ଜମି କିଣି ୨୫ ଲକ୍ଷ ଟଙ୍କା ଠକେଇ ର ଶିକାର ହେଲେ ମନ୍ତ୍ରୀ
ଢେଙ୍କାନାଳ, ୨୯ / ୭ :– ରାଜ୍ୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସହ ଜମି ବ୍ୟବସାୟ ନାଁରେ ଦଶ ଲକ୍ଷୀଓ ଠକେଇ ଘଟଣା ଏବେ ଅଞ୍ଚଳରେ ଚର୍ଚ୍ଚାର ମୁଖ୍ୟ ବିଷୟ ହୋଇଛି। ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ବିଜ୍ଞାନ ମନ୍ତ୍ରୀ ତାଙ୍କ ଓକିଲ ମାଧ୍ୟମରେ ଗତ ୨୬ ତାରିଖରେ ଢେଙ୍କାନାଳ ଟାଉନ ଥାନାରେ ଅଭିଯୋଗ ଦାଖଲ କରିଛନ୍ତି, ଯାହା ଅଧିକାରିକ ଭାବରେ ମାମଲା ନଂ. ୫୦୦/୨୫ ରେ ରୁଜୁ ହୋଇଛି। ଅଭିଯୋଗ ଅନୁଯାୟୀ, ବଣସିଂହ ଅଞ୍ଚଳର ନିରଞ୍ଜନ ଶତପଥୀ ୨୦୨୧ ମସିହାରେ ମନ୍ତ୍ରୀଙ୍କୁ ଜମି ବିକ୍ରି କରିବା ପ୍ରତିଶ୍ରୁତି ଦେଇ ଅଗ୍ରିମ ଭାବେ ୨୫ ଲକ୍ଷ ଟଙ୍କା ନେଇଥିଲେ। କିନ୍ତୁ ନା ସେ ଜମି ଦେଲେ, ନାହିଁ ଟଙ୍କା ଫେରାଇଲେ। ମନ୍ତ୍ରୀ ଅନେକଥର ଦାବି କରିଥିଲେ ବୋଲି ଜଣାପଡ଼ିଛି, କିନ୍ତୁ ଶତପଥୀ ସେଥିରେ କୌଣସି ସ୍ପଷ୍ଟତା ଦେଇନଥିଲେ। ଏହି ଠକେଇ ଘଟଣା ସହ ବନ୍ଧା ଆଉ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହେଉଛି, ନିରଞ୍ଜନ ଶତପଥୀ ଦ୍ୱାରା ଦିଆଯାଇଥିବା ୨ଟି ଚେକ୍ ବାଉନ୍ସ ହୋଇଥିଲା, ଯାହା ଉପରେ ପୂର୍ବରୁ ମାମଲା ରୁଜୁ ହୋଇଥିଲା। ସେଥିରୁ ଜାମିନରେ ବାହାରିଥିବା ଶତପଥୀଙ୍କ ନାମ ଏବେ ପୁଣି ଆଲୋଚନାରେ ଆସିଛି। ଘଟଣାଟି ଏବେ ସୋସିଆଲ ମିଡିଆ ଜରିଆରେ ଭାଇରାଲ ହୋଇଥିବାରୁ ସାଧାରଣ ମଧ୍ୟରେ ଉତ୍ସୁକତା ଓ ଚର୍ଚ୍ଚା ତିବ୍ର ହୋଇଛି। ପୋଲିସ କହିଛି, ଏପର୍ଯ୍ୟନ୍ତ ଟଙ୍କା ଦେବା ବାବଦ ଥିବା ଦଲିଲ, ଚେକ୍ ବିବରଣୀ ଓ ଅନ୍ୟାନ୍ୟ କାଗଜପତ୍ର ଜବତ କରାଯାଇଛି, ଓ ଏଥିରେ ମୂଳ ତଥ୍ୟ ଉଦ୍ଘାଟନ ପାଇଁ ତଦନ୍ତ ଜାରି ରହିଛି। ପ୍ରଭାତ କୁମାର ସାହୁ, ଟାଉନ ଥାନା ଅଧିକାରୀ, ସୂଚନା ଦେଇଛନ୍ତି – "ଅଭିଯୋଗ ରିସିଭ୍ କରାଯାଇଛି। ମାମଲା ରୁଜୁ କରାଯାଇଛି। ଆବଶ୍ୟକ ଦଲିଲପତ୍ର ଯାଞ୍ଚ କରାଯାଉଛି। ଘଟଣା ସଂପୂର୍ଣ୍ଣ ତଦନ୍ତ ପରେ ପ୍ରକୃତ ସତ୍ୟ ଜଣାପଡିବ।" ଏହି ଘଟଣା କେବଳ ଠକେଇ ଅଭିଯୋଗ ନୁହେଁ, ବରଂ ଏହା ଏକ ସାମାଜିକ ଓ ରାଜନୈତିକ ମାତ୍ରା ଦେଉଥିବା ମାମଲା ଭାବରେ ଦେଖାଯାଉଛି।