Hot Posts

6/recent/ticker-posts

କୃଷି ଓଭର୍ସିଅରମାନଙ୍କ ର ଗସ୍ତ ଭତ୍ତା ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫ / ୫ : – ରାଜ୍ୟର କୃଷି ଓଭର୍ସିଅରମାନଙ୍କ ପାଇଁ ଗସ୍ତ ଭତ୍ତା ବୃଦ୍ଧି ଘୋଷଣା କରି ଓଡିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଏହି ଭତ୍ତା ୪୫୦ ଟଙ୍କାରୁ ବଢି ୧୫୦୦ ଟଙ୍କାକୁ ପହଞ୍ଚିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ପ୍ରସ୍ତାବକୁ ଅନୁମୋଦନ ଦେଇ ଏକ ସଂବେଦନଶୀଳ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ସମୟରେ ୧୫୬୭ ଟି କୃଷି ଓଭର୍ସିଅର ପଦବି ଥିବା ବେଳେ, ୧୨୫୭ ଜଣ କର୍ଯ୍ୟରତ ଅଛନ୍ତି। ସେମାନଙ୍କୁ ପ୍ରତିମାସ କମରେ ୨୦ ଦିନ ଗସ୍ତ କରିବା ନିୟମ ଥିବା ସତ୍ତ୍ୱେ ଗସ୍ତ ଭତ୍ତା ପୂର୍ବରୁ ତୁଳନାମୂଳକ ଭାବେ କମ ଥିଲା। ୨୦୨୩ ମସିହାରେ ୩୦୦ ରୁ ୪୫୦ ଟଙ୍କାକୁ ବୃଦ୍ଧି ହୋଇଥିଲା, କିନ୍ତୁ ତାପରେ ଦୀର୍ଘ ସମୟ ଧରି ସେହି ଭତ୍ତା ସ୍ଥିର ରହିଥିଲା। ସମାନ ସ୍ତରର ଅନ୍ୟ ଅଧିକାରୀମାନଙ୍କ ଭତ୍ତା ବୃଦ୍ଧି ହେବା ସତ୍ତ୍ୱେ କୃଷି ଓଭର୍ସିଅରମାନଙ୍କ ଭତ୍ତା ବୃଦ୍ଧି ନ ହେବା ନେଇ ଦୀର୍ଘଦିନ ଧରି ଅସନ୍ତୋଷ ଥିଲା। ଏହି ପରିବର୍ତ୍ତନ ଦ୍ୱାରା ସେମାନଙ୍କ ମନୋବଳ ବଢ଼ିବା ସହ ବ୍ୟବହାରିକ କାର୍ଯ୍ୟ ଉପରେ ମଧ୍ୟ ପ୍ରଭାବ ପକାଇବ। ଏହି ଭତ୍ତା ବୃଦ୍ଧି ସେମାନଙ୍କୁ ନିୟମିତ ଗସ୍ତ କାର୍ଯ୍ୟ ପାଇଁ ପ୍ରୋତ୍ସାହନ ଦେବ ବୋଲି ରାଜ୍ୟ ସରକାର ବିଶ୍ୱାସ କରୁଛି।