ପଦ୍ମପୁରକୁ ମିଳିଲା ଏସି ବସ ସୁବିଧା, କିନ୍ତୁ ନିୟୋଜିତ ଡ୍ରାଇଭର ନ ଥିବା ନେଇ ଉଠିଲା ପ୍ରଶ୍ନ
ପଦ୍ମପୁର, ୬ / ୫ : – ବରଗଡ଼ ଜିଲ୍ଲାର ପଦ୍ମପୁର ଅଞ୍ଚଳ ପାଇଁ ଦୀର୍ଘଦିନ ଧରି ଅପେକ୍ଷିତ ବସ ସୁବିଧା ଅବଶେଷରେ ନିଜ ଆକୃତି ନେଲା। ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନା ଅନ୍ତର୍ଗତ ସୋମବାର ପଦ୍ମପୁର ୟୁନିଟକୁ ୬ଟି ଏସି ବସ ଯୋଗାଇ ଦିଆଯାଇଛି। ଏହି ବସଗୁଡିକ ପଦ୍ମପୁରରୁ କଟକ (ଭାୟା ବଲାଙ୍ଗୀର-ବୌଦ୍ଧ), ବ୍ରହ୍ମପୁର ଓ ଭବାନୀପାଟଣା ମାର୍ଗରେ ଚାଲିବାକୁ ନିଯୋଜିତ। ସୁବିଧା ନିମିତ୍ତେ ଯେଉଁଠି ମହିଳା ଯାତ୍ରୀମାନେ ୫୦% ଭଡା ଛାଡ଼ ପାଇବେ, ସେଠି ଅନ୍ୟପଟେ ବସ ସେବାର ଚାଳନା ଉପରେ ପ୍ରଶ୍ନ ଉଠିଛି। ସୂଚନା ଅନୁଯାୟୀ, ବର୍ତ୍ତମାନ ପଦ୍ମପୁର ୟୁନିଟରେ ୨୦ ଡ୍ରାଇଭର ଥିବା ସତ୍ତ୍ୱେ, ୧୫ ଜଣ କୌଣସି କାର୍ଯ୍ୟ ନ ପାଇ କାର୍ଯ୍ୟାଲୟରେ ବସି ରହିଛନ୍ତି। ଏହା ସତ୍ତ୍ୱେ ବସ ସେବା ପାଇଁ ଏକ ଘରୋଇ କମ୍ପାନୀର ଡ୍ରାଇଭରଙ୍କୁ ନିୟୋଜନ କରାଯାଇଛି, ଯାହା ଉପରେ ରାଜ୍ୟ ସରକାରର ନୀତି ଓ ପ୍ରଥା ନେଇ ପ୍ରଶ୍ନ ଉଠିଛି। ସ୍ଥାନୀୟ ଲୋକମାନେ ଏହି ଅବ୍ୟବସ୍ଥା ଉପରେ ଆକ୍ରୋଶ ପ୍ରକାଶ କରି ସରକାର ନିକଟରେ ଦାବି କରୁଛନ୍ତି ଯେ, ସ୍ଥାନୀୟ ଡ୍ରାଇଭରମାନଙ୍କୁ ବ୍ୟବହାର କରିବା ଦ୍ୱାରା ସେମାନଙ୍କ ଜୀବିକା ଓ ସ୍ୱାଭିମାନ ଦୁହିଁକୁ ସୁରକ୍ଷା ଦିଆଯିବା ଉଚିତ।