ଦକ୍ଷିଣ ଏସିଆ ଶ୍ରମ ଗତିଶୀଳତା ଉପରେ ଭୁଟାନରେ ଆନ୍ତର୍ଜାତୀୟ ସମ୍ମିଳନୀ, ଭାରତ ପକ୍ଷରୁ ଯୋଗଦେବେ କନକ ବର୍ଦ୍ଧନ ସିଂହ ଦେଓ
ଭୁବନେଶ୍ୱର, ୧୯ / ୫ : – ଦକ୍ଷିଣ ଏସିଆରେ ଶ୍ରମ ଗତିଶୀଳତା ବିଷୟକ ନୀତି ଓ ଚିନ୍ତନ ଉପରେ ମହତ୍ତ୍ୱପୂର୍ଣ୍ଣ ମନ୍ଥନ ଅନୁଷ୍ଠିତ ହେବାକୁ ଯାଉଛି ବିଶ୍ୱ ବ୍ୟାଙ୍କ ଆୟୋଜିତ ଏକ ଅନ୍ତର୍ଜାତୀୟ ସମ୍ମିଳନୀ ମାଧ୍ୟମରେ, ଯାହା ଭୁଟାନର ରାଜଧାନୀ ଥିମ୍ପୁରେ ମେ’ ୨୦ ଓ ୨୧ ତାରିଖରେ ଅନୁଷ୍ଠିତ ହେବ। ଭାରତ ପକ୍ଷରୁ ଏହି ସମ୍ମିଳନୀରେ ଉପସ୍ଥିତ ରହି ନୀତି ମାନ୍ୟ ଆଲୋଚନାର ଅଂଶ ହେବେ ଓଡ଼ିଶା ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଓ ଡିଷ୍ଟ୍ରେସଡ୍ ମାଇଗ୍ରେସନ ଟାସ୍କଫୋର୍ସର ଅଧ୍ୟକ୍ଷ କନକ ବର୍ଦ୍ଧନ ସିଂହ ଦେଓ। ତାଙ୍କ ସହ ରାଜ୍ୟ ଶ୍ରମ ଓ କର୍ମଚାରୀ ବୀମା ବିଭାଗର ପ୍ରମୁଖ ସଚିବ ଚିତ୍ରା ଆରୁମୁଗମ ମଧ୍ୟ ଅଂଶଗ୍ରହଣ କରିବେ।
ଏହି ଆନ୍ତର୍ଜାତୀୟ ମଞ୍ଚରେ ଭୁଟାନ, ମାଳଦ୍ୱୀପ, ଶ୍ରୀଲଙ୍କା, ବାଂଲାଦେଶ, ନେପାଳ, ଇଟାଲୀ, ଅଷ୍ଟ୍ରେଲିଆ, ଇଉଏଇ, ଫିଲିପାଇନ୍ସ, ପାପୁଆ ନ୍ୟୁଗିନି, ଜାମାଇକା ଭଳି ବିଭିନ୍ନ ଦେଶର ପ୍ରତିନିଧିମାନେ ଏବଂ ବିଶ୍ୱ ବ୍ୟାଙ୍କ ଓ ସରକାରୀ ଅଧିକାରୀମାନେ ଯୋଗଦେବାର ଅନୁମାନ ରହିଛି। ସମ୍ମିଳନୀରେ ମୋଟ ୧୦୦ ଅଧିକ ବ୍ୟକ୍ତି ଅଂଶ ନେବେ।
ଶ୍ରମ ଗତିଶୀଳତା ଓ ଦୁଃଖିତ ପ୍ରବାସୀ ଶ୍ରମିକ ଭଳି ସମସ୍ୟାର ନୀତିଗତ ସମାଧାନ ଖୋଜିବା ଦିଗରେ ଏହି ସମ୍ମିଳନୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇପାରିବ ବୋଲି ଅନୁମାନ କରାଯାଉଛି।