ଭୁବନେଶ୍ୱର, ୨୯/୧ : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ର ସଂଘଚାଳକ ଡ. ମୋହନ ଭାଗବତ ଅସନ୍ତା ମାସର ୩୦ ତାରିଖରୁ ଓଡ଼ିଶା ଗସ୍ତରେ ଆସିବେ। ପଞ୍ଚଦିନିଆ ଏହି ସଂଘ ପରିଦର୍ଶନ ସନ୍ଦର୍ଭରେ ଓଡ଼ିଶା ପୂର୍ବ ପ୍ରାନ୍ତର ପ୍ରାନ୍ତ ପ୍ରଚାର ପ୍ରମୁଖ ସୁମନ୍ତ କୁମାର ପଣ୍ଡା ଏକ ସୂଚନା ଦେଇଛନ୍ତି।
୩୦ ତାରିଖ ସନ୍ଧ୍ୟାକୁ ଭୁବନେଶ୍ୱରର ଜୟଦେବ ଭବନରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପୂର୍ବତନ ପ୍ରାନ୍ତ ସଂଘଚାଳକ ଶିବରାମ ମହାପାତ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହେବ, ଯେଉଁଥିରେ ଡ. ଭାଗବତ ଅଂଶଗ୍ରହଣ କରିବେ।
ତାପରେ, ଜାନୁଆରୀ ୩୧ ରୁ ଫେବୃଆରୀ ୩ ପର୍ଯ୍ୟନ୍ତ ଉତ୍କଳ ବିପନ୍ନ ସହାୟତା ସମିତି ପ୍ରାଙ୍ଗଣରେ ହେବାକୁ ଥିବା ସଂଘର ସାଂଗଠନିକ ବୈଠକ ଓ ଶତାବ୍ଦୀବାର୍ଷିକୀ କାର୍ଯ୍ୟକ୍ରମରେ ସେ ଅଂଶ ନେବେ। ଏହି ବୈଠକରେ ରାଷ୍ଟ୍ରୀୟ ସ୍ତରର ବିଭିନ୍ନ ନେତାମାନେ ମଧ୍ୟ ଉପସ୍ଥିତ ରହିବାର ସମ୍ଭାବନା ଅଛି।
ସଂଘର ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଗାମୀ ବର୍ଷଗୁଡ଼ିକରେ ସଂଘର କାର୍ଯ୍ୟକ୍ରମ, ସାମାଜିକ ଯୋଗଦାନ ଏବଂ ରାଷ୍ଟ୍ରୀୟ ସ୍ତରର ବିଭିନ୍ନ ଅଭିଯାନ ଉପରେ ଅଲୋଚନା ହେବ। ଏହି ଗସ୍ତର ମାଧ୍ୟମରେ ଡ. ଭାଗବତ ଓଡ଼ିଶାର ବିଭିନ୍ନ ସଂଘ ସଂଗଠନ ଓ ସେବା କାର୍ଯ୍ୟର ସମୀକ୍ଷା କରିବେ।
