ଭଗବାନ ବିର୍ଷାମୁଣ୍ଡା
ଭଗବାନ ବିର୍ଷାମୁଣ୍ଡା
ଭାରତ ଜନନୀ ଶାନ୍ତି ପ୍ରଦାୟିନୀ
ଅହିଂସା ମନ୍ତ୍ର ତାହାର,
ସେଥିପାଇଁ ଦେଶେ ବିଦେଶୀ ଆସିଲେ
କରିଦେଲେ ନାରଖାର।
ବିଦେଶୀ ଭାବିଲେ ନିରୀହ ଅସଭ୍ୟ
ଯାହା ଚାହିଁବୁ କରିବୁ,
ଯାହା ଧନରତ୍ନ ଅଛି ଏ ଦେଶରେ
ସବୁ ଆମେ ଲୁଟିନେବୁ ।
ଜାଣି ନ ଥିଲେ ଯେ ଏ ଦେଶ ମହିମା
ବୀରବୀରାଙ୍ଗନା ମାଟି,
ମାଆ ପାଇଁ ପୁଅ ଜୀବନ ଦେବାକୁ
କାଟି ପାରେ କାର ତଣ୍ଟି।
ଅନନ୍ଯ ସଙ୍ଗ୍ରାମୀ ବୀର ବିର୍ଷାମୁଣ୍ଡା
ଆଦିବାସୀ କୁଳେ ଜାତ
ପିତା ଯେ ସୁଗନ ମାତା ସେ କରମି
ପାଇଥିଲେ ବରପୁତ ।
ଗୋରାଙ୍କ ଉତପାତ ଜନେ ନିର୍ଯ୍ୟାତିତ
ଶାସନର କାରନାମା,
କରବୃଦ୍ଧି କରି ଦଳିତଙ୍କୁ ମାରି
ଦେଉଥିଲେ ସେ ଯାତନା ।
ସ୍ବଳ୍ପ ଅଧ୍ୟୟନ କିନ୍ତୁ ଥିଲା ଜ୍ଞାନ
ଦଳିତେ କରି ଏକାଠି
ଇଂରେଜ ବିରୁଦ୍ଧେ ଧନୁତୀର ବର୍ଚ୍ଛା
ଉଠିଲା ସଗର୍ବେ ମାତି ।
ପାହାଡ଼ ଗୁହାରେ କିବା ଜଙ୍ଗଲରେ
ଗୋରାଙ୍କୁ କଲେ ନିପାତ,
ଦେଖି ଯେ ଶାସକ ଭୀତତ୍ରସ୍ତ ହେଲେ
ଛାତି ହେଲା ପ୍ରକମ୍ପିତ।
'ଧର୍ମବାବା' ବୋଲି ଡାକିଲେ ସଂଗ୍ରାମୀ
ବୋଇଲେ ଯେ ଭଗବାନ,
ବନ୍ଧୁକ ଗୋଳିକୁ ଖାତିରି ନ କରି
ତୀବ୍ର କଲେ ଆନ୍ଦୋଳନ ।
ନିରୁପାୟ ହୋଇ ଗୋରା ସରକାର
ଧରିବା ପାଇଁ ବିର୍ଷାଙ୍କୁ
ପାଞ୍ଚଶତ ମୁଦ୍ରା ଘୋଷଣା କରିଲେ
ବତାଇବ ଠିକଣାକୁ ।
କାଳେ କାଳେ ଛନ୍ତି ଦେଶଦ୍ରୋହୀ ଏଠି
ବତାଇଲେ ତାଙ୍କ ସ୍ଥାନ,
ଗିରଫ ହୋଇଲେ ସଂଗ୍ରାମୀ ସହିତେ
ବନ୍ଦୀରେ କଟିଲା ଦିନ।
ହଇଜା ରୋଗରେ ଜୀବନ ହାରିଲେ
ଉଣେଶହ ଜୁନ୍ ନଅ,
ମହାନ ନାୟକ ରଚି ଇତିହାସ
ବୁହାଇ ବିଦ୍ରୋହ ସୁଅ।
ବାଢେ ଶ୍ରଦ୍ଧାଞ୍ଜଳି ହେ ମହାପୁରୁଷ
ସ୍ବାଧୀନ ହୋଇଛି ମାଆ,
ତୁମ ଅବଦାନ କରୁଛି ସ୍ମରଣ
ଦଳିତ ଜନତା ରାହା।
ଫେରିଆସ ବୀର ଏ ମାଟି ଝୁରୁଛି
ବାକି ରହିଛି ସଂଗ୍ରାମ,
ଦେଶୀ ଆଜି ପରା ବିଦେଶୀ ପାଲଟି
ହେଉଅଛନ୍ତି ନିର୍ମମ।
ଶେଷରେ ପ୍ରାର୍ଥନା ନର ନାରାୟଣ
ଢାଳିଦିଅ ହେ ଆଶିଷ,
ସେହି ଆଶିଷରେ ହସୁ ଏ ଜାତି
