ଗଛରେ ପିଟିହେଲା ବାଇକ୍, ର୍ଘଟଣାରେ କାକା-ପୁତୁରାଙ୍କ ଅକାଳମୃତ୍ୟୁ
ନୂଆପଡ଼ା, ୧୬ / ୫ : – ନୂଆପଡ଼ା ସଦର ବ୍ଲକ ଅଧୀନ କୋଟେନଚୂଆଁ ପଞ୍ଚାୟତ ତିଲେଇଝର ଗାଁ ନିକଟରେ ଏକ ଦୁଃଖଦ ବାଇକ୍ ଦୁର୍ଘଟଣା ଘଟି, ଗୋଟିଏ ଘରର କାକା ଓ ପୁତୁରାଙ୍କ ଜୀବନ ଯାଇଛି। ମୃତ ହେଉଥିବା ଦୁଇଜଣ ହେଲେ – ୧୮ ବର୍ଷୀୟ ପରମେଶ୍ୱର ତାଣ୍ଡି ଓ ୨୦ ବର୍ଷୀୟ ପୁରୁଷୋତ୍ତମ ତାଣ୍ଡି, ଦୁହେଁ ତିଲେଇଝର ଗାଁର ନିବାସୀ।
ସୂଚନା ଅନୁଯାୟୀ, ବୁଧବାର ଦିନ ଉଭୟ ଗୋଟିଏ ବାଇକ୍ରେ ବସି ନୂଆପଡ଼ାରୁ ତିଲେଇଝର ଗାଁକୁ ଫେରୁଥିବା ବେଳେ, ଗାଁ ମୁଣ୍ଡ ନିକଟରେ ବାଇକ୍ର ବାଲେନ୍ସ ହରାଇ ଏକ ବଡ଼ ଗଛକୁ ଧକ୍କା ମାରିଥିଲେ। ଦୁର୍ଘଟଣା ଏତେ ଭୟାନକ ଥିଲା ଯେ, ସ୍ଥାନୀୟ ଲୋକମାନେ ଉଭୟଙ୍କୁ ତୁରନ୍ତ ଉଦ୍ଧାର କରି ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲେ। ସେଠାରେ ଚିକିତ୍ସକମାନେ ପରମେଶ୍ୱରଙ୍କୁ ମୃତ ଘୋଷଣା କରିଥିଲେ। ଅତି ଗୁରୁତର ଅବସ୍ଥାରେ ଥିବା ପୁରୁଷୋତ୍ତମଙ୍କୁ ବୁର୍ଲା ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିଲା, କିନ୍ତୁ ଦୁର୍ଭାଗ୍ୟବଶତଃ ବାଟରେ ତାଙ୍କର ପ୍ରାଣ ଉଡ଼ିଗଲା। ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ପୋଲିସ ଏବଂ ଜଣାସାଧାରଣ ମଧ୍ୟରେ ଏହି ଅକାଳ ମୃତ୍ୟୁ ଉପରେ ଶୋକ ଛାଇଯାଇଛି।