Hot Posts

6/recent/ticker-posts

ରାଜଧାନୀରେ ବାଂଲାଦେଶୀ ଅନୁପ୍ରବେଶକାରୀ ଚିହ୍ନଟ ପ୍ରକ୍ରିୟା ଆରମ୍ଭ,

ଭୁବନେଶ୍ୱର, ୧୯ / ୫ :  – ରାଜଧାନୀରେ ବେଆଇନ ଭାବେ ବସବାସ କରୁଥିବା ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ନେଇ ଆଭ୍ୟନ୍ତରୀଣ ସୁରକ୍ଷା ଚିନ୍ତା ଗଭୀର ହେଉଛି , ପୁଲିସ ପକ୍ଷରୁ ଅଭିଯାନ ତ୍ବରାନ୍ୱିତ କରାଯାଇଛି। ଏହି ପ୍ରସଙ୍ଗରେ ଆଜି ଭୁବନେଶ୍ୱର କମିଶନରେଟ୍‌ ପୁଲିସ ଅନ୍ତର୍ଗତ ଭରତପୁର ଥାନାରେ ଅନୁଷ୍ଠିତ ଏକ ବୈଠକରେ ଡିସିପି ଜଗମୋହନ ମୀନା ଦୃଢ ଭାବରେ ନିର୍ଦ୍ଦେଶ ଜାରି କରିଛନ୍ତି।
ଡିସିପି ମୀନା କହିଛନ୍ତି, “ଏହି ଅନୁପ୍ରବେଶକାରୀମାନେ କିପରି ଭାବେ ରାଜଧାନୀରେ ଆସୁଛନ୍ତି, କଣ କାମ କରୁଛନ୍ତି ଓ କେଉଁଠି ରହୁଛନ୍ତି, ସେଥିପାଇଁ ପ୍ରତ୍ୟେକ ଥାନାକୁ ଚିହ୍ନଟ କରିବା ନିର୍ଦ୍ଦେଶ ଦିଆଯାଇଛି।” ଆବଶ୍ୟକ କାଗଜପତ୍ର ନଥିଲେ ବା ଯାଞ୍ଚରେ ତ୍ରୁଟି ମିଳିଲେ ଆଇନ ଅନୁଯାୟୀ କଠୋର ପଦକ୍ଷେପ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି।
ଏହି ବୈଠକରେ ସମସ୍ତ ଥାନାଧିକାରୀମାନେ ଉପସ୍ଥିତ ଥିଲେ। ବେଳେ ବେଳେ ବିଭିନ୍ନ ଅପରାଧ ଘଟଣାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂପୃକ୍ତି ଆସିଥିବା ଘଟଣା ଅନୁସୂଚନା ମିଳିଛି। ନିକଟ ଦିନରେ ଭୁବନେଶ୍ୱର ରେଳ ଷ୍ଟେସନ୍‌ ନିକଟରୁ ୧୦ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀ ଏବଂ ଦଲାଲ ଧରାପଡ଼ିଥିଲେ।
ପୁଲିସ ଆଶଙ୍କା କରୁଛି ଯେ, ଏମାନେ କେବଳ କାମ ନିମନ୍ତେ ନୁହେଁ, ବରଂ ଗୁପ୍ତ ଚର ବା ଶତ୍ରୁ ରାଷ୍ଟ୍ର ପାଇଁ ତଥ୍ୟ ସଂଗ୍ରହ ଓ ପ୍ରେରଣ କାର୍ଯ୍ୟରେ ଲିପ୍ତ ଥାଇପାରନ୍ତି। ତେଣୁ ସେମାନଙ୍କ ସାମାଜିକ ଗଣମାଧ୍ୟମ ଖାତା, ଆବାସ ଠିକଣା ଓ ଦୈନିକ କାର୍ଯ୍ୟକଳାପ ଉପରେ ନଜର ରଖାଯିବ।
ରାଜ୍ୟ ସରକାରଙ୍କ ତଥ୍ୟ ଅନୁଯାୟୀ ବର୍ତ୍ତମାନ ଦେଢ଼ ଲକ୍ଷରୁ ଅଧିକ ବାଂଲାଦେଶୀ ଓଡ଼ିଶାରେ ବସବାସ କରୁଛନ୍ତି, ଯାହାରୁ ପ୍ରାୟ ସାଢ଼େ ୪ହଜାର ବେଆଇନ ଭାବେ ରହୁଛନ୍ତି। କିନ୍ତୁ ଏହି ଆଙ୍କଡ଼ା ଠାରୁ ଅଧିକ ସଂଖ୍ୟାରେ ସେମାନେ ଅନ୍ୟ ଜିଲ୍ଲା ଓ ଅଞ୍ଚଳରେ ବି ଥାଇପାରନ୍ତି ବୋଲି ଅନୁମାନ।
ଏହି ବିଷୟ ଅନ୍ତର୍ଗତ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ସମନ୍ୱୟରେ ଏକ ରାଷ୍ଟ୍ରୀୟ ନୀତି ଦ୍ୱାରା ନିର୍ଦ୍ଦେଶିତ ହେବା ଆବଶ୍ୟକ ବୋଲି ବିଶେଷଜ୍ଞମାନେ ମନେ କରୁଛନ୍ତି। ଏହା ନ ହେଲେ, ଆଭ୍ୟନ୍ତରୀଣ ସୁରକ୍ଷାକୁ ଗମ୍ଭୀର ବିପଦ ହେବାର ଆଶଙ୍କା ରହିଛି।