ମା' ତାରିଣୀ ଶବ୍ଦ ଭାରତୀ ସମ୍ମାନ ରେ ସମ୍ମାନିତ ହେଲେ କାହ୍ନୁ ଚରଣ ସାହୁ
କର୍ଲାମୁଣ୍ଡା, ୧୬ / ୬ (ସୁଶାନ୍ତ ରଣା): କେଉଁଝର ଜିଲ୍ଲାର ଗଦାଧରପୁରସ୍ଥ ମା ତାରିଣୀ ସାହିତ୍ୟ ସଂସଦ ଓ ଯାଜପୁର ଜିଲ୍ଲା, ନଗୁଆଁର ଜଗନ୍ନାଥ ସାହିତ୍ୟ ସଂସଦର ମିଳିତ ସହଯୋଗରେ ସ୍ଥାନୀୟ ଜଗତଜନନୀ ମାଆ ତାରିଣୀ ପୀଠ, ଘଟଗାଁ ମନ୍ଦିର ପରିସରରେ ଥିବା କଲ୍ୟାଣ ମଣ୍ଡପ ଠାରେ ଚତୁର୍ଥ ବାର୍ଷିକ ମହୋତ୍ସବ ୨୦୨୪-୨୫ ମହାସମାରୋହରେ ପାଳିତ ହୋଇ ଯାଇଛି l ଉକ୍ତ ମହୋତ୍ସବ ରେ କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ସ୍ଥିତ ପଣ୍ଡକାମାଳ ଗ୍ରାମର ପିତା ସଂକୀର୍ତ୍ତନ ସାହୁ ଓ ମାତା ଶାନ୍ତି ସାହୁଙ୍କ ପୁଅ କାହ୍ନୁ ଚରଣ ସାହୁଙ୍କୁ ମା' ତାରିଣୀ ସାହିତ୍ୟ ସଂସଦ ତରଫରୁ "ଶବ୍ଦ ଭାରତୀ ସମ୍ମାନ-୨୦୨୫" ସମ୍ମାନରେ ସମ୍ମାନିତ କରାଯାଇଛି l ଏହା ସହ ଜଗନ୍ନାଥ ସାହିତ୍ୟ ସଂସଦର କର୍ମକର୍ତ୍ତା ଶ୍ରୀ ସାହୁଙ୍କୁ ଶୁଭେଚ୍ଛା ପୂର୍ବକ "ଜଗନ୍ନାଥ ସ୍ମୃତି କୈବଲ୍ୟ" ପତ୍ର ପ୍ରଦାନ କରିଛନ୍ତି l ଶ୍ରୀସାହୁଙ୍କ ପିଲାଟି ଦିନରୁ ସାହିତ୍ୟ ପ୍ରତି ବେଶ୍ ରୁଚି ରହିଛି l ସ୍କୁଲ ସମୟରୁ ଲେଖାଲେଖି କରିବା ସହ କଲେଜ ସମୟରେ ଅନେକ ସାହିତ୍ୟ ପ୍ରେମୀଙ୍କ ସଂସ୍ପର୍ଶରେ ଆସି ସାହିତ୍ୟକୁ ନେଇ ସୃଷ୍ଟି କରି ପାରିଛନ୍ତି ନିଜର ସ୍ୱତନ୍ତ୍ର ପରିଚୟ l ତାଙ୍କ ଦ୍ୱାରା ରଚିତ ବହୁ କବିତା ଓ ଗଳ୍ପ ଓଡ଼ିଶା ସମେତ ଓଡିଶା ବାହାରର ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶିତ ହେବା ସହ ଅନେକ ପାଠକ ପାଠିକାଙ୍କୁ ତାଙ୍କ ଲେଖା ପ୍ରତି କରି ପାରିଛି ଆକର୍ଷିତ l ସେ ଓଡ଼ିଆ ସହ କୋଶଲି ଓ ହିନ୍ଦୀ ଭାଷାରେ ମଧ୍ୟ ଲେଖାଲେଖି କରି ଆସୁଛନ୍ତି l ତାଙ୍କ କବିତା ଗଳ୍ପରେ ଛଳଛଳ ବାରିହେଇ ପଡେ ଗାଁ ରୁ ସହର, ମାଟିରୁ ଅନ୍ତରୀକ୍ଷ ଯାଏଁ ମଣିଷର ଜୀବନ୍ ଗାଥା l ଏଥିସହ ସେ ପ୍ରେମ, ବିରହ, ପ୍ରକୃତି, ସଂସ୍କୃତି ଓ ପରମ୍ପରାକୁ ନେଇ ଲେଖାଲେଖି କରିବାକୁ ଖୁବ୍ ଭଲ ପାଆନ୍ତି l ଏଥିପାଇଁ ସେ ବହୁ ସାହିତ୍ୟ ଅନୁଷ୍ଠାନ ଠାରୁ ସମ୍ମାନିତ ମଧ୍ୟ ହୋଇଛନ୍ତି l କଲେଜରେ ପଢିବା ସମୟରେ ଓଡ଼ିଆ ଭାଷା ସାହିତ୍ୟକୁ ବିଶ୍ବର କୋଣ ଅନୁକୋଣରେ ବସବାସ କରୁଥିବା ଓଡ଼ିଆ ପ୍ରେମୀଙ୍କ ପାଖରେ ପହଞ୍ଚେଇବାର ନିଆରା ପ୍ରୟାସ କରି ପ୍ରତିଷ୍ଠା କରିଥିଲେ "ସୃଷ୍ଟି ସମ୍ଭାର ଡିଜିଟାଲ ପତ୍ରିକା" l ଯାହା ପ୍ରତିଟି ସ୍ତରର ଲେଖକ ଲେଖିକାଙ୍କ ପାଖରେ ପହଁଚି ତାଙ୍କ ସୃଜନୀ ଶୈଳୀକୁ ଲୋକ ଲୋଚନକୁ ଆଣିବାରେ ସଫଳ ହୋଇ ପାରିଛି l ଓଡ଼ିଆ ଭାଷା ସାହିତ୍ୟରେ ଉଲ୍ଲଖନୀୟ ପ୍ରଚାର ପ୍ରସାର, ଲେଖାଲେଖି ଓ ସମ୍ପାଦନା ଦିଗରେ କାର୍ଯ୍ୟରତ ପାଇଁ ଶ୍ରୀ ସାହୁଙ୍କୁ ଉକ୍ତ ସମ୍ମାନ ପ୍ରଦାନ କରାଯାଇ ଥିବାର ମତବ୍ୟକ୍ତ କରନ୍ତି ମା ତାରିଣୀ ସାହିତ୍ୟ ସଂସଦର ପ୍ରାଣ ପ୍ରତିଷ୍ଠାତା ରାମନାରାୟଣ ଶର୍ମା l ଉକ୍ତ ସୃଜନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାହିତ୍ୟିକ ଦେବାଶିଷ ଚକ୍ରବର୍ତ୍ତୀ, ମୁଖ୍ୟବକ୍ତା ଭାବେ ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ପ୍ରକାଶ ଚନ୍ଦ୍ର ମିଶ୍ର, ସମ୍ମାନିତ ଅତିଥି ରୂପେ ଆଧ୍ୟାତ୍ମିକ ଓ ପୌରାଣିକ ଶାସ୍ତ୍ର ବ୍ୟାଖ୍ୟାକାର ବାବାଜୀ ଚରଣ ଦାସ ଓ ବିରଜାକୃପା ସାହିତ୍ୟ ସଂସଦର ସଭାପତି ବିଦ୍ୟୁତ୍ ପ୍ରଭା ମିଶ୍ର ଯୋଗଦେଇ ଓଡ଼ିଆ ଭାଷା ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ l ଅନୁଷ୍ଠାନର ପ୍ରତିଷ୍ଠାତା ଅନୁଷ୍ଠାନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ପ୍ରଦାନ କରିଥିବା ବେଳେ କୈଳାସ ଚନ୍ଦ୍ର ତନ୍ତୀ, ରତିନାରାୟଣ ରାଉତ ଓ ଶାନ୍ତିଲତା ରଣା କାର୍ଯ୍ୟକ୍ରମର ପରିଚାଳନା କରିଥିଲେ l ଏଥିରେ ସହଯୋଗ କରିଥିଲେ ଜଗନ୍ନାଥ ସାହିତ୍ୟ ସଂସଦର ପ୍ରତିଷ୍ଠାତା ଶରତ ଚନ୍ଦ୍ର ପଣ୍ଡା l ଅତିଥିମାନଙ୍କ କର କମଳରେ ଅନୁଷ୍ଠାନର ମୁଖପତ୍ର ଉନ୍ମୋଚିତ ହେଇଥିବା ବେଳେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ବହୁ କବି କବୟିତ୍ରୀ ଉକ୍ତ ସମାରୋହରେ ସାମିଲ ହୋଇ ସ୍ବରଚିତ କବିତା ଆବୃତ୍ତି କରି ଜିଣିପାରିଥିଲେ ସଭିଙ୍କ ହୃଦୟ l