ଶିଶୁ ବଳାତ୍କାର ମାମଲାରେ ଅଭିଯୁକ୍ତକୁ ୧୫ ବର୍ଷ ଜେଲ ଦଣ୍ଡ , ପୀଡିତା ପାଇଁ ୭ ଲକ୍ଷ ଟଙ୍କା କ୍ଷତିପୂରଣ ଆଦେଶ
ସମ୍ବଲପୁର, ୨୩ / ୭ : ଏକ ଗୁରୁତ୍ୱପୂର୍ଣ୍ଣ ନ୍ୟାୟିକ ରାୟରେ ସମ୍ବଲପୁର ଅତିରିକ୍ତ ଜିଲ୍ଲା ଜଜ୍ ଓ ପୋକ୍ସୋ ଅଦାଲତର ବିଚାରପତି ଅଭିଳାଷ ସେନାପତି ମହୁଲପାଲି ଥାନା ଅଞ୍ଚଳର ୨୦୧୮ ମସିହାର ଏକ ମନୋକ୍ଷୁବ୍ଧ କରୁଥିବା ଶିଶୁ ବଳାତ୍କାର ମାମଲାରେ ଅଭିଯୁକ୍ତ ଟେକଚାନ୍ଦ ରୋହିଦାସ (୩୩)ଙ୍କୁ ଦୋଷୀ ସାବ୍ୟସ୍ତ କରି ୧୫ ବର୍ଷ ସଶ୍ରମ କାରାଦଣ୍ଡ ଓ ୫୦,୦୦୦ ଟଙ୍କା ଜରିମାନା ଆଦେଶ ଜାରି କରିଛନ୍ତି। ଅଦାଲତ ସାଫ କହିଛନ୍ତି , ଯଦି ଅଭିଯୁକ୍ତ ଏହି ଜରିମାନା ଅର୍ଥ ପରିଶୋଧ କରିପାରିବେ ନାହିଁ, ତେବେ ତାଙ୍କୁ ଅତିରିକ୍ତ ୧ ବର୍ଷ ସଶ୍ରମ କାରାବାସ ଭୋଗିବାକୁ ପଡିବ। ସେହିପରି, ବିଚାରପତି ସେନାପତି ଏହି ଘଟଣାର ଗଭୀରତାକୁ ଦୃଷ୍ଟିରେ ରଖି, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବଙ୍କୁ ପୀଡିତା ଶିଶୁକୁ ୭ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ଦେବା ନିର୍ଦ୍ଦେଶ ଦେଇଛନ୍ତି। ଘଟଣାର ପୃଷ୍ଠଭୂମି ଅନୁଯାୟୀ, ୨୦୧୮ ସେପ୍ଟେମ୍ବର ୧୩ ତାରିଖ ସନ୍ଧ୍ୟା ସମୟରେ ବିଲେଇଗଡ଼ ଗ୍ରାମର ଅଭିଯୁକ୍ତ ଟେକଚାନ୍ଦ ତାଙ୍କ ଅଞ୍ଚଳରେ ଥିବା ଏକ ୭ ବର୍ଷୀୟା ଶିଶୁକନ୍ୟାଙ୍କୁ ‘ଗଣେଶ ପୂଜା ଦେଖାଇବା’ ବାହାନାରେ ଘରୁ ବାହାରକୁ ନେଇଥିଲେ। ଏକ ସାଇକେଲ୍ରେ ଅପହୃତ କରି, ଜଣେ ଅସହାୟ ଶିଶୁକୁ ନଦୀକୂଳରେ ନେଇ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଥିବା ଅଭିଯୋଗ ଥିଲା। ଘଟଣା ସମୟରେ ପୀଡିତାଙ୍କ କାକି, ଯିଏ ଶୌଚ ପାଇଁ ନଦୀକୂଳକୁ ଯାଇଥିଲେ , ଘଟଣାସ୍ଥଳ ଦେଖି ଅଭିଯୁକ୍ତଙ୍କୁ ପଳାଇଯିବାକୁ ଦେଖିଥିଲେ। ପରେ, ପରିବାର ଲୋକେ ମହୁଲପାଲି ଥାନାରେ ଅନୁସୂଚନା ଦେଇ ଏକ ବଳାତ୍କାର ମାମଲା (ନଂ. ୧୩୦/୧୮) ରୁଜୁ କରାଯାଇଥିଲା। ପୋଲିସ ତଦନ୍ତ ପରେ ଅଭିଯୁକ୍ତଙ୍କୁ ଗିରଫ କରି ଅଦାଲତରେ ଚାଲାଣ କରିଥିଲା। ମୋଟ ୧୭ ଜଣ ସାକ୍ଷୀଙ୍କ ବିବୃତି, ଓ ବିଭିନ୍ନ ତଥ୍ୟ-ପ୍ରମାଣ ଆଧାରରେ ଏହି ରାୟ ଦିଆଯାଇଛି। ଅଦାଲତରେ ସରକାର ପକ୍ଷରୁ ଏହି ମାମଲା ଚାଲାଣ କରିଥିଲେ ସ୍ୱତନ୍ତ୍ର ସରକାରୀ ଅଭିଯୋଜକ ଶ୍ରୀ ସନ୍ତୋଷ କୁମାର ପଣ୍ଡା। ଏହି ରାୟ କେବଳ ଏକ ନ୍ୟାୟ ନୁହେଁ, ବରଂ ଏହା ଦେଶର ଆଇନ ବ୍ୟବସ୍ଥା ପ୍ରତି ଲୋକଙ୍କ ବିଶ୍ୱାସକୁ ଶକ୍ତ କରେ। ଶିଶୁ ନିର୍ଯାତନାରେ ଲିପ୍ତ ଅଭିଯୁକ୍ତମାନେ ଦଣ୍ଡିତ ହେବେ — ଏହି ଦୃଢ଼ ସନ୍ଦେଶ ଏହି ରାୟ ମାଧ୍ୟମରେ ଗୋଟିଏ ସାମୁହିକ ସୂଚନା ହେଉ।