ପାଣି ପାଇଁ ପଇସା ଦିଅନ୍ତୁ, — ନବରଙ୍ଗପୁର ପୂଜାରିଗୁଡା ଗ୍ରାମରେ ଜଳ ଯୋଗାଣ ବ୍ୟବସ୍ଥା ଉପରେ ଭୟାବହ ଅଭିଯୋଗ
ଡାବୁଗାଁ, ୧୫ / ୬ : ( ନକୁଳ ଭତ୍ରା ) ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ପୂଜାରିଗୁଡା ଗ୍ରାମରେ ଜଳ ଯୋଗାଣ ବ୍ୟବସ୍ଥା ଉପରେ ଯେପରି ଅଭିଯୋଗ ଉଠିଛି, ତାହା ଏକ ଗଣତନ୍ତ୍ର ଓ ମାନବିକ ଅଧିକାରରେ ପରୋକ୍ଷ ଆଘାତ। ପାଣି ପାଇଁ ଗ୍ରାମବାସୀମାନେ ଯେଉଁ ଅବସ୍ଥାରେ ହନ୍ତସନ୍ତ ହେଉଛନ୍ତି, ସେଠି ଜଳ ବିଭାଗର କିଛି କର୍ମଚାରିଙ୍କ ଦୁଷ୍କର୍ମ ତାଳିକା ଦେଖିବାକୁ ମିଳିଛି। ଅଭିଯୋଗ ଅନୁଯାୟୀ, ଏକ ଅଞ୍ଚଳୀୟ କର୍ମଚାରୀ ଗ୍ରାମବାସୀଙ୍କୁ ପାଣି ଯୋଗାଇବାକୁ ସ୍ପଷ୍ଟ ଭାବେ ପଇସା ଦାବି କରୁଛନ୍ତି। ସେ କହିଛନ୍ତି, “ପଇସା ଦିଅ, ତେବେ ପାଣି ଛାଡିବି, ନହେଲେ ନୁହେଁ।” ଏହି ଅଭିଯୋଗ ଗାଁରେ ବ୍ୟାପକ ଅସନ୍ତୋଷ ଓ ଅସହାୟତା ସୃଷ୍ଟି କରିଛି। ଗୋଟିଏ ମାସ ରୁ ଅଧିକ ହେଲେ ମଧ୍ୟ ଗାଁରେ ପାଣି ଯୋଗାଣ ନାହିଁ। ଜଳ ବିଭାଗ ଓ ପଞ୍ଚାୟତ ଅଧିନରେ ଥିବା ଏହି ଗ୍ରାମରେ ଲୋକମାନେ ବାରମ୍ବାର ସରପଞ୍ଚ, ପିଓ, ଏବଂ ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ କରିଥିବା ସତ୍ତ୍ୱେ କୌଣସି ସ୍ଥାୟୀ ସମାଧାନ ମିଳିନାହିଁ। ଏପରିକି, ଗତ ଯୋଗାଭିଯୋଗ ଶୁଣାନି ଦିନରେ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ ଦେବାକୁ ଯାଉଥିବାବେଳେ ପଞ୍ଚାୟତ କର୍ମଚାରୀମାନେ ସେମାନଙ୍କୁ "ଆଜି ଯିବା ନାହିଁ" ବୋଲି ମନା କରିଥିଲେ। ହେଲେ ଗ୍ରାମବାସୀ ତାହାକୁ ଅସ୍ୱୀକାର କରି, ଜିଲ୍ଲା ପ୍ରଶାସନ ସମ୍ମୁଖରେ ନିଜ ସମସ୍ୟା ଉପସ୍ଥାପନ କରିଛନ୍ତି। ସ୍ଥାନୀୟ ସ୍ତରରେ ଜଳ ବିଭାଗ ଓ ପଞ୍ଚାୟତ ତନ୍ତ୍ରର ଏହି ଅସାଧୁ ଅଭିଗମ ଏବଂ ଲୋକଙ୍କ ମୌଳିକ ଅଧିକାର ଉପରେ ଅବହେଳା ନିହାତି ନିନ୍ଦନୀୟ। ପାଣି ଯେଉଁ ମୌଳିକ ଜୀବନାବଶ୍ୟକ ଅଧିକାର, ତାହାକୁ ଅବେଳେ ଅବିକ୍ରୟ ଆଧାରରେ ବ୍ୟବହାର କରିବା ଏକ ଦଣ୍ଡନୀୟ ଅପରାଧ ଓ ଅମାନବିକ କାର୍ଯ୍ୟ। ଆମେ ଏହି ଅନ୍ୟାୟ ଓ ଅବ୍ୟବସ୍ଥା ଉପରେ ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରୁଛୁ। ଗ୍ରାମବାସୀଙ୍କ ନ୍ୟାୟ ପାଇଁ ଏବଂ ପାଣି ଯୋଗାଣ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଆବଶ୍ୟକ। ସାର୍ବଜନୀନ ସେବା ଅଧିକାରରେ ଏପରି ଅନ୍ୟାୟ ଏବଂ ଅସାଧୁ ଦାବି ସାମାଜିକ ନ୍ୟାୟ ଓ ଆଇନ ଶାସନ ପ୍ରତି ଏକ ଚିତ୍କାର ସ୍ୱର ହିସାବରେ ରହିବ।