Hot Posts

6/recent/ticker-posts

ସରପଞ୍ଚଙ୍କୁ ଦେଇଥିଲେ ହତ୍ୟା ଧମକ, ବାପ ପୁଅ ଗିରଫ

ବଡ଼ଗାଁ, ୧୮ / ୫  – ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ଥାନା ଅନ୍ତର୍ଗତ ଏକମା ପଞ୍ଚାୟତର ସରପଞ୍ଚ ସାଇବାନୀ ଲାକ୍ରାଙ୍କୁ ଗାଳି-ଗୁଲଜ କରି ମାରିଦେବା ଧମକ ଦେବା ଘଟଣା ନେଇ ଗ୍ରାମର ବୃଷଭ ଗନ୍ଧା ଓ ତାଙ୍କ ପୁଅ ତରୁଣ ଗନ୍ଧାଙ୍କୁ ବଡ଼ଗାଁ ପୋଲିସ ଗିରଫ କରିଛି। ଉଭୟଙ୍କ ବିରୁଦ୍ଧରେ ଆଇନୀ ପଦକ୍ଷେପ ଗ୍ରହଣ କରାଯାଇଛି।
ଅଭିଯୋଗ ଅନୁଯାୟୀ, ବୃଷଭ ଗନ୍ଧା ଗ୍ରାମରେ ଥିବା ଏକ ସରକାରୀ ପୋଖରୀକୁ ନିଜ ରୟତି ଜମି ଭାବରେ ଦାବି କରୁଥିଲେ। ହେଲେ ଏହା ସ୍ଥାନୀୟ ପଞ୍ଚାୟତ ଅଧୀନ ଥିବା ପୋଖରୀ ବୋଲି ଜଣାପଡ଼ିଛି ଏବଂ ମାଛ ଚାଷ ପାଇଁ ଏହା ନିଲାମ ହୋଇଥିବା ମଧ୍ୟ ପ୍ରମାଣ ମିଳିଛି। ତଥାପି, ବ୍ୟକ୍ତିଗତ ମାଲିକାନା ଦାବି କରି ଉଭୟ ବାପ ପୁଅ ସରପଞ୍ଚଙ୍କ ଘରକୁ ଯାଇ ତେଜଭାଷାରେ ଗାଳି ଗୁଲଜ କରି ମାରିଦେବାକୁ ଧମକ ଦେଉଥିଲେ। ୧୬ ତାରିଖ ଶୁକ୍ରବାର ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମାଜିକ ସମୀକ୍ଷା ବୈଠକରେ ମଧ୍ୟ ଦୁଇଜଣ ଅଭିଯୁକ୍ତ ସାମୁଖିକ ଭାବେ ସରପଞ୍ଚଙ୍କୁ ଅପମାନଜନକ ଭାଷା ବ୍ୟବହାର କରିଥିବା ଅଭିଯୋଗ ମିଳିଛି। ଏନେଇ ବଡ଼ଗାଁ ଥାନାରେ ଅଭିଯୋଗ ରୁଜୁ ହୋଇଥିଲା। ଥାନା ଆଇଆଇସି ବାଲୁଙ୍କେଶ୍ବର ନାଏକଙ୍କ ନେତୃତ୍ୱରେ ପୋଲିସ ଘଟଣାର ଗଭୀର ତଦନ୍ତ କରି ଉଭୟଙ୍କୁ ଶନିବାର ଗିରଫ କରିଛି। ଏବେ ଅଭିଯୁକ୍ତମାନଙ୍କୁ ଆଦାଲତରେ ପେଶ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।