ପତ୍ନୀ ହନ୍ତା ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ: ଖୋର୍ଦ୍ଧା ଏଡିଜେ କୋର୍ଟର ଗଭୀର ରାୟ
ଖୋର୍ଦ୍ଧା, ୩୦ / ୫ : ଦାମ୍ପତ୍ୟ ଜୀବନରେ ଶିଥିଳତା ଓ ଦୁର୍ବଳ ସମ୍ପର୍କ ଯେତେବେଳେ ମାନବିକତାକୁ ପଛକୁ ଢକିଦିଏ, ସେତେବେଳେ ଘଟେ ମୃତ୍ୟୁ ଯାତ୍ରା। ଏପରି ଏକ ଦୟନୀୟ ଘଟଣାରେ ସ୍ତ୍ରୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଖୋର୍ଦ୍ଧା ପ୍ରଥମ ଅତିରିକ୍ତ ଜିଲା ଦୌରାଜଜ (ଏଡିଜେ-୧) ରଞ୍ଜୁଲତା ଲେଙ୍କାଙ୍କ ଅଦାଳତ ଅଭିଯୁକ୍ତ ସ୍ବାମୀ ଦୀପ୍ତିମାନ ସାହୁଙ୍କୁ ଦଫା ୩୦୨ ଅନୁଯାୟୀ ଆଜୀବନ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି। ଜରିମାନା ଅନାଦେୟ ଅବସ୍ଥାରେ ସେ ଅଧିକ ୬ ମାସର ଅତିରିକ୍ତ କାରାଦଣ୍ଡ ଭୋଗିବେ।
ନୟାଗଡ ଜିଲ୍ଲା ବାଣିଗୋଛା ଥାନା ଅନ୍ତର୍ଗତ ବାଲିଆପଦର ଗ୍ରାମର ଦୀପ୍ତିମାନ ସାହୁ ୨୦୨୦ ଜାନୁଆରୀ ୧୯ ତାରିଖରେ ନିଜ ସ୍ତ୍ରୀ ରୁନିତା ସାହୁଙ୍କୁ ଜଙ୍କିଆ ଥାନା ଅନ୍ତର୍ଗତ କାୟା କାଜୁ ଜଙ୍ଗଲରେ ତଣ୍ଟିଚିପି ହତ୍ୟା କରି ପଳାୟନ କରିଥିଲେ। ମୃତକଙ୍କ ଭାଇ ବିକାଶ ସାହୁ ଏହି ଘଟଣା ସନ୍ଦର୍ଭରେ ଜଙ୍କିଆ ଥାନାରେ ହତ୍ୟା ଅଭିଯୋଗ ଦାୟର କରିଥିଲେ, ଯାହା ଅନୁସାରେ ପୋଲିସ ଅଭିଯୋଗ ଗ୍ରହଣ କରି ମାମଲା (ନଂ ୨୪/୨୦) ରୁଜୁ କରି ଦୀପ୍ତିମାନଙ୍କୁ ଗିରଫ କରି କୋର୍ଟରେ ଚାଲାଣ କରିଥିଲା।
ଶୁକ୍ରବାର ଦିନ ଏହି ମାମଲାର ବିଚାର ସମ୍ପନ୍ନ ହୋଇଥିଲା। ଏଡିଜେ-୧ ରଞ୍ଜୁଲତା ଲେଙ୍କା ୨୫ ଜଣ ସାକ୍ଷୀ ପ୍ରମାଣ ଓ ତଥ୍ୟ ଆଧାରରେ ଅଭିଯୁକ୍ତଙ୍କ ଦୋଷ ସିଦ୍ଧ କରି ଉପରୋକ୍ତ ଦଣ୍ଡାଦେଶ ଦେଇଥିଲେ। ଏହି ମାମଲାରେ ସରକାରୀ ପକ୍ଷରୁ ପବ୍ଲିକ ପ୍ରସିକ୍ୟୁଟର ଶ୍ରୀମତୀ ରଜନୀ ପଟ୍ଟନାୟକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ।