Hot Posts

6/recent/ticker-posts

ଦେବଗଡରେ ଦନ୍ତା ହାତୀ ଆତଙ୍କ, ଘର ଭାଙ୍ଗି ଖାଇଲା ଧାନ-ଚାଉଳ

ଦେବଗଡ, ୨୦ / ୫ :  – ଦେବଗଡ ବନଖଣ୍ଡର କଂସର ଫରେଷ୍ଟ ସେକ୍ସନ ଅନ୍ତର୍ଗତ ସଡୋ ବିଟର ବେଲୁଆମ ଓ ସଡୋ ଗ୍ରାମ ରେ ଏକ ଦନ୍ତା ହାତୀର ଉପଦ୍ରବ ଭୟଭୀତ ବାତାବରଣ ତିଆରି କରୁଛି । ଗତ ରବିବାର ରାତିଠାରୁ ଜାରି ଥିବା ଏହି ଉପଦ୍ରବରେ ହାତୀଟି ଗାଁ ଭିତରକୁ ପଶି ଘର ଭାଙ୍ଗିବା, ଖାଦ୍ୟଶସ୍ୟ ଖାଇବା ଓ ଅସବାବପତ୍ର ଧ୍ୱଂସ କରିବା ସହ ଲୋକଙ୍କ ଜୀବନ ସୁରକ୍ଷାକୁ ନେଇ ଭୟ ସୃଷ୍ଟି କରିଛି।
ସୂଚନା ଅନୁଯାୟୀ, ସମ୍ବଲପୁର ଜିଲ୍ଲାର ବାମରା ବନ୍ୟପ୍ରାଣୀ ଅଭୟାରଣ୍ୟ ଅଞ୍ଚଳର ଭୁତେଲ ଫରେଷ୍ଟ ସେକ୍ସନରୁ ଆସିଥିବା ଏହି ଦନ୍ତା ହାତୀ ହାତୀ ପଲରୁ ବିଚ୍ଛିନ୍ନ ହୋଇ ରାଗାନ୍ବିତ ଏବଂ ହିଂସ୍ର ରୂପ ଧାରଣ କରିଛି ବୋଲି ବନ ବିଭାଗ ଅନୁମାନ କରୁଛି।
ହାତୀ ଉପଦ୍ରବର ଦୃଶ୍ୟ:
ବେଲୁଆମ ଗ୍ରାମର ରାସନ୍ଦ କାଲୋ ଓ ହିରା କାଲୋଙ୍କ ଘର ଭିତରକୁ ପଶି ଧାନ, ଚାଉଳ ଖାଇ ଘର ବିନାଶ କରିଛି।
ସଡୋ ଗ୍ରାମର ସାନେତ ତିର୍କୀ ଓ ଜହନ ଟୁଟାଙ୍କ ଘର ଓ ଅଙ୍ଗନୱାଡି କେନ୍ଦ୍ର ଭାଙ୍ଗି ଧ୍ୱଂସ କରିଛି।
ଏକାଧିକ କଦଳୀ ବଗିଚାରେ ଉପଦ୍ରବ କରି ବୃକ୍ଷ ଉଖାଡି ଦେଇଛି।
ହାତୀଟି ସୋମବାର ସକାଳେ କଂସର ରାଷ୍ଟ୍ରୀୟ ଜଙ୍ଗଲ ଅଞ୍ଚଳରେ ଦେଖାଯାଇଥିବା ବେଳେ ଲୋକେ ଜୀବନ ଓ ଜୀବିକା ସୁରକ୍ଷା ପାଇଁ ଅତ୍ୟନ୍ତ ଭୟ ଭିତରେ ରହିଛନ୍ତି। ଦେବଗଡ ବନ ଅଞ୍ଚଳ ଅଧିକାରୀ ଅମୂଲ୍ୟ ସେନାପତିଙ୍କ ନେତୃତ୍ୱରେ ଫରେଷ୍ଟର ଦୟାସାଗର ପ୍ରଧାନ, ଫରେଷ୍ଟ ଗାର୍ଡ କାର୍ତ୍ତିକେଶ୍ୱର ଦେହୁରୀ, ମାନସୀ ମଞ୍ଜରୀ ନାୟକ, ମିଲନ ଦାସ ଓ ବୀଣାପାଣି ଭୋଇ ଉପସ୍ଥିତ ଥିବା ଟିମ୍ ହାତୀ ଘଉଡାଇବା ଉଦ୍ଦେଶ୍ୟରେ ନିଆଁ, ହୁଳା ଓ ଅନ୍ୟ କୌଶଳ ବ୍ୟବହାର କରୁଛନ୍ତି, ଯଦିଓ ସେଥିରେ ସଫଳତା ମିଳୁନାହିଁ।