Hot Posts

6/recent/ticker-posts

ଲଘୁଚାପ ଘନୀଭୂତ: ଓଡ଼ିଶାରେ ୪ ଦିନ ବ୍ୟାପୀ ଭାରି ବର୍ଷାର ସୂଚନା, ୧୧ ଜିଲ୍ଲାକୁ ଯେଲୋ ୱାର୍ନିଂ



ଭୁବନେଶ୍ୱର, ୨୭ / ୫ : ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ତାହାର ପାର୍ଶ୍ୱବର୍ତ୍ତୀ ଉତ୍ତର ଅଞ୍ଚଳରେ ଆସନ୍ତା ମଙ୍ଗଳବାର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ବ୍ୟକ୍ତ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏହି ଲଘୁଚାପ ଦୁଇ ଦିନ ମଧ୍ୟରେ ଅଧିକ ଘନୀଭୂତ ହୋଇ ରାଜ୍ୟରେ ପ୍ରବଳ ବର୍ଷା ଘଟିବ ବୋଲି ସୂଚନା ମିଳିଛି ।
ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଏହି ଲଘୁଚାପ ସହିତ ଟ୍ରପ ଲାଇନ୍‌ ମଧ୍ୟ ସକ୍ରିୟ ହେବାର ଅନୁମାନ ରହିଛି। ଏହାର ପ୍ରଭାବରେ ୨୭ରୁ ୩୦ ମଇ ପର୍ଯ୍ୟନ୍ତ ରାଜ୍ୟର ଅନେକ ଅଞ୍ଚଳରେ ଭାରି ବର୍ଷା ହେବ। ସେପଟେ, ଲଘୁଚାପ ଘନୀଭୂତ ହେଲେ ୨୯ ମଇରୁ ୧ ଜୁନ୍‌ ପର୍ଯ୍ୟନ୍ତ ୫୦ କି.ମି. ବେଗରେ ପବନ ବହିପାରେ ବୋଲି ପ୍ରତିବେଦନ ମିଳିଛି।
ଏହି ଅବସ୍ଥାରେ ସମୁଦ୍ର ଯାତ୍ରାକୁ ଯିବାରେ ବିପଦ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯାତ୍ରା କରିବା ଉପରେ କଟକଣା ଲଗାଯାଇଛି। ଏହା ଓଡ଼ିଶାରେ ମୌସୁମୀ ବର୍ଷାର ଅଗ୍ରଗତିକୁ ମଧ୍ୟ ସକ୍ରିୟ କରିବ ବୋଲି ବିଶେଷଜ୍ଞମାନେ କହିଛନ୍ତି।
ବର୍ତ୍ତମାନ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରାକ୍‌ମୌସୁମୀ ବର୍ଷା ଆରମ୍ଭ ହୋଇଥିବା ବେଳେ ଆଗାମୀ ୫ ଦିନ ବର୍ଷା ଅବ୍ୟାହତ ରହିବ। ମଙ୍ଗଳବାର ଦିନ ସମସ୍ତ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଓ ବେଗବାନ୍ ପବନ ବହିବା ସମ୍ଭାବନା ରହିଛି।
ଏହି ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି, ଦକ୍ଷିଣ ଓ ଉତ୍ତର ଓଡ଼ିଶା ସହିତ ଉପକୂଳ ଅଞ୍ଚଳର ୧୧ଟି ଜିଲ୍ଲା ପାଇଁ ଯେଲୋ ୱାର୍ନିଂ ଜାରି କରାଯାଇଛି। ସେଗୁଡିକ ହେଲେ — କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, କନ୍ଧମାଳ, ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ୱର, କଳାହାଣ୍ଡି, କେନ୍ଦୁଝର ଓ ମୟୂରଭଞ୍ଜ।