Hot Posts

6/recent/ticker-posts

ପାକିସ୍ତାନ ର ପର୍ଦାଫାଶ, ଆତଙ୍କି ଆକ୍ରମଣ ରେ ନିଜ ଭୂମିକା କୁ ମାନିଲେ ଉଚ୍ଚପଦସ୍ଥ ଅଧିକାରୀ

ନୂଆଦିଲ୍ଲୀ, ୧୧ / ୫ : ପାକିସ୍ତାନ, ଯେ ଦେଶ ଦୀର୍ଘଦିନ ଧରି ପୁଲୱାମା ଆକ୍ରମଣରେ ନିଜ ସମ୍ପୃକ୍ତିକୁ ଅସ୍ୱୀକାର କରିଆସୁଥିଲା, ସେହି ଦେଶରେ ଏବେ ଏକ ଅପୂର୍ବ ସ୍ବୀକାରୋକ୍ତି ମୁହଁ ଦେଖାଯାଇଛି। ପାକିସ୍ତାନ ବାୟୁସେନାର ପ୍ରବକ୍ତା ଏବଂ ଡିଜିପିଆର, ଏୟାର ଭାଇସ ମାର୍ଶାଲ ଔରଙ୍ଗଜେବ ଅହମ୍ମଦ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ୨୦୧୯ରେ ପୁଲୱାମାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣକୁ "କୌଶଳଗତ ଚତୁରତା" ବୋଲି ଅଭିହିତ କରି, ପ୍ରତ୍ୟକ୍ଷ ଭାବେ ନିଜ ଦେଶର ଭୂମିକାକୁ ସ୍ୱୀକାର କରିଛନ୍ତି।
ଏହି ବୟାନ ଗଭୀର ରୂପେ ଚିନ୍ତାଜନକ, କାରଣ ଏହା କେବଳ ଏକ ଆତଙ୍କବାଦୀ ଘଟଣା ଉପରେ ରାଜ୍ୟ ସ୍ତରର ସମ୍ମତିକୁ ଉଦ୍ଭାସିତ କରୁନାହିଁ, ବରଂ ଏହି ବୟାନ ଆନ୍ତର୍ଜାତୀୟ ମଞ୍ଚରେ ପାକିସ୍ତାନର ଦ୍ୱିମୁଖୀ ନୀତିକୁ ପର୍ଦାଫାସ କରିଛି। ଔରଙ୍ଗଜେବଙ୍କ କଥା ଅନୁଯାୟୀ, ପୁଲୱାମା ଆକ୍ରମଣ ଥିଲା ଏକ ରଣନୀତିମୂଳକ ଉଦ୍ୟମ, ଯେଉଁଥିରେ ପାକିସ୍ତାନ ନିଜର ଦକ୍ଷତା ଓ କ୍ଷମତା ପ୍ରଦର୍ଶନ କରିଥିଲା।
ସ୍ମରଣୀୟ ଯେ, ୨୦୧୯ରେ ଫେବୃଆରୀ ୧୪ ତାରିଖରେ ପୁଲୱାମାରେ ଜୈଶ-ଏ-ମହମ୍ମଦର ଆତ୍ମଘାତୀ ଆକ୍ରମଣରେ ୪୦ ଜଣ ଭାରତୀୟ ସିଆରପିଏଫ ଯବାନ ସହିଦ ହୋଇଥିଲେ। ଏହା ପରେ, ଭାରତ ବାଲାକୋଟରେ ବାୟୁ ଆକ୍ରମଣ ଚାଲାଇ ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିଥିଲା।
ଏହି ପ୍ରକାଶନ କୌଣସି ଏକ ଘଟଣା ନୁହେଁ। ୨୦୨୦ରେ ପାକିସ୍ତାନର ପୂର୍ବତନ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଫୱାଦ ଚୌଧୁରୀ ମଧ୍ୟ ପାର୍ଲାମେଣ୍ଟରେ ଏହି ଆକ୍ରମଣକୁ ଆପଣା କରିଥିଲେ। ଏହାରୁ ପ୍ରମାଣ ମିଳେଯେ, ପାକିସ୍ତାନର ଆଧିକାରିକ ସ୍ତରରେ ଏକ ନୀତିମୂଳକ ଆଶ୍ରୟ ଥିଲା ଆତଙ୍କବାଦ ପ୍ରତି।
ଆଉ ଏବେ, ଏହି ସ୍ବୀକାରୋକ୍ତି ଏମିତି ଏକ ସମୟରେ ଆସିଛି, ଯେଉଁବେଳେ ଜମ୍ମୁ-କଶ୍ମୀରର ପହଲଗାମରେ  ଆତଙ୍କବାଦୀ ଆକ୍ରମଣ ହୋଇଥିଲା ଏବଂ ୨୬ ଜଣ ନିର୍ଦୋଷ ନାଗରିକ ଜୀବନ ହରାଇଥିଲେ।