କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତି ପୂରଣ ଯୋଗାଇ ଦେବାକୁ ଦାବି
କର୍ଲାମୁଣ୍ଡା, ୧୧ / ୬ : ଅଦିନିଆ ବର୍ଷା ସାଙ୍ଗକୁ ଲଘୁଚାପ ଜନିତ ବର୍ଷା ରବି(ଡ଼ାଳୁଅ) ଧାନ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି କହିଲେ ଭୁଲ ହେବନାହିଁ l ଡ଼ାଳୁଅ ଧାନ ଚାଷର ଠିକ ଅମଳ ହେବା ବେଳକୁ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅଞ୍ଚଳରେ ଘଡଘଡି ସହ ପ୍ରବଳ ବର୍ଷା ଓ ପବନ ହେବା ଫଳରେ ବହୁ କ୍ଷୟକ୍ଷତି ହୋଇଯାଇଛି l ବର୍ଷା ଯୋଗୁଁ ଅମଳ ହେବାକୁ ଥିବା ଡାଲୁଅ ଧାନ କେଉଁଠି ବିଲରେ ପଡ଼ି ଧାନରୁ ଗଜା ବାହାରି ଗଛ ଉଠିଲାଣି ତ ଆଉ କେଉଁଠି ପାଣି ଜୁଡୁବୁଡୁ ହୋଇ ଧାନ ପଚି ଗଲାଣି l ଲଘୁଚାପ ପୂର୍ବ ରୁ ମଧ୍ୟ ଏ ଅଂଚଳରେ ବିଭିନ୍ନ ସମୟରେ ବର୍ଷା ହେଉ ଥିବାରୁ ଅମଳ ହୋଇଥିବା ଧାନ ଓଦା ଥିବାରୁ ଧାନ ବିକ୍ରି ଉପଯୋଗୀ ହୋଇ ପାରୁନାହିଁ l ଫଳରେ ଚାଷୀ ତାହାକୁ ଶୁଖାଇବାକୁ ଯାଇ ପୁଣି ବର୍ଷାରେ କ୍ଷତି ଗ୍ରସ୍ତ ହୋଇଥିବା ଦେଖିବାକୁ ମିଳୁଛି l ଏପଟେ ଧାନ ମଣ୍ଡି ଖୋଲିଥିଲେ ହେଁ ଚାଷୀ ଧାନ ବିକ୍ରି କରିପାରୁ ନାହାନ୍ତି l ଫଳରେ କର୍ଲାମୁଣ୍ଡା ବ୍ଲକର ତେରେସିଂହା, ବିନ୍ଧାଣି, ସନ୍ଧିମୁଣ୍ଡା, ପୁଟିଗାଁ, ସରଗୁଲ-ମାଲପଡା ସମେତ ଅନେକ ଚାଷୀ କ୍ଷତିଗ୍ରସ୍ତ ହୋଇଥିବା ଦାବି ହେଉଛି l ଏଣୁ ବିଭାଗୀୟ ଅଧିକାରୀ ଲଘୁଚାପ ଜନିତ କ୍ଷୟକ୍ଷତି ଆକଳନ କରି ଚାଷୀ ଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ଚାଷୀ ମହଲରେ ଦାବି ହେଉଛି l କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ନବଦୂତ