Hot Posts

6/recent/ticker-posts

UGMITରେ ରକ୍ତଦାନ ଶିବିର, ୪୫ ୟୁନିଟ୍ ରକ୍ତ ସଂଗ୍ରହ

ରାୟଗଡ଼, ୧୧/୧୦ ( ଭି. ଗୌରୀ ଶଙ୍କର ରାଓ ) : ରାୟଗଡ଼ସ୍ଥିତ UGMIT ପରିସରରେ ଶୁକ୍ରବାର ଦିନ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଏହି ଶିବିରରେ ଅନୁଷ୍ଠାନର ଅଧ୍ୟକ୍ଷ, ଅଧ୍ୟାପକ-ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀମାନେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ଶିବିରରୁ ମୋଟ ୪୫ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ଅନିଲ କୁମାର ପାତ୍ର ଏହି ଶିବିରର ଶୁଭାରମ୍ଭ କରିବା ସହ ଛାତ୍ରଛାତ୍ରୀ ଓ ଅନ୍ୟ ରକ୍ତଦାତାମାନଙ୍କୁ ରକ୍ତଦାନ ପାଇଁ ଉତ୍ସାହିତ କରିଥିଲେ। ସେ ସର୍ବପ୍ରଥମେ ରକ୍ତଦାନ କରି ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣାଦାୟୀ ଉଦାହରଣ ସୃଷ୍ଟି କରିଥିଲେ। ଏହି ଶିବିରରେ ରାୟଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH)ର ରକ୍ତଭଣ୍ଡାର ଦଳ ଯୋଗଦେଇ ରକ୍ତ ସଂଗ୍ରହ କାର୍ଯ୍ୟ ସୁଚାରୁରୂପେ ସମ୍ପାଦନ କରିଥିଲେ। ରାୟଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରକ୍ତଦାନ ଅଧିକାରୀ ଡାକ୍ତର ଗୌତମ ପଟ୍ଟନାୟକ ରକ୍ତଦାତାମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରି ସେମାନଙ୍କର ମହତ୍ କାର୍ଯ୍ୟକୁ ସମ୍ମାନିତ କରିଥିଲେ। ଏହି ରକ୍ତଦାନ ଶିବିରର ସମନ୍ୱୟ ଦାୟିତ୍ୱ ବରିଷ୍ଠ ଅଧ୍ୟାପିକା ଶ୍ରୀମତୀ ପ୍ରତିଭା ପାତ୍ର ଏବଂ ଅଧ୍ୟାପିକା ଅମିତା ଯସ୍ମିନି ସ୍ମରଣିକା ତୁଲାଇଥିଲେ। ଅନୁଷ୍ଠାନର ସ୍ୱେଚ୍ଛାସେବୀମାନେ (volunteers) ମଧ୍ୟ ଶିବିରର ସୁପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ। ରକ୍ତଦାନ ଭଳି ଏକ ମହତ୍ କାର୍ଯ୍ୟକୁ ଆଗରେ ରଖି ଆୟୋଜିତ ଏହି ଶିବିରରେ ଅଧ୍ୟାପକ-ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନଙ୍କ ଉତ୍ସାହଜନକ ଅଂଶଗ୍ରହଣ ଅନୁଷ୍ଠାନର ସାମାଜିକ ଦାୟିତ୍ୱବୋଧ, ମାନବିକତା ଏବଂ ମାନବସେବା ପ୍ରତି ରହିଥିବା ନିଷ୍ଠାକୁ ପ୍ରତିଫଳିତ କରିଥିଲା।