ଏକତରଫା ପ୍ରେମରୁ ହତ୍ୟା ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ
ରାୟଗଡ଼, ୩୧ / ୫ : ଏକତରଫା ପ୍ରେମର ମାନସିକ ବିକୃତି ହେଉଛି ଏହି ହତ୍ୟାକାଣ୍ଡର ମୂଳ କାରଣ। ଅପ୍ରତ୍ୟାଶିତ ଭାବେ ଦିନ ଦହାଡ଼େ ଘଟିଥିବା ଏହି ନିର୍ମମ ହତ୍ୟାର ମାମଲାରେ ରାୟଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଅଳ୍ପନା ସ୍ବାଇଁ ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ମୁଣ୍ଡା ଗ୍ରାମର ଅଭିଯୁକ୍ତ ରଶିକ ପ୍ରଧାନୀକୁ ଆଜୀବନ ସଶ୍ରମ କାରାଦଣ୍ଡ ଓ ୫୦,୦୦୦ ଟଙ୍କା ଜରିମାନାର ଦଣ୍ଡାଦେଶ ଦିଆଯାଇଛି। ଜରିମାନା ଅନାଦାୟ ରହିଲେ ୧ ବର୍ଷ ଅତିରିକ୍ତ କାରାବାସ ଭୋଗିବା ପାଇଁ ଆଦେଶ ମିଳିଛି। ଅଭିଯୁକ୍ତ ବିରୋଧରେ ଦଫା ୩୦୯/୩୦୨/୩୨୪ ଅନୁଯାୟୀ ରାୟ ଦିଆଯାଇଛି।
୨୦୨୨ ମସିହା ସେପ୍ଟେମ୍ବର ୩ ତାରିଖ ଟିକିରି ଥାନା କେସ ନଂ ୧୨୦ ଅନୁଯାୟୀ, କାଶୀପୁର ବ୍ଲକ ଅନ୍ତର୍ଗତ ଉଷାପଡ଼ା ଗ୍ରାମର କର୍ମାକର ମହାପାତ୍ରଙ୍କ ଜମିରେ ମଜୁରୀ କରୁଥିବା ରୀମା ମାଝୀ (ପୀଡିତା) ଓ ତାଙ୍କ ସାଙ୍ଗ ଜମ୍ପାନୀ ମାଝୀ ବିଶ୍ରାମ ନେଉଥିବା ବେଳେ ମୁଣ୍ଡା ଗ୍ରାମର ୫୦ ବର୍ଷୀୟ ରଶିକ ପ୍ରଧାନୀ ସେଠିକୁ ଆସି ଧାରୁଆ ଛୁରୀ ଦ୍ୱାରା ରୀମାଙ୍କ ଗଳା କାଟିଦେଇଥିଲେ। ସହମୁଜୁରୀ ଜମ୍ପାନୀ ମାଝୀ ହସ୍ତକ୍ଷେପ କରିବା ବେଳେ ତାଙ୍କ ହାତକୁ ମଧ୍ୟ ଛୁରୀ ଘାତ କରାଯାଇଥିଲା। ମାନସିକ ଭାବେ ରୀମାଙ୍କୁ ପ୍ରେମ ନିବେଦନ କରୁଥିବା ରଶିକଙ୍କ ଏକତରଫା ଭାବନା ପ୍ରତ୍ଯାଖ୍ୟାନ ହେବା ପରେ ଗ୍ରାମରେ ବୈଠକ ବସି ସେଠାରେ ତାଙ୍କୁ ସତର୍କ କରାଯାଇଥିଲା। ଏହି ଅପମାନ ଓ ଦୁଃଖ ବହନ କରିପାରିନଥିବା ରଶିକ ପ୍ରଧାନୀ ଅନ୍ତତଃ ଏହି ଘଟଣାକୁ ଘଟାଇଥିଲେ।
ଏତଲା ଦେବା ପରେ ଟିକିରି ଥାନା ଉପରେ ମାମଲା ରୁଜୁ ହୋଇଥିଲା। ଘଟଣାର ତଦନ୍ତ କାର୍ଯ୍ୟ ନେତୃତ୍ୱ କରିଥିଲେ ଟିକିରି ଥାନାର ସବ୍-ଇନସ୍ପେକ୍ଟର ମନୋଜ କୁମାର ଜେନା। ସାଇନ୍ଟିଫିକ ଟିମ୍ର ସାହାଯ୍ୟ ନେଇ ପୁଲିସ ମାମଲାର ଗଭୀର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଥିଲା। ଏହି ମାମଲାରେ ୨୩ ଜଣ ସାକ୍ଷୀଙ୍କ ବୟାନ ଓ ଦ୍ରୢ଼ ଆଇନି ପ୍ରମାଣ ଆଧାରରେ କୋର୍ଟ ଏହି ଦଣ୍ଡାଦେଶ ଦେଇଛି। ସରକାରଙ୍କ ପକ୍ଷରୁ ମାମଲା ଚାଳନା କରୁଥିଲେ ଏପିପି ରାମପ୍ରସାଦ ପାତ୍ର।