ଦାଦାବଟି ପାଇଁ ମାନସ ଙ୍କୁ ଅପହରଣ କରି ତଣ୍ଟି ଚିପି କରିଥିଲେ ହତ୍ୟା, ୩ ଜଣ ଗିରଫ
ନୂଆପଡ଼ା, ୧୪ / ୫ – ଏକ ନୃଶଂସ ଅପହରଣ ଓ ହତ୍ୟା ଘଟଣା ରହସ୍ୟର ଖୋଲାସା କରିଛି ଛତିଶଗଡ଼ ମହାସମୁନ୍ଦ ପୋଲିସ। ନୂଆପଡ଼ା ସଦର ଅଞ୍ଚଳର ଶିବଶକ୍ତି ନଗର ବାସିନ୍ଦା ମାନସ ତ୍ରିପାଠୀ (୩୦)ଙ୍କ ମୃତଦେହ କୋମାଖାନ ଥାନା ଅଧୀନ ଥିବା କଶେକେରା ଗାଁ ନିକଟରେ ଗତ ଶୁକ୍ରବାର ଏକ ଚାଷ ଜମିରୁ ଉଦ୍ଧାର ହୋଇଥିଲା। ଏହି ମାମଲାରେ ମଣ୍ଡଳ ପୋଲିସ ଏକ ନାବାଳକ ସହିତ ତିନି ଯୁବକଙ୍କୁ ଗିରଫ କରିଛି।
ଗିରଫ — ପର୍ଶୁ ଦଣ୍ଡସେନା (୨୦), ଗଣପତ ଦଣ୍ଡସେନା (୨୭), ସରୋଜ ଦଣ୍ଡସେନା (୨୪) ଓ ଜଣେ ନାବାଳକ। ଏହି ଅଭିଯୁକ୍ତମାନେ ଅର୍ଥାଦାନ ପାଇଁ ମାନସଙ୍କୁ ଅପହରଣ କରି, ପରେ ତାଙ୍କୁ ହତ୍ୟା କରି ଶବ ଚାଷ ଜମିରେ ଫିଙ୍ଗିଦେଇଥିବା ପ୍ରକାଶ ପାଇଛି।
ମାନସ ତ୍ରିପାଠୀ ଏକ ଫର୍ମାସୀ ଶିକ୍ଷିତ ଯୁବକ ଥିଲେ, ଯିଏ ଆଖପାଖ ଗାଁରେ ଚିକିତ୍ସା ସହାୟତା ପ୍ରଦାନ କରୁଥିଲେ। ଏପ୍ରିଲ ୨୩ରେ ମହାସମୁନ୍ଦ ଜିଲ୍ଲା ପିଥୋରାରେ ତାଙ୍କ ବିବାହ ହୋଇଥିଲା। ମେ ୮ ତାରିଖ ସନ୍ଧ୍ୟାରେ ସେ ରୋଗୀ ସେବା ପାଇଁ ଘରୁ ବାହାରି, ତା'ପରେ ମିଳିନଥିଲେ। ପରବର୍ତ୍ତୀ ଦିନ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।
ପୋଲିସ ତଦନ୍ତରେ ଜଣାପଡ଼ିଛି, ଅଭିଯୁକ୍ତମାନେ ମାନସଙ୍କୁ ଚାରିଚକିଆ ଗାଡି (ନମ୍ବର - OD26E2700) ରେ ବସାଇ କୋମାଖାନ ନେଇ ଲକ୍ଷାଧିକ ଟଙ୍କା ଦାଦାବଟି ମାଗିଥିଲେ। କିନ୍ତୁ ମାନସଙ୍କ ଖାତାରେ ମାତ୍ର ୯ ହଜାର ଟଙ୍କା ଥିବାରୁ ଅଭିଯୁକ୍ତମାନଙ୍କ ଚାହିଦା ପୂରଣ ହୋଇନଥିଲା। ଶେଷରେ ସେମାନେ ତଣ୍ଟି ଚିପି ହତ୍ୟା କରି ଶବକୁ ଫିଙ୍ଗିଦେଇଥିବା ଅପରାଧ ସ୍ୱୀକାର କରିଛନ୍ତି।
ପୋଲିସ ତାଦନ୍ତରେ ଅଭିଯୁକ୍ତମାନଙ୍କ ହାତରୁ ଚାରିଚକିଆ ଗାଡି, ମୃତକଙ୍କ ବାଇକ, ଔଷଧ ବ୍ୟାଗ ଓ ତିନିଟି ମୋବାଇଲ ଫୋନ ଜବତ କରିଛି। ଏହି ଘଟଣା ପ୍ରତି ଦୁଃଖ, ଆକ୍ରୋଶ ଓ ଚିନ୍ତାର ଝାଡ଼ ଲାଗିଛି ଅଞ୍ଚଳବାସୀ ମଧ୍ୟରେ।
ମାନସଙ୍କ ପରିବାର ଏହି ହତ୍ୟା ପାଇଁ ଅଭିଯୁକ୍ତମାନଙ୍କ କଠୋର ଶାସନ ଓ ଦ୍ରୁତ ନ୍ୟାୟ ଦାବି କରିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ଏହା ଏକ ପୂର୍ବନିଯୋଜିତ ଅପରାଧ ଅଟୁଟ ତଦନ୍ତ ଓ ଅନ୍ୟ ଦୋଷୀମାନେ ମଧ୍ୟ ଜାଣ୍ଚ ଅଧିନରେ ଆଣାଯିବା ଉଚିତ।