ପୁତୁରା କୁ ବଳି ଦେଇ ହତ୍ୟା ମାମଲାରେ ବଡ଼ବାପାଙ୍କୁ ଆଜୀବନ କାରାଦଣ୍ଡ
ନୂଆପଡ଼ା, ୩୦ / ୫ : – ଜଣେ ବଡ଼ବାପାଙ୍କ ଦ୍ୱାରା ନିଜ ପୁତୁରାଙ୍କୁ ଚାଷ ଜମିରେ ବଳି ଦେଇ ‘ଭଲ ଚାଷ’ ପାଇଁ ଗୁଣି ଗାରେଡ଼ି ପୂଜା କରିବା ମତି ଦେଖାଇଥିବା ଦୁର୍ଲଭ ଓ ଦୁଃଖଦ ଘଟଣା ନେଇ ବର୍ତ୍ତମାନ ଆଇନ ତାଲ ଚିପିଛି। ୨୦୧୯ ମସିହାରେ ଘଟିଥିବା ଏହି ଲଜ୍ଜ୍ୟା ଜନକ ହତ୍ୟାକାଣ୍ଡରେ ଆଜି ନୂଆପଡ଼ା ଅତିରିକ୍ତ ଦୌରାଜଜ୍ ଶ୍ରୀ ସୁନୀଲ କୁମାର ଦାସ ମୁଖ୍ୟ ଅଭିଯୁକ୍ତ ଚିନ୍ତାମଣି ମାଝୀଙ୍କୁ ଆଜୀବନ କାରାଦଣ୍ଡ ଦେଇ ଦଣ୍ଡିତ କରିଛନ୍ତି। ଘଟଣା ଅନୁସାରେ, ୨୦୧୯ ଅଗଷ୍ଟ ୮ରେ ଜିଲ୍ଲାର କୋମନା ଥାନା ଅଧୀନ ଥିବା ଜଡ଼ାମୁଣ୍ଡା ଗାଁରେ ଚିନ୍ତାମଣି ମାଝୀ ନିଜ ୧୩ ବର୍ଷ ବୟସର ନାବାଳକ ପୁତୁରା ଧନସିଂ ମାଝୀଙ୍କୁ ଚାଷଜମିକୁ ଗଛ କାଟିବା ପାଇଁ ଡାକିଥିଲେ। ପୂର୍ବରୁ ସେଠି ଗୁଣି ଗାରେଡ଼ି ପୂଜା କରି ଭଲ ଚାଷ ଅମଳ ପାଇଁ କାର୍ଯ୍ୟ ଶେଷ କରିଥିଲେ। ଗଛ କାଟିବା ସମୟରେ ଚିନ୍ତାମଣି ଧାରୁଆ କାତିରେ ପଛରୁ ପୁତୁରା ଉପରେ ଆକ୍ରମଣ କରିଥିଲେ, ଯାହାରେ ଧନସିଂଙ୍କ ମୁଣ୍ଡ ଓ ଗଣ୍ଡି ଅଲଗା ହୋଇ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ କୋମନା ଥାନାରେ କେଶ ନଂ ୧୩୮/୨୦୧୯ ଅନୁସାରେ ମାମଲା ରୁଜୁ ହୋଇଥିଲା ଓ ଚିନ୍ତାମଣିଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ଏସଟି କେଶ ନଂ ୩୬/୧୧ (୨୦୧୯/୨୦୨୩) ଅନ୍ତର୍ଗତ ଏହି ମାମଲା ନୂଆପଡ଼ା ଅତିରିକ୍ତ ଦୌରାଜଜ୍ କୋର୍ଟରେ ବିଚାରାଧୀନ ଥିଲା। ଆଜି ଶ୍ରୀ ଦାସ ସମସ୍ତ ସାକ୍ଷ୍ୟ ଓ ଆଇନି ଦଲିଲ ଭିତ୍ତିରେ ଅଭିଯୁକ୍ତଙ୍କୁ ଦୋଷୀ ଘୋଷଣା କରି ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। ଏହି ମାମଲାରେ ସରକାରଙ୍କ ପକ୍ଷରୁ ଅତିରିକ୍ତ ସରକାରୀ ଅଭିଯୋଜକ କାର୍ତ୍ତିକେଶ୍ବର ମହାରଣା ନିୟୁଜିତ ଥିଲେ।ଏକ ପିତାଙ୍କ ଦ୍ୱାରା ଅନୁଷ୍ଠିତ ଏହି ଭୟାବହ ବଳିଦାନ ସମାଜରେ ଅନେକ ପ୍ରଶ୍ନ ଉଠାଇଛି — ଅନ୍ଧଶ୍ରଦ୍ଧା ଏବଂ ଗୁଣିତନ୍ତ୍ରର ବେପରୱା ପ୍ରଭାବ କେଉଁଠି ନେଇଯାଉଛି? ବୃଦ୍ଧିଶୀଳ ଓଡ଼ିଶା ରେ ଏପରି ଘଟଣା ବ୍ୟାଥାଦାୟକ ଓ ଚେତନାଜନକ।