନଦୀ କୂଳିଆ ଗାଁକୁ ବେଳେ ବେଳେ ଯୋଗାଯୋଗ ବିଛିନ୍ନ ହେଉଛି। ଅଞ୍ଚଳବାସୀଙ୍କ କହିବା ପ୍ରକାରେ ଗାଁ ଗୁଡିକ ବସି ୫ ଦଶନ୍ଧି ରୁ ଉର୍ଦ୍ଧ ହେବ । ତଥାପି ପୋଲ ନିର୍ମାଣ ହୋଇପାରି ନାହିଁ। ଅଣ୍ଟାଏ ପାଣିରେ ବୁଡ଼ି ଲୋକେ ଯିବା ଆସିବା କରୁଥିବା ବେଳେ ଛାତିଏ ପାଣିରେ ପଶିବାକୁ ଭୟ କରୁଛନ୍ତି। ବାଇଁକା ଢ଼ୋଡ଼ି ଓ ହାତିବାଡ଼ି ଗ୍ରାମ ଠାରୁ ଦୁଇଟି ନାଳ ସ୍ରୋତ ବୋହି ଆମାମୁଣ୍ଡା ଓ ଝରିଆ ନାଲ ଗାଁ ନିକଟରେ ସଂଯୁକ୍ତ ହୋଇ ନଦୀରେ ପରିଣତ ହୋଇଛି। ବର୍ଷାଋତୁ ଆସିଲେ ନାନା ସମସ୍ୟାରେ ରହୁଛନ୍ତି ନଦୀ ଆରପାଖ ଝରିଆ ନାଲ, ବରା ଗୁଡ଼ା ଓ ତେଂଗଡ ସିଲ୍ ତିନିଖଣ୍ଡ ଗ୍ରାମର ପ୍ରାୟ ପଚାଶରୁ ଉର୍ଦ୍ଧ ପରିବାର। ନଦୀ ସ୍ରୋତ ଓ ପ୍ରଖର କମିଲେ ନଦୀ ପାର ହେବାକୁ ଅପେକ୍ଷା କରି ଛାତ୍ର ଛାତ୍ରୀଙ୍କ ସ୍କୁଲ ବେଳ ଗଡିଯାଉଛି। ପିଠିରେ ବହିବସ୍ତାନୀ ବୋଝ ଲଦି କୂଳରେ ଠିଆ ହୋଇ ନିରାଶ ଆଖିରେ ନଦୀ ଜଳକୁ ନିହାଁରୀ ଠିଆ ହୋଇଛନ୍ତି ସ୍କୁଲ ପିଲା । ଏହି ତିନୋଟି ଗାଁ ପାଇଁ ନଦୀ ବାଧକ ସୃଷ୍ଟି କରୁଥିବା ହେତୁ ପ୍ରାୟ ୯ କିମି ଦୂରବାଟ ତେଲନଦୀ ପଞ୍ଚାୟତ ସଦର ସ୍ଥିତ ହାଇସ୍କୁଲ ଯିବାକୁ ପଡୁଛି ତିନି ଛାତ୍ରଙ୍କୁ। ପ୍ରଥମ ରୁ ଅଷ୍ଟମ ପର୍ଯ୍ୟନ୍ତ ୫ କିମି ଦୂରରେ ରହିଛି ନୁଆଁ ଗାଁ ସ୍କୁଲ । ସେହିପରି ୪ କିମି ଦୂରରେ ପେଟଫୁଲା ଗାଁରେ ରହିଛି ପ୍ରଥମରୁ ପଞ୍ଚମ ଶ୍ରେଣୀ ସ୍କୁଲ । ପ୍ରାୟ ୧୦ ଜଣ ଶିଶୁ ପେଟ ଫୁଲା ସ୍କୁଲ ଯାଉଛନ୍ତି। ସେହିପରି ୪ କିମି ଦୂରତାରେ ରହିଛି ଅଙ୍ଗନୱାଡ଼ି କେନ୍ଦ୍ର ଯେଉଁଠି ପ୍ରାୟ ୧୦ ରୁ ଉର୍ଦ୍ଧ ପିଲା ଯାଉଥିବା ସୂଚନା ରହିଛି । ବର୍ଷାଦିନେ ଲଗାଣ ବର୍ଷାରେ ଗମନାଗମନ ଠପ ହୋଇଯାଇଛି। ଗ୍ରାମବାସୀଙ୍କ ପକ୍ଷରୁ ନଦୀରେ ପୋଲ ନିର୍ମାଣକୁ ନେଇ ପ୍ରଶାସନ ନିକଟରେ ଏକାଧିକଥର ଗୁହାରି କରି ଆସୁଥିଲେ ସୁଧା କିଛି ସୁଫଳ ମିଳି ନାହିଁ। ବ୍ଲକରେ ସଦ୍ୟ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିରରେ ଗ୍ରାମବାସୀ ଲିଖିତ ଦାବି ପ୍ରଦାନ କରିଥିବା ବେଳେ ଜିଲ୍ଲାପାଳ ଏହାର ସମାଧାନ ନେଇ ବିଭାଗୀୟ ଯନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। ଅନ୍ୟପକ୍ଷେ ଗ୍ରାମବାସୀଙ୍କ ଅଭିଯୋଗ ପ୍ରକାରେ ଦୀର୍ଘ ଦିନର ଦାବି ଏପର୍ଯ୍ୟନ୍ତ ପୁରାଣ ହୋଇପାରି ନାହିଁ। ଗତ ସରକାରଙ୍କ ଦୀର୍ଘ ୨୪ ବର୍ଷ ଶାସନ ମଧ୍ୟରେ ସାତ ବର୍ଷ ତଳେ ବିଜୁଳି ସେବା ଉପଲବ୍ଧ ହୋଇଥିଲା ଆଉ ପାନୀୟଜଳ ତିନୋଟି ଗାଁ ରେ ଗୋଟିଏ ଗୋଟିଏ ନଳକୂପ ରହିଛି।। ବର୍ତ୍ତମାନର ଡବଲ ଇଞ୍ଜିନ ସରକାରଙ୍କ ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରି ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ କଲେ ଏକାଧିକ ଗ୍ରାମର ଶତାଧିକ ଲୋକ ସମସ୍ୟାରୁ ମୁକ୍ତି ପାଇବେ। ଗ୍ରାମାଞ୍ଚଳର ବିକାଶରେ ରାଷ୍ଟ୍ରର ବିକାଶ,ଏହାକୁ ହୃଦବୋଧ କରି ସ୍ଥାନୀୟ ପ୍ରଶାସନ ତତ୍ପରତା ଦେଖାଇବାକୁ ଲୁକେ ସାଂତା,ମୁସୁରି ସାନ୍ତା , ସାରଦୁ ସାନ୍ତା, ବୀଣା ସାନ୍ତା , ବୁଟି ସାନ୍ତା , ସୀଙ୍ଗୁରୁ ସାନ୍ତା ,ରତନ ଗୌଡ଼,ପୁରୁନ୍ଦର ଗୌଡ଼,ନବୀନ ଗୌଡ଼,କୃଷ୍ଣ ଗୌଡ଼,ଶୋଭା ଗୌଡ଼,ଚୈତନ୍ୟ ଗୌଡ଼,ନନ୍ଦ ଗୌଡ଼ ପ୍ରମୁଖ ଦାବି କରିଛନ୍ତି।
ଜିଲ୍ଲା ପ୍ରତି ନିଧି ଶେଖର ଖୁରା ଙ୍କ ରିପୋର୍ଟ ନବରଙ୍ଗପୁର