ମୋ ବାପା
ମୋ ବାପା
ବାପା ମୋ ଜୀବନ ବାପା ମୋ ସ୍ପନ୍ଦନ
ବାପା ମୋ ପାଣି ପବନ,
ବାପା ମୋ ନିଃଶ୍ବାସ ବାପା ମୋ ବିଶ୍ବାସ
ବାପା ହୃଦୟ ଚନ୍ଦନ ।
ବାପାଙ୍କ ଶୋଣିତ ଦେହେ ପ୍ରବାହିତ
ବାପା କରୁଣାର ଝର,
ପ୍ରତ୍ୟକ୍ଷ ଦେବତା ମୋ ପ୍ରାଣ କରତା
ସରଗଠୁ ସିଏ ବଡ଼,
ବାପା ମହାଦ୍ରୁମ ବାପା ସର୍ବୋତମ
ଅଟକାନ୍ତି ମହାଝଡ।
ସହିବା ଶକତି ଶିକ୍ଷା ଦେଇଛନ୍ତି
ବିପଦେ ଭାଙ୍ଗିବୁ ନାହିଁ,
ହୋଇ ଦୁବଘାସ ହେବୁନି ହତାଶ
ଆକାଶ ଯିବୁ ତୁ ଛୁଇଁ।
କାନ୍ଧରେ ବସାଇ ଗପ କେତେ କହି
ଶିକ୍ଷା ଦୀକ୍ଷା ଦେଇଛନ୍ତି,
ଯେତିକି ପାଇବୁ ଖୁସିରେ ରହିବୁ
ମିଳିବ ଜୀବନେ ଶାନ୍ତି।
ପର ଉପକାରେ ଆନନ୍ଦ ମନରେ
କରୁଥିବୁ ସଦାବେଳେ ,
ଗୁରୁ ଗୁରୁଜନ ଈଶ୍ବର ସମାନ
ନଇଁବୁ ତୁ ପାଦତଳେ।
ପର ଆପଣାର ଭୁଲି ସେ ବିଚାର
ସଭିଙ୍କୁ ନେବୁ ଆଦରି,
ଭେଦଭାବ ସବୁ ମନୁ ପୋଛି ଦେବୁ
ବାନ୍ଧିବୁ ସେନହ ଡୋରୀ ।
ଜୀବନେ ଆସିବ ଅନେକ ବିପଦ
ସହିବୁ ତୁ ମଥା ପାତି,
କାହାର ହୃଦୟ ଭାଙ୍ଗିବୁନି ପୁଅ
ସତ୍ଯକୁ କରି ସାରଥି।
ଧନ ଦଉଲତ ମୋହ ମାୟା ପଥ
ଦେବୁ ବାପ ତ୍ୟାଗ କରି,
ପରହିତ କଥା ଆନ ସୁଖ ଚିନ୍ତା
ଆଦର୍ଶ ହେଉ ତୋହରି।
ଅପଥେ ଯିବୁନି ପଥ ହୁଡ଼ିବୁନି
ଈଶ୍ବରେ କରି ବିଶ୍ବାସ,
କେଇ ପଦ କଥା ମନରେ ରଖିଥା
ହସି ହସାଇବୁ ନିସ୍ବ।
ବାପା ମୋର ପାଇଁ ଜଗତ ଗୋସାଇଁ
ତାଙ୍କ ଆଦର୍ଶେ ଚାଲୁଛି,
ମହାଗୁରୁ ମୋର କାନ୍ଧେ ବୋହି ଭାର
ଜୀବନ ରଥ ଚାଲୁଛି।
ବାପାଙ୍କୁ ହରାଇ ଦିଗହରା ହୋଇ
ଚାହୁଁଛି ମୁଁ ମହାଶୂନ୍ଯ,
ହତଭାଗ୍ୟ ମୁହିଁ ଦେଖିପାରି ନାହିଁ
ଯେବେ ଗଲେ ଇହଧାମ।
ହେ ବଡ଼ ଠାକୁର ପ୍ରାର୍ଥନା ମୋହର
ବାପାଙ୍କୁ ନେଲୁ ଛଡ଼ାଇ,
ଜୀବ ସିନା ଅଛି ନିତି ମୁଁ ମରୁଛି
ବାପାଙ୍କ ସ୍ମୃତିକୁ ନେଇ।
ଏତିକି କରିବ ହେ ଦୀନ ବାନ୍ଧବ
ବାପାଙ୍କ ଅଧୁରା ସ୍ବପ୍ନ,
ସତ ମାର୍ଗେ ମୁହଁ ଥିବି ସଦା ଧାଇଁ
ବାପା ମୋର ଭଗବାନ।
ବାପାଙ୍କୁ ଖୋଜୁଛି ଆଖି ଲୁହ ପୋଛି
ମୋ ବାପା ମିଳନ୍ତୁ ମୋତେ,
ଜନ୍ମ ଜନ୍ମାନ୍ତରେ ପୂଜିବି ଠାକୁରେ
ଦିଅ ନାହି ଦୁଃଖ ଏତେ।
--- ବସନ୍ତ କୁମାର ବେହେରା ସାହାପୁର ପୀରହାଟ ଭଦ୍ରକ --