Hot Posts

6/recent/ticker-posts

ଭାରତରେ ପେଟ୍ରୋଲ-ଡିଜେଲ ଭଣ୍ଡାର ପର୍ଯ୍ୟାପ୍ତ, ଲୋକଙ୍କୁ ଭୟ ନକରିବା ପାଇଁ ତୈଳ କମ୍ପାନୀଙ୍କ ଆଶ୍ୱାସନ

ନୂଆଦିଲ୍ଲୀ, ୧୦ / ୫ : ଦେଶରେ ପାକିସ୍ତାନ ସହ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଇନ୍ଧନ ଭଣ୍ଡାର ନେଇ ଦୁଇଦିନ ଧରି ସୋସିଆଲ ମିଡ଼ିଆରେ ଚାଲିଥିବା ଅଫବାହକୁ ଭୁଲ ବୋଲି କହିଛନ୍ତି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀମାନେ। ଇଣ୍ଡିଆନ୍ ଅଏଲ୍ କର୍ପୋରେଶନ (ଆଇଓସି), ଭାରତ ପେଟ୍ରୋଲିୟମ କର୍ପୋରେଶନ (ବିପିସିଏଲ୍) ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେଶନ (ଏଚ୍ପିସିଏଲ୍) ଦ୍ୱାରା ଶୁକ୍ରବାର ଜାରି ହୋଇଥିବା ଏକ ସଂଯୁକ୍ତ ବିବୃତିରେ କୁହାଯାଇଛି ଯେ, ଭାରତରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ୍‌ର ପର୍ଯ୍ୟାପ୍ତ ମହଜୁଦ ଅଛି, ଏବଂ ଜନସାଧାରଣ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ।
ଗତ କିଛି ଦିନ ଧରି ସୋସିଆଲ ମିଡ଼ିଆରେ ବିଶେଷକରି ପାକିସ୍ତାନ ସୀମା ଲାଗି ଥିବା ରାଜ୍ୟମାନଙ୍କ ପେଟ୍ରୋଲ ପମ୍ପଗୁଡ଼ିକରେ ଲମ୍ବା ଧାଡ଼ି ଓ ଭିଡ଼ର ଭିଡିଓ ପ୍ରଚାର ହେଉଥିବା ଦେଖାଯାଇଥିଲା। ଏହି ଭିଡିଓ ମାଧ୍ୟମରେ ଲୋକଙ୍କ ମଧ୍ୟରେ ଆଶଙ୍କା ଜନ୍ମ ନେଇଥିଲା ଯେ, ଯୁଦ୍ଧ ପରିସ୍ଥିତିରେ ହୋଇପାରେ ଭାବିଷ୍ୟତରେ ଇନ୍ଧନ ର ଅଭାବ । ତଥାପି ତୈଳ କମ୍ପାନୀମାନେ ସୁସ୍ପଷ୍ଟ ଭାବେ ଜଣାଇଛନ୍ତି, ଦେଶରେ ତୈଳ ଭଣ୍ଡାର ଓ ବିତରଣ ପ୍ରଣାଳୀ ନିୟମିତ ଭାବେ ଚାଲିଛି। ଯେପରିକି ଗୁରୁବାର ରାତିରେ ଭାରତ-ପାକିସ୍ତାନ ସୀମା ଉପରେ ଡ୍ରୋନ ଓ କ୍ଷେପଣାସ୍ତ୍ର ଆକ୍ରମଣ ଘଟିଥିଲା, ତାହା ପରେ ଜମ୍ମୁ-କଶ୍ମୀର ଓ ପଞ୍ଜାବର କିଛି ସ୍ଥାନରେ ସତର୍କତା ରୂପେ ବ୍ଲାକ୍ଆଉଟ କରାଯାଇଥିଲା। ଏହା ଲୋକଙ୍କ ଭୟକୁ ବଢ଼ାଇଥିଲା।
ବିବୃତିରେ କମ୍ପାନୀମାନେ ଜନସାଧାରଣଙ୍କୁ ଶାନ୍ତ ଓ ସଜାଗ ରହିବା ପାଇଁ ଅନୁରୋଧ କରିଛନ୍ତି। ତେଲ ରିଫିଲ୍‌ କେନ୍ଦ୍ରଗୁଡ଼ିକରେ ଅନାବଶ୍ୟକ ଭିଡ଼ ବଢ଼ିବା ଦ୍ୱାରା ସେବା ଅସୁବିଧା ହେବା ସମ୍ଭାବନା ଥାଏ। ଏହି ପରିସ୍ଥିତିରେ ସମସ୍ତଙ୍କ ସହଯୋଗ ଦ୍ୱାରା ଏକ ସ୍ଥିର ପରିବେଶ ଗଢ଼ିବାକୁ ଦୃଢ଼ ସଂକଳ୍ପ ଜଣାଇଛନ୍ତି।
ତୈଳ ଭଣ୍ଡାର ନେଇ ଦେଶରେ ଏକ ନିରାପତ୍ତା ଅବସ୍ଥା ବିଦ୍ୟମାନ ଥିବାବେଳେ, ଅଫବାହରେ ବିଶ୍ୱାସ କରି ଭୟ ଓ ଅବ୍ୟବସ୍ଥା ସୃଷ୍ଟି କରିବାରୁ ଲୋକମାନେ ବଞ୍ଚିବା ଉଚିତ। ତୈଳ କମ୍ପାନୀମାନଙ୍କ ଏହି ସ୍ପଷ୍ଟ ବିବୃତି  ଆଶ୍ୱାସନ ଦେଇଥିବା ସନ୍ଦେହ ନାହିଁ।