୧୧ ଦିନରେ ଦ୍ୱିତୀୟ ମୁଣ୍ଡ, ପ୍ରତିଶୋଧ ହତ୍ୟାରେ କମ୍ପିଲା ଆର୍.ବାହାଡ଼ାପଲ୍ଲୀ
ଗଞ୍ଜାମ, ୧୪ / ୦୮ : ଗଞ୍ଜାମ ଜିଲ୍ଲାର ରମ୍ଭା ଥାନା ଅଧୀନ ଏଚ୍.ବାହାଡ଼ାପଲ୍ଲୀ ଛକରେ ବୁଧବାର ସକାଳେ ପୁଣିଥରେ ରକ୍ତରଞ୍ଜିତ ଘଟଣା ଘଟିଛି । ୧୧ ଦିନ ପୂର୍ବରୁ ଘଟିଥିବା ହତ୍ୟାକାଣ୍ଡର ପ୍ରତିଶୋଧ ନେବାକୁ ଯାଇ, ଅଜଣା ଦୁର୍ବୃତ୍ତମାନେ ବାଇକ୍ରେ ଫେରୁଥିବା ଜଣେ ଯୁବକଙ୍କୁ ମୁଣ୍ଡରେ ଖଣ୍ଡାରେ ଆକ୍ରମଣ କରି ନିର୍ମମ ଭାବେ ହତ୍ୟା କରିଛନ୍ତି । ମୃତକଙ୍କ ପରିଚୟ ପି.ଅଭିମନ୍ୟୁ ପ୍ରଧାନ (୫୫), ଆର୍.ବାହାଡ଼ାପଲ୍ଲୀ ଗ୍ରାମର ପୂର୍ବତନ ସରପଞ୍ଚ ଅଗାଧୁ ପ୍ରଧାନଙ୍କ ପୁଅ। ସୂଚନା ଅନୁସାରେ, ସକାଳେ ରମ୍ଭା ସହରରୁ ବଜାର କାମ ସାରି, (ବାଇକ୍ ନମ୍ବର OR-07A-1414) ଯୋଗେ ଘରକୁ ଫେରୁଥିବାବେଳେ, ଏଚ୍.ବାହାଡ଼ାପଲ୍ଲୀ ଛକରେ ପୂର୍ବ ଯୋଜନା ମୁତାବକ ଆତତାୟୀମାନେ ତାଙ୍କୁ ଅତର୍କିତ ଆକ୍ରମଣ କଲେ। ମୁଣ୍ଡରେ ଭାରୀ ଚୋଟ ବାଜିଥିବାରୁ ସେ ଘଟଣାସ୍ଥଳରେହି ପ୍ରାଣ ହରାଇଲେ। ରକ୍ତାକ୍ତ ଦେହକୁ ବିଚ୍ରାସ୍ତାରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେଲେ। ରମ୍ଭା ଥାନା ଅଧିକାରୀ କୁମାର ମୁଦୁଲି ଓ ଏସ୍.ଆଇ ଧରିତ୍ରୀ ବିଶ୍ୱାଳ ନେତୃତ୍ୱରେ ପୁଲିସ ଦଳ ସହିତ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି, ପ୍ରମାଣ ସଂଗ୍ରହ କରିଲା। ଅଭିମନ୍ୟୁଙ୍କ ଭାଇ ସନ୍ନ୍ୟାସୀ ପ୍ରଧାନଙ୍କ ଅଭିଯୋଗରେ କେସ୍ ନମ୍ବର 691/25 ଅଧୀନ ହତ୍ୟା ମାମଲା ରୁଜୁ ହୋଇଛି। ସ୍ଥାନୀୟ ସୂତ୍ରମାନଙ୍କ କହିବା ଅନୁସାରେ, ଏହା ପୂରାପୂରି ପ୍ରତିଶୋଧ ମୂଳକ ହତ୍ୟା। କାରଣ, ୨ ଅଗଷ୍ଟରେ ସେହି ଗ୍ରାମର ବି.ମନୁ ପ୍ରଧାନଙ୍କୁ ସାବୁଳିଆ ରେଳଫାଟକ ନିକଟରେ ହତ୍ୟା କରାଯାଇଥିଲା, ଯେଉଁ ଘଟଣାରେ ଅଭିମନ୍ୟୁଙ୍କ ଗୋଷ୍ଠୀର ସାମିଲ ଥିବା ଅଭିଯୋଗ ଥିଲା। ସେହି ହତ୍ୟାର ‘ଜବାବ’ ଭାବରେ ବିରୋଧୀ ଗୋଷ୍ଠୀ ଏହି ଆକ୍ରମଣ କରିଥିବା ସନ୍ଦେହ। ଘଟଣା ପରେ ସମଗ୍ର ଆର୍.ବାହାଡ଼ାପଲ୍ଲୀ ଗାଁରେ ଉତ୍ତେଜନା ବ୍ୟାପିଛି। ଛତ୍ରପୁର ଏସ୍ଡିପିଓ ଚନ୍ଦନ ଘଡ଼େଇ ସ୍ଥଳରେ ଉପସ୍ଥିତ ରହି, ଶାନ୍ତି ବଜାୟ ରଖିବା ପାଇଁ ୩ ସେକ୍ସନ୍ ପୁଲିସ ବଳ ମୁତୟନ କରିଛନ୍ତି।