ତେରେସିଙ୍ଗା ବସ୍ତି ସ୍କୁଲ ପରିସରରେ ଡ୍ରେନ୍ ପାଣି
କର୍ଲାମୁଣ୍ଡା, ୩୧/୦୭ (ସୁଶାନ୍ତ ରଣା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ ଅନ୍ତର୍ଗତ ତେରେସିଙ୍ଗା ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ, ତେରେସିଙ୍ଗା ବସ୍ତି ରେ ନାହିଁ ନ ଥିବା ଅସୁବିଧା ଦେଖିବାକୁ ମିଳୁଛି I ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ଚାଲିଛି ପାଠ ପଢ଼ା I ଏହି ସ୍କୁଲରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀରେ ମୋଟ ୧୦୮ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରନ୍ତି I ସ୍କୁଲ ପରିସର ମଧ୍ୟରେ ଏକ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ରହିଛି I ଗ୍ରାମରେ ସାମାନ୍ୟ ବର୍ଷା ହେଲେ ଡ୍ରେନର ଅଳିଆ ଆବର୍ଜନା ଅପରିଷ୍କାର ପାଣି ସ୍କୁଲ ପରିସରକୁ ପଶି ଆଣ୍ଠୁଏ ପାଣି ଜମି ରହୁଛି l ଏଠାରେ ମାସ ମାସ ଧରି ଦୂଷିତ ପାଣି ଜମି ରହିବା ଯୋଗୁଁ ଦୁର୍ଗନ୍ଧ ସହ ମଶାମାଛିଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି I ଛାତ୍ରଛାତ୍ରୀଙ୍କ ପାଇଁ ପାଇଖାନାର ବ୍ୟବସ୍ଥା ଅଛି ସତ କିନ୍ତୁ ଜଳମଗ୍ନ ଯୋଗୁଁ ବ୍ୟବହାର ଅନୁପଯୋଗୀ l ଫଳରେ ସ୍କୁଲ ର କୋମଳମତି ଛାତ୍ରଛାତ୍ରୀ ଓ ଅଙ୍ଗନବାଡି କେନ୍ଦ୍ରକୁ ଆସୁଥିବା ଶିଶୁ ସମେତ ଗର୍ଭବତୀ ମହିଳା ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି I ଅନେକ ସମୟରେ ଶିଶୁ ମାନେ ଗୋଡ଼ ଖସି ପଡ଼ି ଯାଉଥିବା ଦେଖାଯାଏ I ଏ ନେଇ ସ୍କୁଲର ପ୍ରଧାନ ଶିକ୍ଷକ ବିଭୁତି ଭୂଷଣ ସେଠ ଙ୍କୁ ପଚାରିବାରୁ- ଗତ ବର୍ଷରୁ ଗ୍ରାମର ଗ୍ରାମ୍ୟ ଉନ୍ନୟନ ସମିତି, ସରପଞ୍ଚ, ସମିତି ସଭ୍ୟ, ବ୍ଲକ ଅଧ୍ୟକ୍ଷା, ବିଡ଼ିଓ ଙ୍କୁ ଜଣେଇଥିବା ଶ୍ରୀ ସେଠ କହିଛନ୍ତି I କିନ୍ତୁ ଏଯାଏଁ କୌଣସି ସୁଫଳ ମିଳିନାହିଁ I ଏଣୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ଅବିଭାବକ ମହଲରେ ଦାବି ହେଉଛି I