Hot Posts

6/recent/ticker-posts

ଅତାବିରାରେ ବଜ୍ରପାତ, ଚାଲିଗଲା ଦୁଇ ମହିଳାଙ୍କ ଜୀବନ

ଅତାବିରା, ୨୯ / ୫ : ବରଗଡ଼ ଜିଲ୍ଲାର ଅତାବିରା ଅଞ୍ଚଳ ପୁଣିଥରେ ପ୍ରାକୃତିକ ବିପଦର କଳା ଛାୟାରେ ଢାକିଗଲା। ଗୁରୁବାର ମଧ୍ୟାହ୍ନ ବେଳେ ବଜ୍ରପାତର ଦୁଇଟି ଘଟଣାରେ ଦୁଇ ମହିଳାଙ୍କ ଅକାଳ ମୃତ୍ୟୁ ଘଟିଛି। ଏହି ଅଞ୍ଚଳ ଗତ କିଛି ଦିନ ହେବ ଅବିରତ ବର୍ଷା, ଘଡ଼ିଘଡ଼ି, ଝଡ଼ ବତାସ ଓ ବଜ୍ରପାତର ଆକ୍ରମଣ ଜନମାନସ ପାଇଁ ଭୟ ଓ ଅସୁବିଧା ନେଇଆସିଛି।
ଖଇରପାଲି ନିକଟସ୍ଥ ନଳିଆଁ ଝୁପୁଡ଼ି ଗ୍ରାମର ୪୮ ବର୍ଷୀୟା ଶାନ୍ତି ଛତ୍ରିଆ, ଦିନ ମଧ୍ୟାନ୍ହରେ ଜଙ୍ଗଲରୁ କାଠ ଝାଟି ସଂଗ୍ରହ କରି ଘରକୁ ଫେରୁଥିବାବେଳେ ବଜ୍ରପାତର ଶିକାର ହୋଇଥିଲେ। ବଜ୍ର ପ୍ରହାର ସିଧାସଳଖ ଛାତିରେ ଲାଗିଥିବା ଅନୁମାନ କରାଯାଉଛି।
ଏକାପଟେ ଟୋପ ଗ୍ରାମର ୩୬ ବର୍ଷୀୟା ଯଶୋଦା ମଲ୍ଲିକ, ତାଙ୍କ ସ୍ୱାମୀ ଗଣନାଥ ମଲ୍ଲିକଙ୍କୁ ଭାତ ନେଇ ଦେବାକୁ ଯାଉଥିବା ବେଳେ ବିଲ ମାଧ୍ୟରେ ବଜ୍ରପାତରେ ଆଘାତ ପାଇ ଜୀବନ ହାରିଥିଲେ। ତାଙ୍କ ଗୋଡ଼ ଗଭୀର ଭାବେ ଜଳିଯିବା ଦେଖିବାକୁ ମିଳିଛି।
ଉଭୟଙ୍କୁ ଅତାବିରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଲେ ମଧ୍ୟ, ଡାକ୍ତର ଏ. ସତିଶ କୁମାର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଖବର ପାଇ ଅତାବିରା ଥାନା ଆଇଆଇସି ପ୍ରକାଶ କର୍ଣ୍ଣଙ୍କ ନିର୍ଦ୍ଦେଶରେ ଦୁଇ ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ବରଗଡ଼ ଜିଲ୍ଲା ମେଡିକାଲ୍‌କୁ ପଠାଯାଇଛି। ଶାନ୍ତି ଛତ୍ରିଆଙ୍କ ମୃତ୍ୟୁ ସମ୍ପର୍କରେ ୧୧/୨୦୨୫ ଓ ଯଶୋଦା ମଲ୍ଲିକଙ୍କ ମୃତ୍ୟୁ ଉପରେ ୧୦/୨୦୨୫ ନମ୍ବରରେ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।
ଏହି ବଜ୍ରପାତ ଅଞ୍ଚଳରେ ମାନବ ଜୀବନ ଚାଲିଗଲା ବୋଲି ନୁହେଁ, ବରଂ ଧାନ ଫସଲ ନଷ୍ଟ ହୋଇ ଚାଷୀମାନେ ମଧ୍ୟ ଅନେକ କ୍ଷତି ଭୋଗିଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ଏଭଳି ଧରଣରେ ଘଟିବା ଉପରେ ସ୍ଥାନୀୟ ଏବଂ ରାଜ୍ୟ ସରକାର କେତେ ତ୍ୱରିତ ପଦକ୍ଷେପ ନେବେ, ଏହା ପ୍ରଶ୍ନରେ ରହିଛି।