ଝରୁ ଶାନ୍ତି ସୁଧା ରସ।
----------------
ଦେବସ୍ନାନ
ଶ୍ରୀଜଗନ୍ନାଥ ସଂସ୍କୃତି
ନାହିଁ ଏ ଜଗତେ
ମାନବୀୟ ଲୀଳା ତାଙ୍କ
ଅଛି କେତେ ମତେ ।
ତତ୍ମଧ୍ୟରୁ ଦେବସ୍ନାନ
ଅଟେ ଅନ୍ଯତମ,
କିମ୍ବଦନ୍ତୀ କହିଥାଏ
ପ୍ରଭୁ ଜନ୍ମଦିନ ।
ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ
ପୂର୍ଣ୍ଣମୀ ତିଥିରେ,
ମହାପ୍ରଭୁଙ୍କର ଯାତେ
ମକରନ୍ଦ ଝରେ।
ଚତୁର୍ଦ୍ଧା ମୁରତ୍ତି ଆଜି
ପହୁଣ୍ଡେ ଆସନ୍ତି,
ସ୍ନାନବେଦୀକୁ ଠାକୁରେ
ବିଜେ କରିଥାନ୍ତି ।
ପହଣ୍ଡି ଟାହିଆ ସହ
ମନ୍ତ୍ର ଆବାହନୀ
ଜଗନ୍ନାଥ, ବଳଭଦ୍ର,
ସୁଭଦ୍ରା ଭଗିନୀ ।
ସୁଦର୍ଶନ ସଙ୍ଗେ ଥାନ୍ତି
ଦିଶେ କେଡ଼େ ତୋରା,
ଦର୍ଶନ ମାତ୍ରେ ନୟନ
ପୂଣ୍ୟ ହୁଏ ପରା।
ସ୍ନାନବେଦୀପରେ ଦିଅଁ
ଉଜ୍ଜ୍ବଳ ଶ୍ରୀଅଙ୍ଗେ
ଅଷ୍ଟବନ୍ଧ ମହୌଷଧି
ବୋଳା ହୁଏ ଅଙ୍ଗେ।
ସୁବର୍ଣ୍ଣ କୂଅରୁ ଆସେ
ସୁବର୍ଣ୍ଣ ଗରାରେ,
ଶହେ ଆଠ ଗରା ଜଳ
ଲାଗଇ ବିଧିରେ ।
ପଞ୍ଚ ତିରିଶ ଗରାରେ
ପ୍ରଭୁ ସ୍ନାନ ସରେ
ବଳରାମଙ୍କର ସ୍ନାନ
ତେତିଶ ଗରାରେ ।
ବାଇଶି ଗରାର ଜଳେ
ସୁଭଦ୍ରା ଭଗିନୀ,
ଅଠର ଗରାରେ ସ୍ନାନ
ସୁଦର୍ଶନ ପୁଣି।
ସ୍ନାନ ପରେ ଗଜାନନ
ବେଶେ ମହାପ୍ରଭୁ,
ଦେଖିଦେଲେ ସେହି କାନ୍ତି
ପାପ ଧୁଏ ସବୁ ।
ସ୍ନାନ ସାରି ଚାରି ଦିଅଁ
ଦେଉଳେ ଫେରନ୍ତି,
ତତସଙ୍ଗେ ସେବକେ ଯେ
କବାଟ କିଳନ୍ତି।
ଅଣସର ଘରେ ଦେବ
ପଡ଼ନ୍ତି ଜ୍ବରରେ,
ଭକତଙ୍କ ମନପ୍ରାଣ
ସନ୍ତାପରେ ମରେ।
ପ୍ରଭୁଙ୍କର ଭିନ୍ନ ରୂପ
ସେ ଅଲରାନାଥ,
ତାହାଙ୍କ ଦର୍ଶନ ଲଭି
ଭକତ ତୃପତ।
ରଥଯାତ ପରିଯନ୍ତେ
ଅଣସରେ ବାସ,
ବିବିଧ ବିଧିରେ ବୈଦ୍ୟ
ଜ୍ବର କରେ ନାଶ।
ଜୟ ଜୟ ଜଗନ୍ନାଥ
ଜୟ ଲକ୍ଷ୍ମୀକାନ୍ତ,
ଜୟ ପତିତ ପାବନ
ଜୟ ତୁମ୍ଭ ନେତ।
ଲୀଳାମୟ ଗୋସାଇଁ ହେ
କରୁଛି ଗୁହାରୀ,
ଏ ଭବ ସଂସାରୁ ମୋତେ
କରିଦେବ ପାରି।
----- ବସନ୍ତ କୁମାର ବେହେରା -------
ବରିଷ୍ଠ ଅଧ୍ୟାପକ
ଇତିହାସ ବିଭାଗ
ବାଲିଖଣ୍ଡ ସ୍ନାତକ ମହାବିଦ୍ୟାଳୟ
ବାଲିଖଣ୍ଡ, ବାଲେଶ୍ବର।