Hot Posts

6/recent/ticker-posts

ଅନଦୃଷ୍ଟ ଆଦିବାସୀ ଅଞ୍ଚଳର ଆର୍ଥିକ ଯନ୍ତ୍ରଣା, ବନଜାତ ସାମଗ୍ରୀର ନ୍ୟାୟସଙ୍ଗତ ମିଳୁନି ମୂଲ୍ୟ

ପଦ୍ମପୁର, ୧୪ / ୫ : ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ଡ—ଏକ ଅଞ୍ଚଳ ଯେଉଁଠି ଜୀବନ ଚକା ବଢ଼ିଛି କେବଳ ପରିଶ୍ରମ ଉପରେ, କିନ୍ତୁ ସେହି ପରିଶ୍ରମର ମୂଲ୍ୟ ଦେବାକୁ କେହି ରାଜି ନାହାନ୍ତି। ଏଠାରେ ଅଧିକାଂଶ ଲୋକ ଆଦିବାସୀ ଓ ଶ୍ରମଜୀବୀ, ଯେଉଁମାନେ କୃଷି ଓ ବନଜାତ ସାମଗ୍ରୀ ଉପରେ ନିର୍ଭର କରନ୍ତି। ଚାଷ ଦ୍ୱାରା ଯେଉଁଠି ସବୁବେଳେ ଗୁଜୁରାଣ ଚାଲିପାରୁ ନାହିଁ, ସେଠାରେ ମହୁଲ, ଶାଳମଞ୍ଜି, ଚାରମଞ୍ଜି, ଆମ୍ବୁଲ, ତେନ୍ତୁଳି ପରି ଜଙ୍ଗଲ ଦେଇଥିବା ଉପାଦାନ ହେଉଛି ଅନ୍ତିମ ଆଶା। କିନ୍ତୁ ବିଡ଼ମ୍ବନା ଏହା ଯେ, ଏହି ଜଙ୍ଗଲଜାତ ସାମଗ୍ରୀ ସଂଗ୍ରହ କରି ବେପାରୀଙ୍କୁ ବିକ୍ରି କରିଥିବା ସ୍ଥିତିରେ ଏମାନେ ନିଜ ପରିଶ୍ରମର ଯଥାଯଥ ଦର ପାଇପାରୁନାହାନ୍ତି। ଅନେକ ସମୟରେ ଏକ ଉତ୍ପାଦନ ଯାହାର ବଜାର ମୂଲ୍ୟ ୫୦ ଟଙ୍କା ହେବା ଉଚିତ, ତାହାକୁ ୨୦-୨୫ ଟଙ୍କାରେ ବେପାରୀଙ୍କୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି।
ଏହି ସମସ୍ତ ଉପଜ ରାସ୍ତାଘାଟ ଥିବା ଠାରୁ ବିଦେଶ ପର୍ଯ୍ୟନ୍ତ ବେପାରୀ ରପ୍ତାନି କରନ୍ତି ଓ ଚଢ଼ା ଦରରେ ବିକ୍ରି କରି ବଡ଼ ଲାଭ କମାନ୍ତି। କିନ୍ତୁ ଏହି ଅଞ୍ଚଳର ଆଦିବାସୀ ଲୋକମାନେ ତାଙ୍କ ପରିବାର ଚଳାଇବାକୁ ମଧ୍ୟ ପଛେ ପଡିଯାଇଛନ୍ତି।
୨୦୦୮ ମସିହାରେ ସରକାର ଗ୍ରାମ ପଞ୍ଚାୟତ ମାଧ୍ୟମରେ ବନଜାତ ଦ୍ରବ୍ୟ ଉଚିତ ମୂଲ୍ୟରେ କିଣିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏହା କେବଳ କାଗଜ ଓ ଫାଇଲ ମଧ୍ୟରେ ସୀମିତ ରହିଗଲା। ମଣ୍ଡି ବ୍ୟବସ୍ଥା, ମୂଲ୍ୟ ନିର୍ଦ୍ଧାରଣ ବା ବିକ୍ରୟ ବ୍ୟବସ୍ଥା ପ୍ରତି ଏପର୍ଯ୍ୟନ୍ତ କୌଣସି ଗଭୀର ପଦକ୍ଷେପ ନେଉନାହିଁ।
ଏ ସମ୍ପର୍କରେ ପଦ୍ମପୁର ବନ ବିଭାଗର ରେଞ୍ଜର ସୁଦାମ ଜଗଦଲାଙ୍କୁ ପଚାରିବାରୁ ସେ କହିଛନ୍ତି— "ଏହା ପାଇଁ ଜଙ୍ଗଲ ବିଭାଗ କୌଣସି ବ୍ୟବସ୍ଥା କରୁନାହିଁ, ଯଦି କିଛି କରି ହେବ, ତାହା ପଞ୍ଚାୟତ ସ୍ତରରେ ହେବ।"