ଓଡିଶା ଆଦିବାସୀ ମଞ୍ଚ ତରଫରୁ ବିଶ୍ଵ ଆଦିବାସୀ ଦିବସ ପାଳିତ ଓ ୧୨ ଦଫା ଦାବିପତ୍ର ପ୍ରଦାନ
ରାୟଗଡ଼ା, ୧୦ / ୦୮ ( ଭି. ଗୌରି ଶଙ୍କର ରାଓ ) : ରାୟଗଡ଼ା ଜିଲ୍ଳା ଗୁଣୁପୁର ଟାଉନ ହଲ ଠାରେ ଓଡିଶା ଆଦିବାସୀ ମଞ୍ଚ ତରଫରୁ ଆଦିବାସୀ ମହିଳା ନେତ୍ରୀ ବିଦୁଲତା ହୁଇକାଙ୍କ ନେତୃତ୍ୱରେ ବିଶ୍ଵ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ଆଦିବାସୀ ମହିଳା ନେତ୍ରୀ ତଥା ସମାଜସେବୀ ଶ୍ରୀମତୀ ବିଦୁଲତା ହୁଇକା ଆଦିବାସୀଙ୍କ ଉନ୍ନତି କ୍ଷେତ୍ରରେ ଅବଦାନ ଅବିସ୍ମରଣୀୟ। ଏହି ଅବସରରେ ସେ ଆଦିବାସୀଙ୍କ ଜୀବନଯାପନ ଶୈଳୀ ଉପରେ ଆଲୋକପାତ କରିବା ସହ ସେମାନଙ୍କର ବିଲୁପ୍ତ ହେବାକୁ ଥିବା ପରମ୍ପରା ଓ ସଂସ୍କୃତି କୁ ବଞ୍ଚାଇ ରଖିବାକୁ ପ୍ରୟାସ କରିବାକୁ ଉପଦେଶ ବାଢ଼ିଥିଲେ। ଏହି ଅବସରରେ ଶ୍ରୀମତୀ ହୁଇକା ଆଦିବାସୀକୁଳ ସମାଜରେ ବସବାସ କରୁଥିବା ସମସ୍ତ ଧର୍ମ ତଥା ସମ୍ପ୍ରଦାୟକୁ ସମ୍ମାନ ଦେବା ସହ ନିଜର ବିନମ୍ର ଓ ସରଳ ଭାବ ପାଇଁ ସର୍ବଦା ପରିଚିତ ବୋଲି ନିଜର ବକ୍ତବ୍ୟରେ କହିଥିଲେ। ବର୍ତ୍ତମାନ ସମାଜରେ ଆଦିବାସୀ ସଂପ୍ରଦାୟର ଜନଜାତି ଆଜି ସମାଜରେ ସବୁ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇବାରେ ସକ୍ଷମ ହୋଇଛନ୍ତି । ଏହି ଅବସରରେ ଜିଲ୍ଲାର ସମସ୍ତ ବ୍ଳକର ବହୁ ଆଦିବାସୀ ନେତା ତଥା ବୁଦ୍ଧିଜିବୀ ଓ ସମାଜସେବୀ ଯୋଗ ଦେଇ ନିଜ ନିଜ ଅଞ୍ଚଳର ସମସ୍ୟା ସହ ସଫଳତା ବିଷୟକୁ ନେଇ ଉପସ୍ଥାପନ କରିଥିଲେ। ଏହା ସହ ଆଦିବାସୀ ପରମ୍ପରା ଓ ସଂସ୍କୃତିର ନୃତ୍ୟ, ଗୀତ ପରିବେଷଣ କରି ମନୋରଞ୍ଜନ କରିଥିଲେ। ବହୁ ବୁଦ୍ଧିଜୀବୀ ଓ ସମାଜସେବୀ ଙ୍କୁ ଉକ୍ତ ମଞ୍ଚରେ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମାଜ ସେବୀ ତଥା ବରିଷ୍ଠ ସାମ୍ବାଦିକ ଡ ବାଦଲ ତା, ଆଦିବାସି ମହିଳା ନେତ୍ରୀ ତଥା ସମିତି ସଭ୍ୟା ସେଲେନି ଗମାଙ୍ଗ , ଓଡ଼ିଶା ବିକଳାଙ୍ଗ ମଞ୍ଚ ସଭାପତି ରାକେଶ ହିମରିକା, ଇସମାଇଲ ଶବର, ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ଓଡ଼ିଶା ଆଦିବାସୀ ମଞ୍ଚ ତରଫରୁ ଗୁଣୁପୁର ଉପଜିଲ୍ଲାପାଳ ଅଭିଷେକ ଡୁଢାଲଙ୍କୁ ଆଦିବାସୀଙ୍କ ସୁରକ୍ଷା ତଥା ସାମାଜିକ ଓ ଅର୍ଥନୈତିକ ସ୍ଥିତି ସୁଦୃଢ଼ କରିବା ନିମନ୍ତେ ସହଯୋଗ କରିବା ପାଇଁ ଏକ ୧୨ ଦଫା ଦାବିପତ୍ର ପ୍ରଦାନ କରିଥିଲେ।