ଧାନ ବିକ୍ରିର ଟଙ୍କା ଲୁଟ: ବରଗଡ଼ ଟାଉନରେ ଚାଷୀଙ୍କ ସ୍କୁଟି ଡିକିରୁ ସାଢ଼େ ୩ ଲକ୍ଷ ଟଙ୍କା ନେଇଗଲେ ଦୁର୍ବୃତ୍ତ
ବରଗଡ଼, ୪ / ୬ : ଧାନ ବିକ୍ରି ପରେ ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ଜଣେ ଚାଷୀଙ୍କ ଜୀବନ ଜମାଉଟି ସାଢ଼େ ୩ ଲକ୍ଷ ଟଙ୍କା ଦୁର୍ବୃତ୍ତଙ୍କ ହାତରେ ପଡ଼ିଥିବା ଘଟଣା ଦେଖିବାକୁ ମିଳିଛି। ଏହି ଘଟଣା ବରଗଡ଼ ଟାଉନ ଥାନା ନିକଟର ରାଜୀବ ଗାନ୍ଧି ଛକ ନିକଟ ଘଟିଛି ବୋଲି ଅଭିଯୋଗ ହୋଇଛି। ଭେଡେନ ଥାନା ଅନ୍ତର୍ଗତ ବୁର୍ଦ୍ଦା ଗ୍ରାମର ଚାଷୀ ସଚ୍ଚିଦାନନ୍ଦ ପଣ୍ଡା ବରଗଡ଼ ଷ୍ଟେଟ୍ ବ୍ୟାଙ୍କରୁ ଧାନ ବିକ୍ରି ହୋଇଥିବା ଟଙ୍କା ଉଠାଇ ସ୍କୁଟି ଡିକି ଭିତରେ ରଖିଥିଲେ। ସେ ପ୍ରଥମେ ଗୌରପଡ଼ା ଛକରେ ଅଖୁ ପଣା ପିଇବା ପାଇଁ ସ୍କୁଟି ରଖିଥିଲେ। ତାପରେ ଥାନା ନିକଟର ରାଜୀବ ଗାନ୍ଧି ଛକରେ ଚା’ ଖାଇ ବାପସ୍ ଫେରିବାବେଳେ ଡିକି ଖୋଲି ଦେଖିବାରେ ଟଙ୍କା ଲୁଟ କରାଯାଇଛି ବୋଲି ଜଣାପଡ଼ିଛି। ଏ ନେଇ ସଚ୍ଚିଦାନନ୍ଦ ପଣ୍ଡା ଙ୍କ ପକ୍ଷରୁ ବରଗଡ଼ ଟାଉନ ଥାନାରେ ଲିଖିତ ଅଭିଯୋଗ ଦାଖଲ ହୋଇଛି। ପୋଲିସ ଘଟଣା ସ୍ଥଳ ନିରୀକ୍ଷଣ ସହ ତଦନ୍ତ ଆରମ୍ଭ କରିଛି। ଅନୁମାନ କରାଯାଉଛି ଯେ, ଦୁର୍ବୃତ୍ତମାନେ ଅନୁସରଣ କରି ଅବସର ଦେଖି ଟଙ୍କା ଉଠାଇ ନେଇଥିବେ। ଏହି ଘଟଣା ଚାଷୀମାନେ ଟଙ୍କା ରଖିବା ସୁରକ୍ଷା ବ୍ୟବସ୍ଥା ଓ ଜଣସାଧାରଣ ସଜାଗତା ପ୍ରତି ପ୍ରଶ୍ନ ଉଠାଇଛି। ବ୍ୟାଙ୍କରୁ ଟଙ୍କା ଉଠାଇ ବାହାରୁଥିବା ବେଳେ ସତର୍କ ରହିବା ଓ ଆବଶ୍ୟକ ପଡ଼ିଲେ ପୋଲିସର ସାହାଯ୍ୟ ନେବା ପ୍ରତି ଅନେକଙ୍କ ମନେ ବିଚାର ଜନ୍ମ ଦେଉଛି।